ଓଡ଼ିଶାଲାଇଭ୍ ବ୍ୟୁରୋ

ବାତ୍ୟାର ରୂପ ନେଲା ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ। ଦକ୍ଷିଣପଶ୍ଚିମ ଏବଂ ଦକ୍ଷିଣପୂର୍ବ ବଙ୍ଗୋପ ସାଗର ସୃଷ୍ଟି ହୋଇଥିବା ତୀବ୍ର ଅବପାତ ଆହୁରି ତୀବ୍ରତର ହୋଇ ସାମୁଦ୍ରିକ ବାତ୍ୟା ‘ମାଣ୍ଡୋସ୍‌’ରେ ପରିଣିତ ହୋଇଥିବା ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି। ଗୁରୁବାର ସକାଳେ ଉତ୍ତର ତାମିଲନାଡୁ, ପୁଡ୍ଡୁଚେରୀ ଏବଂ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ପ୍ରତି ସତର୍କ ସୂଚନା ଜାରି କରାଯାଇଛି।

ଗୁରୁବାର ସନ୍ଧ୍ୟା ସୁଦ୍ଧା ମାଣ୍ଡୋସ ସ୍ଥଳଭାଗ ଛୁଇଁପାରେ। ଏଥିପାଇଁ ଉତ୍ତର-ତାମିଲନାଡୁ, ପୁଡୁଚେରୀ ଏବଂ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ପାଇଁ ବାତ୍ୟା ଆଲର୍ଟ ଜାରି କରାଯାଇଛି। ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଆଲର୍ଟ ଜାରି ହୋଇଥିବା ବେଳେ ଘଣ୍ଟାପ୍ରତି ୭୦ ରୁ ୯୦ କିଲୋମିଟର ବେଗରେ ପବନ ପହିବା ନେଇ ପୂର୍ବାନୁମାନ କରାଯାଇଛି।

ବଙ୍ଗୋପସାଗରରେ ଥିବା ବାତ୍ୟାର ଆଂଶିକ ପ୍ରଭାବ ଓଡ଼ିଶା ଉପରେ ପଡ଼ିଛି। ବୁଧବାର ଦିନ ରାଜ୍ୟର ବିଭିନ୍ନ ଜିଲ୍ଲାରେ କୋହଲା ପାଗ ସୃଷ୍ଟି ହୋଇଛି। ଦକ୍ଷିଣ ଓଡ଼ିଶାର ୮ ଜିଲ୍ଲାରେ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ଗଞ୍ଜାମ, ଗଜପତି, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡା, କଳାହାଣ୍ଡି ଏବଂ କନ୍ଧମାଳ ଜିଲ୍ଲାକୁ ସତର୍କତା ଜାରି କରାଯାଇଛି। ତେବେ ବାତ୍ୟା ପ୍ରଭାବରେ ଓଡ଼ିଶାରେ କୋହଲା ପାଗ ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।

ଦୁଇ ଦିନ ଏଭଳି ପାଗ ଲାଗି ରହିବା ସହିତ ଶନିବାର ମାଲାକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, କଳାହାଣ୍ଡି, କନ୍ଧମାଳ ଓ ନବରଙ୍ଗପୁର ଆଦି ଜିଲ୍ଲାରେ ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର କହିଛି। ୧୦ ଓ ୧୧ ତାରିଖ ଦୁଇ ଦିନ ଏହି ଜିଲ୍ଲାରେ ବର୍ଷା ଆଶଙ୍କା ରହିଛି।

ଅନ୍ୟପଟେ ଦକ୍ଷିଣ ଓଡ଼ିଶାରେ ୯ ଓ ୧୦ରେ ପାଗ ମେଘୁଆ ରହିବା ସହିତ ବାତ୍ୟା ଯୋଗୁଁ ରାଜ୍ୟରେ ପ୍ରାୟ ୪ ଡିଗ୍ରୀ ତାପମାତ୍ରା ବୃଦ୍ଧି ପାଇବା ସହ ବିଭିନ୍ନ ଜିଲ୍ଲାରେ କୁହୁଡ଼ି ହେବ ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି।

Tags: #CycloneUpdate #CycloneMandous #BayOfBengal #Tamilnadu #Pudduchery #AndhraPradesh #MeterologicalDept #Bhubaneswar #India

LEAVE A REPLY

Please enter your comment!
Please enter your name here