ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାକୁ ଆସୁଛି ଆଉ ଏକ ଲଘୁଚାପ। ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଫଳରେ ନଭେମ୍ବର ୧୫ ତାରିଖରୁ ଓଡ଼ିଶାରେ ବର୍ଷା ବଢ଼ିବ। ଏନେଇ ଭୁବନେଶ୍ଵର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଏବେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅନ୍ତର୍ଗତ ଥାଇଲାଣ୍ଡ ଉପକୂଳରେ ଏହି ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା କ୍ରମେ ଲଘୁଚାପରେ ପରିଣତ ହୋଇ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ। ଏହି ଲଘୁଚାପ ଅବପାତରେ ପରିଣତ ହେବାର ମଧ୍ୟ ସମ୍ଭାବନା ରହିଛି।

ତେବେ ଲଘୁଚାପ ପ୍ରଭାବରେ ଓଡ଼ିଶା ସମେତ ପୂର୍ବ ଭାରତର ବିଭିନ୍ନ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାରେ ଅଧିକ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତେବେ ଏ ନେଇ ଆଗକୁ ଆହୁରି ସୂଚନା ମିଳିବ।

ଅନ୍ୟପଟେ ଓଡ଼ିଶାରେ ଏବେ ଶୀତଲହରୀ ଦିନକୁ ଦିନ ବଢ଼ିବାରେ ଲାଗିଛି। ସୋମବାର କୋରାପୁଟର ସେମିଳିଗୁଡ଼ାରେ ୧୨.୨ ଡିଗ୍ରୀ ସହ ରାଜ୍ୟର ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି।

ସେହିପରି କୋରାପୁଟରେ ୧୨.୮ ଡିଗ୍ରୀ, ଜି.ଉଦୟଗିରିରେ ୧୩ ଡିଗ୍ରୀ, ନବରଙ୍ଗପୁରରେ ୧୩.୬ ଡିଗ୍ରୀ, ଫୁଲବାଣୀରେ ୧୫.୫ ଡିଗ୍ରୀ ଏବଂ ସୁନ୍ଦରଗଡ଼ରେ ୧୬.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

Tags: #LowPressure #HeavyRain #BayofBengal #Winter #MCBBSR #Odisha

LEAVE A REPLY

Please enter your comment!
Please enter your name here