ଓଡ଼ିଶାଲାଇଭ୍ ବ୍ୟୁରୋ

(ବିଶାଖାପାଟଣାରୁ ଯଶୋବନ୍ତ ପାଢ଼ୀ): ଆନ୍ଧ୍ରପ୍ରଦେଶ ନେଲୋର ଜିଲ୍ଲାର କାନ୍ଦୁକୁରୁ ସହରରେ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଟିଡିପି ଦଳର ମୁଖ୍ୟ ଚନ୍ଦ୍ରବାବୁ ନାଇଡୁଙ୍କ ସାଧାରଣ ସଭାରେ ଦଳାଚକଟା ହୋଇ ୮ ଜଣଙ୍କର ମୃତ୍ୟୁ ହୋଇଛି। ଏଥିରେ ୭ ଜଣଙ୍କ ଅବସ୍ଥା ଗୁରୁତର ରହିଥିବାବେଳେ ୩୦ରୁ ଅଧିକ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସାଧାରଣ ସଭାରେ ଯୋଗ ଦେବା ପାଇଁ କ୍ଷମତାଠାରୁ ଅଧିକ ଲୋକ ଯୋଗ ଦେଇଥିଲେ। ସଭାରେ ହଜାର ହଜାର ଟିଡିପି କର୍ମୀ, ସମର୍ଥକ ଏବଂ ସାଧାରଣ ଜନତା ଏକାଠି ହୋଇଥିଲେ। ରୋଡ ସୋ’ ସମୟରେ ଦଳୀୟ କର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ ଯୋଗୁଁ ରାସ୍ତାର ଉଭୟ ପାର୍ଶ୍ଵରେ ଥିବା ଡ୍ରେନରେ ପଡ଼ି ଏବଂ ଦଳାଚକଟା ଯୋଗୁଁ ଏହି ଅଘଟଣ ଘଟିଥିବା ପୋଲିସ ସୂଚନା ଦେଇଛି।

କ୍ଷମତାଠାରୁ ଅଧିକା ଲୋକ ଓ କର୍ମୀଙ୍କୁ ନେଇ ରୋଡ ସୋ’ ନକରିବାକୁ ପୋଲିସ ପରାମର୍ଶ ଦେଇଥିଲେ ମଧ୍ୟ କେହି କର୍ଣ୍ଣପାତ କରିଥିବା ପୋଲିସ କହିଛି। ଏହି ଅଘଟଣ ସମୟର ଦୃଶ୍ୟ ଜଣେ ଦଳୀୟ କର୍ମୀ ରେକର୍ଡ କରି ଚନ୍ଦ୍ରବାବୁ ନାଇଡୁ ଦେଖାଇଥିଲେ ମଧ୍ୟ ସେ ନିଜର ଭାଷଣ ଜାରି ରଖିଥିଲେ। ଯାହା ଫଳରେ ଦଳୀୟ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଥିଲା।

ପୋଲିସର ବାରଣ ସତ୍ତ୍ୱେ ରାଜ୍ୟରେ ନିଜର କ୍ଷମତା ଓ ଶକ୍ତି ପ୍ରଦର୍ଶନ ପାଇଁ ଉଦ୍ୟମ କରି ନିରୀହ ଲୋକଙ୍କ ଜୀବନ ସହ ଖେଳ ଖେଳୁଥିବା ଅଭିଯୋଗ କରିଛି ୱାଈଏସଆର କଂଗ୍ରେସ ଓ ସିପିଆଇ ଦଳ।

ଅଘଟଣ ପରେ ପୋଲିସର ବାରମ୍ବାର ହସ୍ତକ୍ଷେପ ପରେ ଚନ୍ଦ୍ରବାବୁ ନାଇଡୁ ସାଧାରଣ ସଭା ଏବଂ ରୋଡ୍ ସୋ’କୁ ବାତିଲ କରିଥିଲେ। ପରେ ସେ ଡାକ୍ତରଖାନା ପରିଦର୍ଶନ କରି ପୀଡ଼ିତଙ୍କ ପରିବାରକୁ ସାକ୍ଷାତ କରିଥିଲେ। ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ରାଶି ଘୋଷଣା କରିବା ସହ ଆହତଙ୍କ ଖର୍ଚ୍ଚ ଟିଡିପି ଦଳ ବହନ କରିବ ବୋଲି ଘୋଷଣା କରିଥିଲେ।

Tags: #Politics #AndhraPradesh #ChandraBabuNaidu #FormerCM #EightDead

Comment