ଓଡ଼ିଶାଲାଇଭ୍ ବ୍ୟୁରୋ

ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସକ୍ରିୟ ଥିବା ଘୂର୍ଣ୍ଣିବଳୟ ଏବେ ଲଘୁଚାପର ରୂପ ନେଇଛି। ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରି ଅବପାତରେ ପରିଣତ ହେବ। ଏହା ପ୍ରଭାବରେ ଗୁରୁବାର ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏଥିପାଇଁ ରାଜ୍ୟର ୧୩ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଏନେଇ ଭୁବନେଶ୍ଵରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ଲଘୁଚାପ ପ୍ରଭାବରେ ଓଡ଼ିଶାର ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ଼, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର, ବାଲେଶ୍ଵର, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସବୁ ଜିଲ୍ଲାଗୁଡ଼ିକରେ ୭ରୁ ୧୧ ସେଣ୍ଟିମିଟର ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି।

ଅନ୍ୟପଟେ ଅବପାତଟି ଓଡ଼ିଶା ଦେଇ ଯିବା ସମୟରେ ଉପକୂଳବର୍ତ୍ତୀ ଅଞ୍ଚଳରେ ଘଣ୍ଟାପ୍ରତି ୫୫ରୁ ୬୦ କିଲୋମିଟର ବେଗରେ ପବନ ବହିବ। ତେଣୁ ଏହାକୁ ଦୃଷ୍ଟିରେ ରଖି ନଭେମ୍ବର ୧୯ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନଙ୍କୁ ଗଭୀର ସମୁଦ୍ର ମଧ୍ୟକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି।

ଲଘୁଚାପ ପ୍ରଭାବରେ ଓଡ଼ିଶାରେ ଶୀତ ମଧ୍ୟ ବଢ଼ିବ ବୋଲି ଆଶଙ୍କା କରାଯାଉଛି। ମଙ୍ଗଳବାର କୋରାପୁଟ ଏବଂ କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ିରେ ୧୩ ଡିଗ୍ରୀ ସହ ରାଜ୍ୟର ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି। ସେହିପରି ଜି.ଉଦୟଗିରିରେ ୧୩.୨ ଡିଗ୍ରୀ, ସେମିଳିଗୁଡ଼ାରେ ୧୩.୬ ଡିଗ୍ରୀ, ଫୁଲବାଣୀରେ ୧୫.୫ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ କରାଯାଇଛି।

Tags: #LowPressure #HeavyRain #BayofBengal #Winter #MCBBSR #Odisha

LEAVE A REPLY

Please enter your comment!
Please enter your name here