ଓଡ଼ିଶାଲାଇଭ୍‌ ବ୍ୟୁରୋ

ଟୋକିଓ ପାରାଅଲିମ୍ପିକ୍ସରେ ଭାରତର ଅବନି ଲେଖାର ଇତିହାସ ରଚିଛନ୍ତି। ପାରାଅଲିମ୍ପିକ୍ସରେ ସୁଟିଂରେ ପ୍ରଥମ ଭାରତୀ ଯବୁତୀ ଭାବେ ସେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ୧୦ ମିଟର ଏୟାର ରାଇଫଲରେ ସେ ଏହି ସଫଳତା ହାସଲ କରିଛନ୍ତି। ପଦକ ପାଇବା ପରେ ଅବନି ଏହାକୁ ଦେଶବାସୀଙ୍କୁ ସମର୍ପିତ କରିଛନ୍ତି।

‘‘ପ୍ରତ୍ୟେକ ଆଥଲେଟ୍ ପଦକ ଜିତିବା ପାଇଁ ଖେଳିଥାଏ। ଗତ ୫ ବର୍ଷ ହେଲା ମୁଁ ଏହି ମୁହୂର୍ତ୍ତର ଅପେକ୍ଷା କରିଥିଲି। ଏହି ପଦକ ମୋର ନୁହେଁ, ସମଗ୍ର ଦେଶର’’, କହିଛନ୍ତି ଅବନି।

ସେପଟେ ଅବନିଙ୍କ ଏହି ସଫଳତା ପାଇଁ ରାଜସ୍ଥାନ ସରକାର ତାଙ୍କୁ ପ୍ରଶଂସା କରିଛନ୍ତି। ତାଙ୍କୁ ୩ କୋଟି ଟଙ୍କା ଆର୍ଥିକ ପୁରସ୍କାର ଦେବାକୁ ଘୋଷଣା କରିଛନ୍ତି। ଏହାଛଡ଼ା ରାଜ୍ୟ ସରକାରଙ୍କ ବନ ବିଭାଗରେ ତାଙ୍କୁ ଏସିଏଫ୍‌ ପଦବୀରେ ନିଯୁକ୍ତି ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଘୋଷଣା କରିଛନ୍ତି।

୨୦୦୧, ନଭେମ୍ବର ୮ରେ ଜନ୍ମିତ ଅବନି ରାଜସ୍ଥାନର ଜୟପୁର ବାସିନ୍ଦା । ୨୦୧୨ରେ ଯେତେବେଳେ ଅବନି ୧୧ ବର୍ଷର ହୋଇଥିଲେ ସେତେବେଳେ ତାଙ୍କର ଏକ କାର୍‌ ଦୁର୍ଘଟଣା ଘଟିଥିଲା। ଏଥିରେ ତାଙ୍କ ମେରୁଦଣ୍ଡ ଉପରେ ଆଘାତ ପଡ଼ିଥିଲା। ସେବେଠୁ ହ୍ୱିଲ୍‌ ଚେୟାରରେ ବସିଛନ୍ତି ଅବନି।

ଭାରତୀୟ ସୁଟର ଭାବେ ଅବନି ଆଜି ଯେଉଁ ସଫଳତା ପାଇଛନ୍ତି ସେଥିରେ ତାଙ୍କ ବାପାଙ୍କର ବଡ଼ ଭୂମିକା ରହିଛି। କାରଣ ଅବନି ପାଠ ପଢ଼ିବା ସହିତ ଖେଳ ପ୍ରତି ଧ୍ୟାନ ଦିଅନ୍ତୁ ବୋଲି ତାଙ୍କ ବାପା ଚାହୁଁଥିଲେ। ବାପାଙ୍କଠାରୁ ପ୍ରେରଣା ପାଇବା ପରେ ଅବନି ୨୦୧୫ରୁ ଜୟପୁର ଜଗତପୁରା ସ୍ପୋଟର୍ସ କମ୍ଲେକ୍ସରୁ ସୁଟିଂ ଟ୍ରେନିଂ ନେବା ଆରମ୍ଭ କରିଥିଲେ।

ଟ୍ରେନିଂ ମାସକ ପରେ ରାଜସ୍ଥାନ ଷ୍ଟେଟ୍‌ ଚାମ୍ପିଅନସିପରେ ଭାଗ ନେଇଥିଲେ ଅବନି। ଏଥିରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ସବୁଠୁ ଆଶ୍ଚର୍ଯ୍ୟର କଥା ଏହି ପ୍ରତିଯୋଗିତାରେ ଭାଗ ନେବା ପାଇଁ ସେ ତାଙ୍କ କୋଚ୍‌ଙ୍କ ରାଇଫଲ ନେଇଥିଲେ। ୨୦୧୬ରୁ ୨୦୨୦ ମଧ୍ୟରେ ଅବନି ନ୍ୟାସନାଲ ସୁଟିଂ ଚାମ୍ପିଅନସିଫରେ ୫ ଥର ସ୍ୱର୍ଣ୍ଣ ପଦକ ଜିତିଛନ୍ତି।

Comment