ଓଡ଼ିଶାଲାଇଭ୍ ବ୍ୟୁରୋ

(ବିଶାଖାପାଟଣାରୁ ଯଶୋବନ୍ତ ନାରୟଣ ପାଢ଼ୀ): ଭାରତୀୟ ମହିଳା ହକି ଦଳର ଖେଳାଳି ଇ ରଜନୀଙ୍କୁ ସମ୍ଵର୍ଦ୍ଧିତ କରିଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ଵାଇ ଏସ୍ ଜଗନମୋହନ ରେଡ୍ଡୀ। ଦକ୍ଷିଣ ଭାରତର ଏକମାତ୍ର ମହିଳା ହକି ଖେଳାଳି ଭାବେ ରଜନୀ ୨ ଥର ଅଲିମ୍ପିକ୍ସ ଖେଳିବାର ସୁଯୋଗ ପାଇ ଅନ୍ତର୍ଜାତୀୟ ସ୍ତରରେ ରାଜ୍ୟ ତଥା ଦେଶକୁ ଗୌରାବାନ୍ଵିତ କରିଛନ୍ତି। ତେଣୁ ରଜନୀଙ୍କୁ ୨୫ ଲକ୍ଷ ଟଙ୍କାର ପୁରସ୍କାର ରାଶି, ୧ ଏକର ଜମି ଏବଂ ତାଙ୍କ ପରିବାରରୁ ଜଣଙ୍କୁ ଚାକିରି ଦେବା ଲାଗି ଘୋଷଣା କରିଛନ୍ତି ଆନ୍ଧ୍ର ସରକାର।ଆନ୍ଧ୍ରପ୍ରଦେଶର ଏକ ଗରିବ ଚାଷୀ ପରିବାରରରେ ରଜନୀଙ୍କ ଜନ୍ମ। ପିଲାଟି ବେଳୁ ଅନେକ ସଙ୍ଘର୍ଷ ମଧ୍ୟରେ ରଜନୀ ହକି ଖେଳିବା ଆରମ୍ଭ କରିଥିଲେ। ହେଲେ ହକି ପ୍ରତି ତାଙ୍କ ମନରେ ଥିବା ଭଲପାଇବା ଏବଂ ଦୃଢ଼ ନିଷ୍ଠା ତାଙ୍କୁ ଆଜି ଭାରତୀୟ ମହିଳା ହକି ଦଳରେ ଗୋଲ ରକ୍ଷକ ଭାବେ ଠିଆ କରିଛି। ଭାରତକୁ ପ୍ରତିନିଧିତ୍ଵ କରି ବହୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସଫଳତା ହାସଲକରି ସେ ଅନେକ ପଦକ ଜିତିଛନ୍ତି।ରଜନୀଙ୍କୁ ପୁରସ୍କୃତ କରିବା ଅବସରରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଓ୍ଵାଇ ଏସ୍ ଜଗନମୋହନ ରେଡ୍ଡୀ କହିଛନ୍ତି, “ସମଗ୍ର ଦକ୍ଷିଣ ଭାରତରୁ ଅଲିମ୍ପିକ୍ସରେ ଭାରତୀୟ ଦଳରେ ଖେଳିବାର ସୁଯୋଗ ପାଇଥିବା ଏକମାତ୍ର ମହିଳା ହକି ଖେଳାଳି ହେଉଛନ୍ତି ଆନ୍ଧ୍ର ଝିଅ ଇ ରଜିନି। ସେ ନିଜର ଦୃଢ଼ ଉଦ୍ୟମ ଦ୍ୱାରା ୨ ଥର ଅଲମ୍ପିକରେ ଖେଳିବା ପାଇଁ ସୁଯୋଗ ପାଇ ରାଜ୍ୟ ପାଇଁ ସୁନାମ ଆଣିଛନ୍ତି। ଏଣୁ ହକି ପ୍ରତି ତାଙ୍କର କର୍ତ୍ତବ୍ୟନିଷ୍ଠାକୁ ଦୃଷ୍ଟିରେ ରଖି ତାଙ୍କର ପ୍ରଶିକ୍ଷଣ ଲାଗି ମାସିକ ୪୦ ହଜାର ଟଙ୍କାର ଆର୍ଥିକ ସହାୟତା ଏବଂ ଅନ୍ୟ ସମସ୍ତ ସୁବିଧା ରାଜ୍ୟ ସରକାରଙ୍କ ପକ୍ଷରୁ ତାଙ୍କୁ ପ୍ରଦାନ କରାଯିବ।”

Comment