ଓଡ଼ିଶାଲାଇଭ୍ ବ୍ୟୁରୋ

ବଙ୍ଗୋପସାଗରରେ ଏବେ ସକ୍ରିୟ ରହିଛି ଗଭୀର ଅବପାତ। ଆଉ ୬ ଘଣ୍ଟା ମଧ୍ୟରେ ଏହା ଅଧିକ ଘନୀଭୂତ ହୋଇ ବାତ୍ୟାର ରୂପ ନେବ। ପରେ ଉତ୍ତର-ଉତ୍ତର ପୂର୍ବ ଦିଗରେ ଗତି କରି ଏହା ବାଂଲାଦେଶ ଉପକୂଳକୁ ମୁହାଁଇବ। ତେବେ ଓଡ଼ିଶା ଉପରେ ବାତ୍ୟାର ବିଶେଷ ପ୍ରଭାବ ରହିବ ନାହିଁ। ହେଲେ ଏଥିପାଇଁ ରାଜ୍ୟରେ ପ୍ରବଳ ବର୍ଷା ହେବ। ଏନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ଏହି ବାତ୍ୟାର ନାଁ ‘ହମୁନ’ ରହିଛି। ଅକ୍ଟୋବର ୨୫ ତାରିଖ ବେଳକୁ ଏହା ବାଂଲାଦେଶର ଖେପୁପଡ଼ା ଓ ଚିଟାଗଙ୍ଗ ଉପକୂଳ ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ ବୋଲି ପୂର୍ବାନୁମାନ କରାଯାଇଛି। ଲ୍ୟାଣ୍ଡଫଲ୍ ବେଳେ ଏହା ପୁଣି ଗଭୀର ଅବପାତରେ ପରିଣତ ହେବ।  

ବର୍ତ୍ତମାନ ଅବପାତଟି ପାରାଦ୍ୱୀପଠାରୁ ଦକ୍ଷିଣ ଦିଗରେ ୩୬୦ କିମି ଦୂରରେ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ଅଛି। ଏହା ଘଣ୍ଟାପ୍ରତି ୧୩ କିଲୋମିଟର ବେଗରେ ଉତ୍ତର-ପୂର୍ବ ଦିଗରେ ବାଂଲାଦେଶ ଆଡ଼କୁ ଗତି କରୁଛି। ଏହା ପ୍ରଭାବରେ ଏବେ ଉପକୂଳ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ବର୍ଷା ଆରମ୍ଭ ହୋଇଛି।

ଓଡ଼ିଶାରେ ବାତ୍ୟାର ଭୟ ନଥିଲେ ମଧ୍ୟ ଏହା ପ୍ରଭାବରେ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା ୨ ଦିନ ଯାଏଁ କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, କଟକ, ଜଗତସିଂହପୁର, ପୁରୀ ଓ ଖୋର୍ଦ୍ଧା ସମେତ ଉପକୂଳ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି।   

ସେହିପରି ବାତ୍ୟା ପାଇଁ ଓଡ଼ିଶାର ସବୁ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସ୍ଵତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ସତର୍କ କରାଯାଇଛି। ୨୬ ତାରିଖ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି।

Tags: #Cyclone #Hamun #DeepDepression #BayofBengal #Bangladesh #Odisha #MCBBSR

LEAVE A REPLY

Please enter your comment!
Please enter your name here