ଓଡ଼ିଶାଲାଇଭ୍ ବ୍ୟୁରୋ

  • ଏସିଆନ ଗେମ୍ସ ଜାଭଲିନ ଥ୍ରୋରେ ଭାରତକୁ ଡବଲ ସଫଳତା
  • ନୀରଜ ଚୋପ୍ରାଙ୍କୁ ସ୍ଵର୍ଣ୍ଣ, ରୌପ୍ୟ ପଦକ ଜିତିଲେ ଓଡ଼ିଆ ପୁଅ କିଶୋର ଜେନା
  • ୮୭.୫୪ ମିଟର ଜାଭଲିନ ଫିଙ୍ଗି ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ କଲେ କିଶୋର

ଚୀନର ହାଙ୍ଗଝୌଉରେ ଚାଲିଥିବା ୧୯ତମ ଏସିଆନ ଗେମ୍ସ ଜାଭଲିନ ଥ୍ରୋରେ ଚମକିଛନ୍ତି ଭାରତୀୟ ଆଥଲେଟ। ଏହି ଇଭେଣ୍ଟରେ ଭାରତର ନୀରଜ ଚୋପ୍ରା ସ୍ଵର୍ଣ୍ଣ ପଦକ ଜିତିଛନ୍ତି। ଏହାସହ ଓଡ଼ିଆ ପୁଅ କିଶୋର ଜେନା ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ ସହ ରୌପ୍ୟ ପଦକ ଜିତି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି।  

ନୀରଜ ଚୋପ୍ରା ୮୮.୮୮ ମିଟର ଜାଭଲିନ ଫିଙ୍ଗି ପ୍ରଥମ ହୋଇଥିବାବେଳେ କିଶୋର ଜେନା ୮୭.୫୪ ମିଟର ଜାଭଲିନ ଫିଙ୍ଗି ଦ୍ଵିତୀୟରେ ରହିଥିଲେ। ଏହା କିଶୋରଙ୍କ କ୍ରୀଡ଼ା ଜୀବନର ସର୍ବଶ୍ରେଷ୍ଠ ପ୍ରଦର୍ଶନ।

ବୁଧବାର ଅପରାହ୍ଣରେ ଜାଭଲିନ ଥ୍ରୋର ଫାଇନାଲ ଅନୁଷ୍ଠିତ ହୋଇଥିଲା। ଏଥିରେ ନୀରଜ ଚୋପ୍ରା ଭଲ କରୁଥିବାବେଳେ ତାଙ୍କ ପଥ ଅନୁସରଣ କରିଥିଲେ କିଶୋର। ସେ ନିଜ ପ୍ରଥମ ଥ୍ରୋରେ ୮୧.୨୬ ମିଟର ଜାଭଲିନ ଫିଙ୍ଗିଥିଲେ। ଏହାପରେ ସେ ନିଜର ଦ୍ଵିତୀୟ ଥ୍ରୋରେ ୭୯.୭୬ ମିଟର, ତୃତୀୟରେ ୮୬.୭୭ ମିଟର ଏବଂ ଚତୁର୍ଥ ଥ୍ରୋରେ ୮୭.୫୪ ମିଟର ଜାଭଲିନ ଫିଙ୍ଗିଥିଲେ।    

ଏସିଆନ ଗେମ୍ସର ଭଲ ପ୍ରଦର୍ଶନ କରି କିଶୋର ଜେନା ୨୦୨୪ ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ଆଗକୁ ମଧ୍ୟ ସେ ନିଜର ପ୍ରଦର୍ଶନକୁ ଆହୁରି ଉନ୍ନତ କରିବେ ବୋଲି ରାଜ୍ୟର କ୍ରୀଡ଼ାପ୍ରେମୀମାନେ ଆଶା ରଖିଛନ୍ତି।

Tags: #AsianGames2023 #JavelinThrow #NeerajChopra #KishoreJena #Sports #Odisha #India

Comment