ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ଉପରୁ ଟଳିଛି ବାତ୍ୟା ବିପଦ। ବଙ୍ଗୋପସାଗରରେ ଆସୁଥିବା ବାତ୍ୟା ଏବେ ତାମିଲନାଡୁ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ ମୁହାଁ ହେବ। ଡିସେମ୍ବର ୪ ତାରିଖରେ ଏହା ଉପକୂଳ ଛୁଇଁବାର ସମ୍ଭାବନା ରହିଛି। ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସକ୍ରିୟ ଥିବା ସୁଦୃଶ ଲଘୁଚାପଟି ଅଧିକ ଘନୀଭୂତ ହେବାରେ ଲାଗିଛି। ଏବେ ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି। ଆଗାମୀ ୨୪ ଘଣ୍ଟାରେ ଏହା ଅବପାତରେ ପରିଣତ ହୋଇ ଡିସେମ୍ବର ୩ ତାରିଖରେ ସାମୁଦ୍ରିକ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି।    

ତେବେ ବାତ୍ୟା ହେଲେ ଏହା କେଉଁ ସ୍ଥାନରେ ଲ୍ୟାଣ୍ଡଫଲ୍ କରିବ, ସେତେବେଳେ ପବନର ବେଗ କେତେ ରହିବ, ସେ ବାବଦରେ ପାଣିପାଗ ବିଭାଗ ପକ୍ଷରୁ ଆଗକୁ ସୂଚନା ଦିଆଯିବ।

ଅନ୍ୟପଟେ ଆସୁଥିବା ବାତ୍ୟାର ଓଡ଼ିଶା ଉପରେ ପ୍ରଭାବ ପଡ଼ିବ ନାହିଁ। ରାଜ୍ୟର ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ତେବେ ରାଜ୍ୟରେ ଆଗକୁ ଶୀତ ବଢ଼ିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି।

ଗୁରୁବାର କୋରାପୁଟରେ ୧୨ ଡିଗ୍ରୀ ସହ ରାଜ୍ୟର ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି। ଏହାସହ ସେମିଳିଗୁଡ଼ାରେ ୧୩.୧ ଡିଗ୍ରୀ, ଦାରିଙ୍ଗବାଡ଼ି ଓ ଜି.ଉଦୟଗିରିରେ ୧୪ ଡିଗ୍ରୀ, ଫୁଲବାଣୀରେ ୧୪.୫ ଡିଗ୍ରୀ ଏବଂ ସୁନ୍ଦରଗଡ଼ ଜିଲ୍ଲାର କିରେଇରେ ୧୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।    

Tags: #LowPressure #Cyclone #BayofBengal #Rain #MCBBSR #Odisha

LEAVE A REPLY

Please enter your comment!
Please enter your name here