ଓଡ଼ିଶାଲାଇଭ୍ ବ୍ୟୁରୋ

ଚଳିତ ବର୍ଷ ଟୋକିଓ ପାରାଲିମ୍ପିକ୍ସରେ ଇତିହାସ ରହିଛନ୍ତି ଅବନୀ ଲେଖାର। ପ୍ରଥମେ ୧୦ମିଟର ଏୟାର ରାଇଫଲରେ ସ୍ଵର୍ଣ୍ଣ ପଦକ ଜିତିଥିଲେ ଆଉ ଏବେ ୫୦ମିଟର ରାଇଫଲ ପ୍ରତିଯୋଗିତାରେ ଜିତିଛନ୍ତି ବ୍ରୋଞ୍ଜ ପଦକ। ଏଥିସହ ଭାରତର ପଦକ ସଂଖ୍ୟା ୧୨କୁ ବୃଦ୍ଧି ପାଇଛି। ଭାରତର ପ୍ରଥମ ଆଥଲେଟ୍ ଭାବରେ ଅବନୀ ଲେଖାର ଗୋଟିଏ ପରାଲିମ୍ପିକ୍ସରେ ଦୁଇଟି ପଦକ ହାସଲ କରିବାରେ ସକ୍ଷମ ହୋଇପାରିଛନ୍ତି।

ଟୋକିଓ ପାରାଲିମ୍ପିକ୍ସରେ ଗୋଟିଏ ପରେ ଗୋଟିଏ ପଦକ ସାଉଣ୍ଟିବାରେ ଲାଗିଛି ଭାରତ। ୨୦୧୬ ରିଓ ପାରାଲିମ୍ପିକ୍ସରେ ଭାରତର ଖେଳାଳିମାନେ ସମୁଦାୟ ୪ପଦକ ଦେଶକୁ ଉପହାର ଦେଇଥିବାବେଳେ, ଚଳିତ ବର୍ଷ ଟୋକିଓ ପାରାଲିମ୍ପିକ୍ସରେ ଖେଳାଳିମାନେ ଆଜି ସୁଦ୍ଧା ୧୨ ପଦକ ଦେଶକୁ ଉପହାର ଦେଇସାରିଛନ୍ତି। ସେଥିମଧ୍ୟରୁ ୨ଟି ସ୍ଵର୍ଣ୍ଣ, ୬ଟି ରୌପ୍ୟ, ୪ଟି ବ୍ରୋଞ୍ଜ ପଦକ ରହିଛି। ସେମାନଙ୍କ ଉନ୍ନତମାନର ପ୍ରଦର୍ଶନ ପାଇଁ ଆଜି ଦେଶ ଗର୍ବିତ।ସେପଟେ ଶୁକ୍ରବାର ଖେଳାଯାଇଥିବା ହାଇ ଜମ୍ପ ପ୍ରତିଯୋଗିତାରେ ରୌପ୍ୟ ପଦକ ଜିତିଛନ୍ତି ପ୍ରବୀଣ କୁମାର। ନୋଏଡାର ୧୮ ବର୍ଷୀୟ ପ୍ରବୀଣ କୁମାର ପୁରୁଷ ହାଇ ଜମ୍ପ ଟି୪୪ ବର୍ଗରେ ୨.୦୭ ମିଟର ଜମ୍ପ କରି ଦ୍ଵିତୀୟ ସ୍ଥାନ ଅଧିକାର କରିଛନ୍ତି। ତାଙ୍କ ବିପକ୍ଷରେ ଖେଳୁଥିଲେ ଗ୍ରେଟ୍ ବ୍ରିଟେନ୍‌ର ବ୍ରୁମ୍ ଏଡୱାର୍ଡସ୍ ଜୋନାଥନ।

ପ୍ରବୀଣଙ୍କ ସଫଳତା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ କରି ଶୁଭେଚ୍ଛା ଜଣାଇଛନ୍ତି। ଏହା ପୂର୍ବରୁ ହାଇ ଜମ୍ପରେ ଟି୬୩ରେ ଭାରତର ଖେଳାଳି ମରିୟପ୍ପନ ଥଙ୍ଗାବେଲୁ ସିଲଭର୍ ମେଡାଲ ଜିତିଥିଲେ। ସେହିପରି ଶରଦ କୁମାର କାଂସ୍ୟ ପଦକ ଜିତିଥିଲେ। ନିଷାଦ କୁମାର ଟି୪୭ରେ ଏସିୟ ରେକର୍ଡ ସହ ରୌପ୍ୟ ପଦକ ଜିତିଥିଲେ।

Comment