ଓଡ଼ିଶାଲାଇଭ୍ ବ୍ୟୁରୋ

ସୁନା ପୁଅ ପ୍ରମୋଦ ଭଗତଙ୍କ ପାଇଁ ପୁରସ୍କାର ରାଶି ଘୋଷଣା କରିଛନ୍ତି ରାଜ୍ୟ ସରକାର। ଟୋକିଓ ପାରାଲିମ୍ପିକ୍ସରେ ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବାରୁ ରାଜ୍ୟ ସରକାର ତାଙ୍କୁ ୬ କୋଟି ଟଙ୍କା ପୁରସ୍କାର ରାଶି ସହ ଗ୍ରୁପ ‘ଏ’ ସରକାରୀ ଚାକିରି ଯୋଗାଇ ଦେବେ ବୋଲି ଘୋଷଣା କରିଛନ୍ତି।

ଟୋକିଓ ପାରାଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଲେ ଅର୍ଥରାଶି ସାଙ୍ଗକୁ ଗ୍ରୁପ ‘ଏ’ ସରକାରୀ ଚାକିରି ଯୋଗାଇ ଦେବାକୁ ପୂର୍ବରୁ କହିଥିଲେ ରାଜ୍ୟ ସରକାର। ସେହି ଘୋଷଣା ଅନୁସାରେ ପ୍ରମୋଦ ଭୁବନେଶ୍ଵର ଫେରିବା ପରେ ତାଙ୍କୁ ସମ୍ବଦ୍ଧର୍ନା ସହ ଚେକ୍ ଏବଂ ନିଯୁକ୍ତି ପତ୍ର ଦିଆଯିବ ବୋଲି ସରକାରଙ୍କ ପକ୍ଷରୁ ସୂଚନା ମିଳିଛି।

ନିକଟରେ ଟୋକିଓରେ ଅନୁଷ୍ଠିତ ହୋଇଥିବା ପାରାଲିମ୍ପିକରେ ଭାଗ ନେଇଥିଲେ ଓଡ଼ିଆ ଖେଳାଳି ପ୍ରମୋଦ ଭଗତ। ବ୍ୟାଡମିଣ୍ଟନର ପୁରୁଷ ଏକକ ବର୍ଗ ଫାଇନାଲରେ ଭଲ ପ୍ରଦର୍ଶନ କରି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି।

ତଥ୍ୟ ଅନୁସାରେ, ଅଲିମ୍ପିକ୍ସ ଓ ପାରା ଅଲିମ୍ପିକ୍ସରେ ପଦକ ବିଜେତାଙ୍କୁ ପୁରସ୍କାର ଦିଆଯିବ ବୋଲି ପୂର୍ବରୁ ଘୋଷଣା କରାଯାଇଥିଲା। ତେବେ ସ୍ୱର୍ଣ୍ଣ ପଦକ ବିଜେତାଙ୍କୁ ୬ କୋଟି, ରୌପ୍ୟ ବିଜେତାଙ୍କୁ ୪ କୋଟି ଓ ବ୍ରୋଞ୍ଜ ପଦକ ବିଜେତାଙ୍କୁ ୨ କୋଟି ୫୦ ଲକ୍ଷ ଟଙ୍କା ଦିଆଯିବା ନେଇ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଥିଲା।

ଏହା ପୂର୍ବରୁ ଘୋଷଣା ଅନୁସାରେ ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ହାସଲ କରିଥିବା ଦୁଇ ହକି ତାରକା ଅମିତ ରୋହିଦାସ, ବିରେନ୍ଦ୍ର ଲାକ୍ରାଙ୍କୁ ୨ କୋଟି ୫୦ ଲକ୍ଷ ଲେଖାଏଁ ପୁରସ୍କାର ରାଶି ସାଙ୍ଗକୁ ଓଡ଼ିଶା ପୋଲିସରେ ଡିଏସ୍‌ପି ପଦବୀରେ ଅବସ୍ଥାପିତ ପାଇଁ ନିଯୁକ୍ତି ପତ୍ର ଦେଇଥିଲେ ମୁଖ୍ୟମନ୍ତ୍ରୀ।

Comment