ଓଡ଼ିଶାଲାଇଭ୍ ବ୍ୟୁରୋ

ଚଳିତ ବର୍ଷ ଟୋକିଓ ଅଲିମ୍ପିକ୍ସରେ ଭାରତକୁ ସ୍ଵର୍ଣ୍ଣ ପଦକ ଉପହାର ଦେଇଥିବା ଏକମାତ୍ର ଆଥଲେଟ୍ ହେଉଛନ୍ତି ନୀରଜ ଚୋପ୍ରା।

ହରିୟାଣାର ହୀରା ନୀରଜ ଚୋପ୍ରା। ଟୋକିଓ ଅଲିମ୍ପିକ୍ସରେ ସ୍ଵର୍ଣ୍ଣ ପଦକ ହାସଲ କରି ଏହି ଆଥଲେଟ ଜଣଙ୍କ ଦେଶର ଟେକ ରଖିଛନ୍ତି। ଆଜି ଏହି ଆଥଲେଟଙ୍କୁ ସମସ୍ତେ ଗୋଲ୍ଡେନ ବଏ୍ ନାମରେ ଜାଣନ୍ତି। ଟୋକିଓରେ ଭାରତର ଟେକ ରଖି ଏହି ନାଁ ସେ ନିଜେ କମାଇଛନ୍ତି।

ଗୋଲ୍ଡେନ ବଏ୍ ଟୋକିଓ ପଦକକୁ ଯେଉଁଦିନ ନିଜର କଲେ, ସେହିଦିନର ଦୃଶ୍ୟ ଆଜିବି ପ୍ରତିଟି ଭାରତୀୟ ମନ ରଖିଛନ୍ତି। ସେଦିନ ଜାଭେଲିନ୍ ଥ୍ରୋ କରିବା ପରେ ନୀରଜ ନିଜ ବିଜୟକୁ ନେଇ ସୁନିଶ୍ଚିତ ହୋଇଯାଇଥିଲେ। ଯାହାକି ସେହି ଭିଡିଓର ଦୃଶ୍ୟକୁ ଦେଖି ଜଣାପଡ଼ିଯାଉଥିଲା।

ଅଗଷ୍ଟ ୭ ତାରିଖରେ ଜାଭେଲିନ୍ ଷ୍ଟିକକୁ ଥ୍ରୋ କରିବା ପରେ ନୀରଜ ଗ୍ରାଉଣ୍ଡ ମଝିରେ ହାତ ଉପରକୁ କରି ବସି ପଡ଼ିଥିଲେ, ଆଉ ନୀରଜଙ୍କ ଏଭଳି ବସିବା ଶୈଳୀ ସ୍ପଷ୍ଟ କରିଥିଲା ଯେ, ସେ ତାଙ୍କ ପ୍ରଦର୍ଶନରେ ପଦକ ଜିତିବା ନିଶ୍ଚିତ।

ନୀରଜଙ୍କ ସୁନାର ଇତିହାସକୁ ତ’ ଆଜି ପୂରା ଦେଶ ଜାଣିଛି। କିନ୍ତୁ ତାଙ୍କ ସୁନା କାହାଣୀ ପଛର ସ୍ଵପ୍ନକୁ ହୁଏତ ବହୁତ କମ୍ ଲୋକ ଜାଣିଛନ୍ତି। ଏହି ସୁନା ପାଇଁ ଦିନେ ସେ ଶୋଇବା ଭୁଲିଯାଇଥିଲେ।

୧୯୯୭ ମସିହା ଡିସେମ୍ବର ୨୪ ହରିୟାଣା ପାନିପଥର ଏକ ଛୋଟ ଗାଁ ଖାନ୍ଦ୍ରାରେ ନୀରଜଙ୍କ ଜନ୍ମ। ତାଙ୍କ ବାପା ହେଉଛନ୍ତି ଜଣେ କୃଷକ, ଆଉ ମା’ ଗୃହିଣୀ। ପିଲାଟିବେଳୁ ସେ ଯୌଥ ପରିବାରରେ ବଢ଼ିଆସିଛନ୍ତି। ପାନିପଥରେ ନିଜର ସ୍କୁଲ କ୍ୟାରିୟର ସମ୍ପୂର୍ଣ୍ଣ କରି ବିବିଏରେ ଗ୍ରାଜୁଏସନ କରିଛନ୍ତି ନୀରଜ। ପିଲାଟିବେଳୁ ଉଭୟ ପଢ଼ା ଓ ଖେଳ ପ୍ରତି ତାଙ୍କର ରୁଚି ରହିଥିଲା।୧୩ବର୍ଷ ବୟସରେ ମୋଟାପଣର ଶିକାର ହୋଇଥିଲେ ନୀରଜ

ଫିଟ୍ ଏବଂ ହ୍ୟାଣ୍ଡସମ୍ ଆଥଲେଟଙ୍କ ମଧ୍ୟରେ ନୀରଜ ହେଉଛନ୍ତି ଅନ୍ୟତମ। କିନ୍ତୁ ଦିନେ ନୀରଜଙ୍କୁ ତାଙ୍କ ଶରୀରର ଆକାର ପାଇଁ ସବୁ ସ୍ଥାନରେ ସମାଲୋଚନାର ପାତ୍ର ହେବାକୁ ପଡ଼ୁଥିଲା। ଏମିତିକି ତାଙ୍କ ପରିବାରର ସଦସ୍ୟ ମଧ୍ୟ ନୀରଜଙ୍କ ମୋଟାପଣକୁ ନେଇ ଚିନ୍ତାରେ ପଡ଼ିଯାଇଥିଲେ। ତାଙ୍କୁ ଯେତେବେଳ ୧୩ ବର୍ଷ ବୟସ ହୋଇଥିଲା ସେ ମୋଟାପଣର ଶୀକାର ହୋଇଥିଲେ। ତେଣୁ ଓଜନ କମେଇବା ପାଇଁ ନୀରଜଙ୍କ ଚାଚା ତାଙ୍କୁ ଏକ ଷ୍ଟାଡିୟମରେ ଛାଡ଼ିଥିଲେ। ସେଠାରେ ପ୍ରତିଦିନ ଦୌଡ଼ ଅଭ୍ୟାସ କରିବା ପାଇଁ କହିଥିଲେ।

ଷ୍ଟାଡିୟମରେ ନୀରଜ ଦୌଡ଼ ଏବଂ ବ୍ୟାୟାମ କରିବା ସମୟରେ ସେଠାରେ ଅଭ୍ୟାସ କରୁଥିବା ଜାଭେଲିନ ଖେଳାଳିଙ୍କ ଉପରେ ତାଙ୍କର ଆଖି ପଡ଼ିଥିଲା। ପ୍ରଥମେ ସେ ସେହି ଖେଳ ବିଷୟରେ ଏତେଟା ଜାଣିପାରିନଥିଲେ କିନ୍ତୁ ପରବର୍ତ୍ତୀ ସମୟରେ ନିଜେ ସେହି ଖେଳ ଖେଳିବା ପାଇଁ ଜିଦ୍ କରିଥିଲେ।

ଅଭ୍ୟାସ ପାଇଁ ବାପାଙ୍କୁ ମାଗିଥିଲେ ୧ଲକ୍ଷ ଟଙ୍କା

ଜାଭେଲିନ ଅଭ୍ୟାସ ପାଇଁ ନୀରଜ ତାଙ୍କ ବାପାଙ୍କୁ ୧ଲକ୍ଷ ଟଙ୍କା ମାଗିଥିଲେ। କିନ୍ତୁ ତାଙ୍କ ବାପା ଜଣେ କୃଷକ ହୋଇଥିବାରୁ ଏକାସହ ଏତେ ଗୁଡ଼ିଏ ଟଙ୍କା ଦେବା ତାଙ୍କ ପାଖେ ସମ୍ଭବ ହୋଇନଥିଲା। ଏଥିପାଇଁ ନୀରଜଙ୍କୁ କିଛି ମାସ ଅପେକ୍ଷା କରିବାକୁ ପଡ଼ିଥିଲା।

ପୁଅର ଇଚ୍ଛା ପୂରା କରିବା ଥିଲା ବାପାଙ୍କର ସ୍ବପ୍ନ। ତେଣୁ ସେ ଧିରେ ଧିରେ ନୀରଜଙ୍କ ଅଭ୍ୟାସ ପାଇଁ ପଇସା ଯୋଗାଡ଼ କରିବାରେ ଲାଗିପଡ଼ିଥିଲେ। ଶେଷରେ ୧ଲକ୍ଷ ଟଙ୍କା ସଞ୍ଚୟ କରି ପୁଅକୁ ଖେଳ ଅଭ୍ୟାସ କରିବା ପାଇଁ ଦେଇଥିଲେ। ପରିବାରର ପ୍ରତ୍ୟେକଟି ସଦସ୍ୟ ନୀରଜଙ୍କୁ ଖେଳିବା ପାଇଁ ଉତ୍ସାହିତ କରିଥିଲେ।ପ୍ରଥମ ଅଲିମ୍ପିକ୍ସରୁ ଜିତିଲେ ସ୍ଵର୍ଣ୍ଣ

ମାତ୍ର ୧୩ବର୍ଷ ବୟସରୁ ନୀରଜ ଚୋପ୍ରା ଜାଭେଲିନ୍ ଖେଳ ଆରମ୍ଭ କରିଥିଲେ। ଦୀର୍ଘ ୧୦୦ବର୍ଷରୁ ଅଧିକ ବ୍ୟବଧାନରେ ଅଲିମ୍ପିକ୍ସରେ ଜାଭେଲିନ ଥ୍ରୋରେ ଦେଶ ପାଇଁ ପଦକ ହାସଲ କରି ଦେଶକୁ ଗର୍ବିତ କରାଇଛନ୍ତି ୨୩ ବର୍ଷୀୟ ଯୁବକ ନୀରଜ। ଚଳିତ ବର୍ଷ ପ୍ରଥମଥର ପାଇଁ ସେ ଅଲିମ୍ପିକ୍ସରେ ଭାଗ ନେଇ ଦେଶକୁ ପଦକ ଉପହାର ଦେଇଛନ୍ତି।ପଦକ ଜିତିବାପରେ ପ୍ରଧାନମନ୍ତ୍ରୀ ଖୁଆଇଲେ ଚୁରମା ଲଡୁ

ଟୋକିଓ ଅଲିମ୍ପିକରେ ସ୍ଵର୍ଣ୍ଣ ପଦକ ଜିତି ଇତିହାସ ରଚିବାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୋଲ୍ଡେନ ବଏ୍ ଙ୍କୁ ମନ ପସନ୍ଦର ଚୁରମା ଲଡୁ ଖୁଆଇଥିଲେ। ପ୍ରଧାନମନ୍ତ୍ରୀଙ୍କ ହାତରୁ ଲଡୁ ଖାଇବାକୁ ଇଚ୍ଛା ରଖିଥିଲେ ନୀରଜ। ତେଣୁ ସେ ଟୋକିଓରୁ ଫେରିବାପରେ ତାଙ୍କୁ ନିଜର ହାତରେ ପ୍ରଧାନମନ୍ତ୍ରୀ ଚୁରମା ଲଡୁ ଖୁଆଇଥିଲେ।

ଅଗଷ୍ଟ ୭କୁ ଜାତୀୟ ଜାଭେଲିନ୍ ଦିବସ ରୂପେ ଘୋଷଣା

ଟୋକିଓ ଅଲିମ୍ପିକ୍ସରେ ଐତିହାସିକ ସ୍ୱର୍ଣ୍ଣ ପଦକ ଜିତିଥିବା ନୀରଜ ଚୋପ୍ରାଙ୍କ ସମ୍ମାନରେ ମଙ୍ଗଳବାର ଭାରତୀୟ ଆଥଲେଟିକ୍‌ ସଙ୍ଘ ପକ୍ଷରୁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ଜାଭେଲିନ ଆଥଲେଟ ନୀରଜ ଯେଉଁ ଦିନ ସ୍ୱର୍ଣ୍ଣ ଜିତିଥିଲେ, ସେହିଦିନକୁ ଜାତୀୟ ଜାଭେଲିନ୍‌ ଦିବସ ଭାବେ ପାଳନ କରାଯିବ। ସୂଚନାଥାଉକି, ଅଗଷ୍ଟ ୭ ତାରିଖରେ ଟୋକିଓ ଅଲିମ୍ପିକ୍ସରେ ନୀରଜ ସ୍ୱର୍ଣ୍ଣ ପଦକ ଜିତି ଭାରତର ଦୀର୍ଘ ୧୦୦ ବର୍ଷରୁ ଅଧିକ ପଦକ ଅପେକ୍ଷାର ଅନ୍ତ ଘଟାଇଥିଲେ। ତେଣୁ ପ୍ରତିବର୍ଷ ଅଗଷ୍ଟ ୭ ତାରିଖକୁ ଜାଭେଲିନ୍‌ ଦିବସ ଭାବେ ପାଳନ କରାଯିବ।ନୀରଜଙ୍କ ଓଡ଼ିଶା ଲିଙ୍କ

ଟୋକିଓ ଅଲିମ୍ପିକ୍ସ ପାଇଁ ନୀରଜ ପଞ୍ଜାବର ପଟିଆଲାରେ ଥିବା ନେତାଜୀ ସୁଭାଷ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍‌ ସ୍ପୋର୍ଟସରେ ଅଭ୍ୟାସ କରୁଥିଲେ। ହେଲେ ପ୍ରବଳ ଥଣ୍ଡା ଅନୁଭୂତ ହେବାରୁ ଅଭ୍ୟାସରେ ବାଧା ଉପୁଜିଥିଲା। ଯାହାଫଳରେ ୨୦୨୦ ମସିହାରେ ନୀରଜଙ୍କୁ ପୂରା ଟିମ୍ ସହ ଭୁବନେଶ୍ଵରର କଳିଙ୍ଗ ଷ୍ଟାଡିୟମରେ ଅଭ୍ୟାସ କରିବାକୁ ପଡ଼ିଥିଲା। ଏଥିସହ ୨୦୧୭ ମସିହାରେ କଳିଙ୍ଗ ଷ୍ଟାଡିୟମ ନୀରଜକୁ ସ୍ବତନ୍ତ୍ର ପରିଚୟ ଦେଇଥିଲା ବୋଲି ସେ ନିଜେ ଏକ ଗଣମାଧ୍ୟମରେ ସୂଚନା ଦେଇଥିଲେ। କାରଣ ସେ ଏଠାରୁ ସ୍ଵର୍ଣ୍ଣ ପଦକ ଜିତିଥିଲେ।

ପୁନେର ଆର୍ମି ସ୍ପୋର୍ଟ୍ସ ଇନ୍‌ଷ୍ଟିଚ୍ୟୁଟରେ ଥିବା ଷ୍ଟାଡିୟମ ନୀରଜ ଚୋପ୍ରାଙ୍କ ନାମରେ ନାମିତ

ପୁନେର ଆର୍ମି ସ୍ପୋର୍ଟ୍ସ ଇନ୍‌ଷ୍ଟିଚ୍ୟୁଟ କ୍ୟାମ୍ପସ୍‌ ପରିସରରେ ଥିବା ଆଥଲେଟିକ୍‌ ଷ୍ଟାଡିୟମକୁ ଜାଭେଲିନ ଅଥଲେଟ ନୀରଜ ଚୋପ୍ରାଙ୍କ ନାମରେ ନାମିତ କରାଯାଇଛି। ଭାରତୀୟ ସେନା ପକ୍ଷରୁ ଏନେଇ ଘୋଷଣା କରାଯାଇଥିଲା। ଫଳରେ ପୁନେ ଆର୍ମି ଷ୍ଟାଡିୟମର ନାମ ପରିବର୍ତ୍ତନ କରାଯାଇ ଏବେ ‘ନୀରଜ ଚୋପ୍ରା ଆର୍ମି ସ୍ପୋର୍ଟ୍ସ ଷ୍ଟାଡିୟମ’ କରାଯାଇଛି। ପୂର୍ବରୁ ନୀରଜ ଭାରତୀୟ ସେନାରେ ସୁବେଦାର ପଦରେ କାର୍ଯ୍ୟରତ ଥିଲେ। ସେ ଟୋକିଓ ଅଲିମ୍ପିକ୍ସରେ ଐତିହାସିକ ସ୍ୱର୍ଣ୍ଣ ପଦକ ଜିତିବା ପରେ ଭାରତୀୟ ସେନା ତାଙ୍କ ସମ୍ମାନ ପାଇଁ ଏହି ନିଷ୍ପତ୍ତି ନେଇଛି।

ଟୋକିଓରେ ସଫଳତା ପାଇବା ପରେ ସମଗ୍ର ଦେଶ ନୀରଜଙ୍କୁ ନେଇ ଗର୍ବ ଅନୁଭବ କରୁଛି। ଏଥିପାଇଁ ବିଭିନ୍ନ ମହଲରୁ ନୀରଜଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି।

Comment