ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତ ପାଇଁ ଗର୍ବ ଓ ଗୌରବର ବିଷୟ। ଟୋକିଓ ପାରାଲିମ୍ପିକ୍ସରେ ଲଗାତାର ଦୁଇ ଦିନରେ ଭାରତୀୟ ଖେଳାଳିମାନେ ଦେଶକୁ ୭ ପଦକ ଉପହାର ଦେଲେଣି। ସୋମବାର ପାରା ଆଥଲେଟ ଅବନୀ ଲେଖାର ବନ୍ଧୁକ ଚାଳନାରେ ଭଲ ପ୍ରଦର୍ଶନ କରି ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି। ଅବନୀଙ୍କ ଏହି ପଦକ ଚଳିତ ବର୍ଷ ପାରାଲିମ୍ପିକ୍ସରେ ଦେଶକୁ ଦେଇଛି ପ୍ରଥମ ସ୍ଵର୍ଣ୍ଣ। ତାଙ୍କ ପଦକକୁ ମିଶାଇ ଏ ପର୍ଯ୍ୟନ୍ତ ଭାରତ ଭାଗରେ ଗୋଟିଏ ସ୍ଵର୍ଣ୍ଣ, ଚାରୋଟି ରୌପ୍ୟ, ଦୁଇଟି ବ୍ରୋଞ୍ଜ ପଦକ ପଡ଼ିଛି। ତେବେ ପାରାଲିମ୍ପିକ୍ସରେ ଆଗକୁ ଦେଶ ଆହୁରି ପଦକ ହାସଲ କରିବ ବୋଲି ସମସ୍ତେ ଆଶାବାଦୀ।

ଟୋକିଓ ପାରାଲିମ୍ପିକ୍ସର ଟେବୁଲ ଟେନିସ ପ୍ରତିଯୋଗିତାରେ ପାରା ଆଥଲେଟ୍ ଭାବିନା ପଟେଲ ପ୍ରଥମ ପଦକ ଜିତି ଦେଶ ପାଇଁ ପଦକ ଖାତା ଖୋଲିଥିଲେ। ଏହାପରେ ଅନ୍ୟ ଆଥଲେଟ୍ ନିଶାଦ କୁମାର, ବିନୋଦ କୁମାର, ଦେବେନ୍ଦ୍ର ଝାଝଡ଼ିଆ, ସୁନ୍ଦର ସିଂ ଗୁର୍ଜର, ଯୋଗେଶ କୁଥୁନିୟା, ଅବନୀ ଲେଖାର ଭିନ୍ନ ଭିନ୍ନ ପ୍ରତିଯୋଗିତାରେ ସ୍ଵର୍ଣ୍ଣ, ରୌପ୍ୟ, ବ୍ରୋଞ୍ଜ ପଦକ ହାସଲ କରିଛନ୍ତି।

ଅବନୀ ଲେଖାର

ଟୋକିଓ ପାରାଲିମ୍ପିକ୍ସରେ ଅବନୀ ଲେଖାର ବନ୍ଧୁକ ଚାଳନା ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ୧୯ବର୍ଷୀୟ ଏହି ସୁଟର, ୧୦ମିଟର ଏୟାର ରାଇଫଲର କ୍ଲାସ୍ ଏସଏଚ-୧ରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ସବୁଠାରୁ ଗର୍ବର ବିଷୟ ପାରାଲିମ୍ପିକ୍ସ ଇତିହାସରେ ଭାରତକୁ ବନ୍ଧୁକ ଚାଳନା ପ୍ରତିଯୋଗିତାରେ ପ୍ରଥମ ସ୍ୱର୍ଣ୍ଣ ପଦକ ମିଳିଛି।ଯୋଗେଶ କଥୁନିଆ

ପାରାଲିମ୍ପିକ୍ସରେ ଭଲ ପ୍ରଦର୍ଶନ କରି ଯୋଗେଶ କଥୁନିଆ ହାତେଇଛନ୍ତି ରୌପ୍ୟ ପଦକ। ପୁରୁଷ ଡିସକସ୍ ଥ୍ରୋ ପ୍ରତିଯୋଗିତାରେ ସେ ଏହି ପଦକ ଜିତିଛନ୍ତି। ସେ ପୁରୁଷ ଡିସକସ୍ ଥ୍ରୋ ୫୬ ଫାଇନାଲରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। ସୋମବାର ଷଷ୍ଠ ତଥା ଶେଷ ପ୍ରୟାସରେ (୪୪.୩୮ମିଟର) ଶ୍ରେଷ୍ଠ ପ୍ରଦର୍ଶନ କରି ପଦକ ବିଜେତା ହୋଇପାରିଛନ୍ତି।

ଦେବେନ୍ଦ୍ର ଝାଝଡ଼ିଆ ଓ ସୁନ୍ଦର ସିଂ ଗୁର୍ଜର

ଜାଭେଲିନ୍‌ ଥ୍ରୋରେ ଦେବେନ୍ଦ୍ର ଓ ସୁନ୍ଦରଙ୍କ କମାଲକୁ ପ୍ରଶଂସା କରୁଛି ଦେଶ। ଟୋକିଓ ପାରାଲିମ୍ପିକ୍ସରେ ଦେବେନ୍ଦ୍ର ଝାଝାରିଆ ଏବଂ ସୁନ୍ଦର ସିଂ ଗୁର୍ଜର ଜାଭେଲିନ୍ ଥ୍ରୋ ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ କରି ଦେଶକୁ ଦୁଇଟି ପଦକ ଉପହାର ଦେଇଛନ୍ତି। ଦେବେନ୍ଦ୍ର ଝାଝାରିଆ ରୌପ୍ୟ ପଦକ ଜିତିଥିବାବେଳେ ସୁନ୍ଦର ସିଂ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି।

ସୋମବାର ହୋଇଥିବା ଜାଭେଲିନ ଥ୍ରୋରେ ଦେବେନ୍ଦ୍ର ଝାଝାରିଆ ୬୪.୩୫ ମିଟର ଏବଂ ସୁନ୍ଦର ସିଂ ୬୪.୦୧ ମିଟର ଥ୍ରୋ କରିଥିଲେ। ରିଓ ପାରାଲିମ୍ପିକ୍ସ ୨୦୧୬ରେ ଦେବେନ୍ଦ୍ର ଝାଝାରିଆ ସ୍ୱର୍ଣ୍ଣ ପଦକ ଜିତିଥିବାବେଳେ ଚଳିତ ବର୍ଷ ତାଙ୍କୁ ରୌପ୍ୟରେ ସନ୍ତୁଷ୍ଟ ହେବାକୁ ପଡ଼ିଛି।ଭାବିନା ପଟେଲ

ରବିବାର ଦିନ ପାରାଲିମ୍ପିକ୍ସର ଟେବୁଲ ଟେନିସ ପ୍ରତିଯୋଗିତାରେ ରୌପ୍ୟ ପଦକ ହାସଲ କରିଥିଲେ ଭାବିନା ପଟେଲ। ଫାଇନାଲ ରାଉଣ୍ଡରେ ସେ ଚୀନ ଖେଳାଳି ୟିଙ୍ଗ ଝୋଙ୍କୁ ଭେଟିଥିଲେ। ପାରାଲିମ୍ପିକ୍ସ ଟେବୁଲ ଟେନିସରେ ପଦକ ଜିତିବାରେ ଭାବିନା ହେଉଛନ୍ତି ପ୍ରଥମ ଭାରତୀୟ। ତାଙ୍କ ସଫଳତାରେ ସମଗ୍ର ଗୁଜରାଟ ଉତ୍ସବମୁଖର ହୋଇପଡ଼ିଥିଲା। ପରିବାରଠାରୁ ଆରମ୍ଭ କରି ବନ୍ଧୁ, କ୍ରୀଡ଼ାପ୍ରେମୀ ସମସ୍ତଙ୍କ ଭିତରେ ଖୁସିର ମାହୋଲ ଦେଖିବାକୁ ମିଳିଥିଲା। ଅନ୍ୟପକ୍ଷରେ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ମଧ୍ୟ ଟୁଇଟ ଯୋଗେ ଭାବିନାଙ୍କୁ ଶୁଭେଚ୍ଛା ଜଣାଇଥିଲେ।

ନିଶାଦ କୁମାର

ଟୋକିଓ ପାରାଲିମ୍ପିକ୍ସରେ ଭାରତକୁ ରୌପ୍ୟ ପଦକ ଉପହାର ଦେଇଛନ୍ତି ଆଥଲେଟ୍ ନିଶାଦ କୁମାର। ସେ ପୁରୁଷ ବର୍ଗର ହାଇ ଜମ୍ପରେ ରୌପ୍ୟ ପଦକ ହାସଲ କରିଛନ୍ତି। ଫାଇନାଲ ରାଉଣ୍ଡରେ ସେ ୨.୦୬ ମିଟର ହାଇ ଜମ୍ପ କରିଥିଲେ। ତେବେ ସେ ତିନି ଥର ପ୍ରୟାସ କରି ମଧ୍ୟ ୨.୦୯ ମିଟର ଉଚ୍ଚତାର ହାଇ ଜମ୍ପ କରିବାରେ ଅସଫଳ ହୋଇଥିଲେ। ଏହାଫଳରେ ତାଙ୍କୁ ଶେଷରେ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା।ବିନୋଦ କୁମାର

ପାରା ଆଥଲେଟ ବିନୋଦ କୁମାର ଡିସକସ୍ ଥ୍ରୋରେ ବ୍ରୋଞ୍ଜ ପଦକ ଜିତିଛନ୍ତି। ସେ ପ୍ରଥମ ପୟାସରେ ୧୭.୪୬ ମିଟର ଥ୍ରୋ କରିଥିଲେ। ସେହିପରି ଦ୍ୱିତୀୟ ପ୍ରୟାସରେ ୧୮.୩୨ ମିଟର ଚତୁର୍ଥରେ୧୯.୨୦ ମିଟର ଓ ପଞ୍ଚମ ଥ୍ରୋରେ ୧୯.୯୧ ମିଟର ଥ୍ରୋ କରିଥିଲେ। ପଞ୍ଚମ ଥ୍ରୋ ପାଇଁ ତାଙ୍କୁ ବ୍ରୋଞ୍ଜ ପଦକ ମିଳିଥିଲା।

Comment