ଅଭିପ୍‌ସା ବରାଳ

କେରଳରେ ଆୟୋଜିତ ପ୍ରଥମ ପାରା ମାଷ୍ଟର୍ସ ଜାତୀୟ ଇନଡୋର କ୍ରୀଡ଼ାରେ ସ୍ଵର୍ଣ୍ଣ ପଦକ ହାସଲ କରିଥିବା ବ୍ୟାଡମିଣ୍ଟନ ତାରକା ଦୀପ ରଞ୍ଜନ ବିଶୋଇଙ୍କ ସହ ଓଡ଼ିଶାଲାଇଭ୍‌ର ସ୍ଵତନ୍ତ୍ର ସାକ୍ଷାତକାର।

“ଘରର ବଡ଼ ପୁଅ ହୋଇଥିବାରୁ ବାପା ଚାଲିଗଲା ପରେ ପରିବାରର ସମସ୍ତ ଦାୟିତ୍ଵ ମୋ ଉପରେ ରହିଥିଲା। ସେତେବେଳକୁ ମୋର ଯୁକ୍ତ ଦୁଇ ପଢ଼ା ସରିଥାଏ। କେମିତି ପରିବାର ଚଳେଇବି କିଛି ଜାଣିପାରୁନଥାଏ। ମତେ ସାହାଯ୍ୟ ସହଯୋଗ କରିବାକୁ ମଧ୍ୟ କେହି ନଥାନ୍ତି। ସେହି ପରିସ୍ଥିତିରେ ମୋ ନିଜକୁ ଓ ପରିବାରକୁ ସମ୍ଭାଳିବା ଛଡ଼ା ମୋ ପାଖରେ ଅନ୍ୟ କୌଣସି ରାସ୍ତା ନଥିଲା। ବଞ୍ଚିବାକୁ ତ’ ପଡ଼ିବ, ଆଉ ଏଥିପାଇଁ ରୋଜଗାର ବି ନିହାତି ଆବଶ୍ୟକ। ତେଣୁ ମୁଁ ବାଧ୍ୟ ହୋଇ ସବୁ ଦୁଃଖ ଓ ଯନ୍ତ୍ରଣାକୁ ନିଜ ଭିତରେ ଚାପି ଦୁଇ ପଇସା ରୋଜଗାର କରିବା ପାଇଁ ବାହାରକୁ ବାହାରିଲି”, ‘ଓଡ଼ିଶାଲାଇଭ୍’କୁ କହିଛନ୍ତି ଦୀପ ରଞ୍ଜନ ବିଶୋଇ।

ସହଜରେ ମିଳିନଥାଏ ସଫଳତା। ଏଥିପାଇଁ ପ୍ରତ୍ୟେକ ମଣିଷକୁ କଠିନ ପରିଶ୍ରମ ସହ ଜୀବନରେ କିଛି ନା କିଛି ତ୍ୟାଗ କରିବାକୁ ପଡ଼ିଥାଏ। ଏହାର ବଳିଷ୍ଠ ଉଦାହରଣ ହେଉଛନ୍ତି ଓଡ଼ିଶାର ପାରା ବ୍ୟାଡମିଣ୍ଟନ ତାରକା ଦୀପ ରଞ୍ଜନ ବିଶୋଇ। ଅଭାବ ଅନଟନରେ ଦିନ କାଟିଥିବା ଦୀପ ରଞ୍ଜନ ଏବେ ଓଡ଼ିଶା କ୍ରୀଡ଼ା ଜଗତର ଏକ ସୁପରିଚିତ ଖେଳାଳି। ଆଜି ଦୀପଙ୍କ ସଫଳତାଙ୍କୁ ନେଇ ଗର୍ବ କରୁଛି ସାରା ଓଡ଼ିଶା।

ରାଉରକେଲାର ଫର୍ଟିଲାଇଜର ଟାଉନସିପରେ ଦୀପ ରଞ୍ଜନଙ୍କ ଘର। ତାଙ୍କ ବାପା ଥିଲେ ଜଣେ ଠିକା ଶ୍ରମିକ ଏବଂ ପରିବାରର ଏକ ମାତ୍ର ରୋଜଗାରିଆ ବ୍ୟକ୍ତି। ପରିବାର କହିଲେ ଦୀପ ତାଙ୍କ ବାପା, ମା’ ଓ ସାନ ଭାଇ। ବାପାଙ୍କର ଏତେଟା ରୋଜଗାର ନଥିଲେ ବି ଦୁଇ ପୁଅଙ୍କୁ ପଢ଼ାରେ କେବେ ଅବହେଳା କରିନଥିବା କହିଛନ୍ତି ଦୀପ। ତୁଳସୀ ଦୁଇ ପତ୍ରରୁ ବାସିଲା ଭଳି ପିଲାବେଳୁ ଦୀପଙ୍କ ଗୁଣକୁ ପରିବାର ଲୋକେ ଜାଣିପାରିଥିଲେ। କିନ୍ତୁ ଆଗକୁ କିଛି କରିବା ଓ ଶିଖିବାରେ ଇଚ୍ଛା ଥିଲେ ମଧ୍ୟ ଅର୍ଥ ବାଧକ ସାଜିଥିଲା। ଯେଉଁଥିପାଇଁ ତାଙ୍କୁ ଥରେ ନୁହେଁ ବହୁବାର ଅନେକ କିଛି ହରେଇବାକୁ ପଡ଼ିଛି। ଆଉ ଏହି ହାରିବା ଓ ହରାଇବାର ଯନ୍ତ୍ରଣା ତାଙ୍କୁ ପରୋକ୍ଷରେ ଦୃଢ଼ ହେବା ପାଇଁ ଶକ୍ତି ଯୋଗଇଥିଲା।

‘ବାପାଙ୍କ ମୃତ୍ୟୁ ପରେ ଟ୍ୟୁସନ କରି ପରିବାର ଚଳାଇଲି’

ଗୁରୁତର ଅସୁସ୍ଥତା କାରଣରୁ ୨୦୦୪ ମସିହାରେ ଆଖି ବୁଜିଥିଲେ ଦୀପ ରଞ୍ଜନଙ୍କ ବାପା ରାମ ଚନ୍ଦ୍ର ବିଶୋଇ। ତା’ପରେ ଦୀପଙ୍କ ଉପରେ ପରିବାରର ଦାୟିତ୍ଵ। ଘର ଚଳାଇବା ପାଇଁ ସେ ବାଧ୍ୟ ହୋଇ କିଛି ପିଲାଙ୍କୁ ଟ୍ୟସନ କରିବା ଆରମ୍ଭ କଲେ। ସେହି ରୋଜଗାରରେ ପରିବାର ଚଳାଇବା କଷ୍ଟ ହୋଇପଡ଼ିଲା। ତେଣୁ ସେ ପାର୍ଟ ଟାଇମ ଚାକିରି କଲେ। କିନ୍ତୁ ସେହି ରୋଜଗାର ବି ପରିବାର ଚଳାଇବାରେ ସେତେଟା ସହାୟ ହୋଇପାରିନଥିଲା କହିଛନ୍ତି ଦୀପ ରଞ୍ଜନ।“ପଇସା ଅଭାବରୁ ମେଡିକାଲ ପଢ଼ି ପାରିଲିନି”

ଦୀପ ରଞ୍ଜନ କହିଛନ୍ତି, “ପାଠ ପଢ଼ିବା ତ’ ଦୂରର କଥା, ମୁଠାଏ ଖାଇବା ପାଇଁ ଅନେକ କଷ୍ଟ କରିବାକୁ ପଡ଼ୁଥିଲା। ବାପାଙ୍କ ରୋଜଗାରରେ ୬ ମାସ ଚଳିଲେ ଆଉ ୬ ମାସ ଧାର କରଜ କରି ଚଳିବାକୁ ପଡୁଥିଲା। ତା’ ଭିତରେ ବି ମୁଁ ମୋ ପଢ଼ା ଜାରି ରଖିଥିଲି।”

ସେ ଆଉ ମଧ୍ୟ କହିଛନ୍ତି, “ମୁଁ ଜଣେ ମେଧାବୀ ଛାତ୍ର ଥିଲି। ତେଣୁ ଘର ଲୋକ ଚାହୁଁଥିଲେ ମୁଁ ଡାକ୍ତରଟିଏ ହୁଏ। ଏଥିପାଇଁ ମୁଁ ନିଜକୁ ପ୍ରସ୍ତୁତ କରି ମେଡିକାଲ ପ୍ରବେଶିକା ପରୀକ୍ଷା ମଧ୍ୟ ଦେଇଥିଲି। କିନ୍ତୁ ମୋ ଭାଗ୍ୟରେ ବୋଧହୁଏ ଡାକ୍ତର ହେବା ନଥିଲା। ଭଲ ରାଙ୍କ ରଖି ପାସ୍ କରିଥିଲେ ବି ପଇସା ଅଭାବରୁ ମେଡିକାଲ ପଢ଼ିପାରିଲି ନାହିଁ। ସେଇ ଗୋଟିଏ ଦୁଃଖ ମୋ ମନରେ ରହିଗଲା”

କ୍ରିକେଟ ପ୍ରତି ରୁଚି ରହିଥିଲା

“ମୁଁ ଦିବ୍ୟାଙ୍ଗ ହୋଇଥିଲେ ବି କ୍ରିକେଟ ବହୁତ ଖେଳୁଥିଲି। କ୍ରିକେଟ ଖେଳ ପ୍ରତି ଏତେ ଆଗ୍ରହ ଥିଲା ଯେ, ମା’ ଶୋଇବାପରେ ଲୁଚିକି ଖେଳିବା ପାଇଁ ପଳାଉଥିଲି। ଏମିତିକି ମୋ ଅଞ୍ଚଳରେ କ୍ରିକେଟ ମତେ ଏକ ପରିଚୟ ଦେଇଥିଲା। ଫର୍ଟିଲାଇଜର କ୍ରିକେଟ ଟିମର କ୍ୟାପ୍ଟେନ ଥିଲି। କିନ୍ତୁ ଘର ଲୋକ ଚାହୁଁଥିଲେ ଖେଳ ଛାଡ଼ି ପାଠ ପଢ଼ାରେ ଧ୍ୟାନ ଦେଇ ଡାକ୍ତରଟିଏ ହେଉ”, କହିଛନ୍ତି ଦୀପ ରଞ୍ଜନ।

ସେ ଆଉ ମଧ୍ୟ କହିଛନ୍ତି, “ବାପା ଚାଲିଗଲା ପରେ ଘରର ଦାୟିତ୍ଵ ଆସିବାରୁ ବାଧ୍ୟ ହୋଇ କ୍ରିକେଟ ଖେଳିବା ଛାଡ଼ିଥିଲି। ଘରର ଆର୍ଥିକ ଅବସ୍ଥା ଭଲ ନଥିବାରୁ ଏକା ସାଙ୍ଗରେ ଖେଳ ଓ କାମ ଉପରେ ଫୋକସ୍ କରିପାରିଲିନାହିଁ।”

“୫୦୦ ଟଙ୍କା ପାଇଁ ଏସବିଆଇରେ ଚାକିରି କରିବା ସ୍ଵପ୍ନ ଅଧାରେ ରହିଗଲା”

ବ୍ୟାଡମିଣ୍ଟନ ଖେଳାଳିଟିଏ ହେବାପୂର୍ବରୁ ଅନେକ କିଛି କିରିବାକୁ ଚେଷ୍ଟା କରିଥିଲେ ଦୀପ ରଞ୍ଜନ। କେତେବେଳେ ପିଲାଙ୍କୁ ପଢ଼ାଇବା ତ’ ପୁଣି କେତେବେଳେ କେଉଁ କମ୍ପାନିରେ ପାର୍ଟ ଟାଇମ କାମ କରି ରୋଜଗାର କରିବାକୁ ସେ ଚେଷ୍ଟା କରିଥିଲେ ବି କୌଣସି କାର୍ଯ୍ୟ ତାଙ୍କୁ ଆତ୍ମତୃପ୍ତି ଦେଇପାରିନଥିଲା। ସେହିପରି ଥରେ ସେ ଏସବିଆଇର ଏକ ପରୀକ୍ଷା ଦେଇଥିଲେ। ଯେଉଁଥିପାଇଁ ତାଙ୍କୁ ସମ୍ବଲପୁର ଯିବାକୁ ଥିଲା। କିନ୍ତୁ ସେଠାକୁ ଯିବା ପାଇଁ ପାଖରେ ୫୦୦ଟଙ୍କା ନଥିବାରୁ ସେ ଯାଇପାରିନଥିଲେ। ଯାହାଫଳରେ କି ଦୀପ ରଞ୍ଜନଙ୍କ ଏସବିଆଇରେ ଚାକିରି କରିବା ସ୍ଵପ୍ନ ଅଧାରେ ରହିଗଲା।ଜୀବନର ମୋଡ଼ ବଦଳେଇଥିଲା ବ୍ୟାଙ୍କ ଚାକିରି

“ଅଚାନକ ଗୋଟେ ମେଲ୍ ପାଇଲି, ଆଉ ସେଟା ଥିଲା ମୋର ବ୍ୟାଙ୍କ ଚାକିରିର ଅଫର୍ ଲେଟର୍। ସାଙ୍ଗେସାଙ୍ଗେ ଏହି ଖବର ମୁଁ ମୋ ସାନ ଭାଇକୁ ଦେଇଥିଲି। ଏହା ଶୁଣି ସେ ଆଉ ମୋ ମା’ ଖୁସିରେ ଆାତ୍ମହରା ହୋଇଯାଇଥିଲେ। ସମସ୍ତଙ୍କ ପାଟିରେ ଗୋଟିଏ କଥା, ଆଜିଠାରୁ ଆମ ଦୁଃଖ ଦୂର ହୋଇଗଲା। ଏଣିକି ଆମେ ଅନ୍ୟମାନଙ୍କ ଭଳି ଭଲରେ ଚଳି ପାରିବା। ସେହି ମୁହୂର୍ତ୍ତର ଖୁସିକୁ ମୁଁ ଆଜି ପର୍ଯ୍ୟନ୍ତ ଭୁଲି ପାରିନି”, ଭାବବିହ୍ଵଳ ହୋଇ କହିଛନ୍ତି ଦୀପ ରଞ୍ଜନ।

ବ୍ୟାଡମିଣ୍ଟନ ଦେଇଛି ସ୍ଵତନ୍ତ୍ର ପରିଚୟ

ଓଡ଼ିଶାର ପାରା ବ୍ୟାଡମିଣ୍ଟନ ଖେଳାଳି ଭାବେ ଅନ୍ତର୍ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଛନ୍ତି ଦୀପ ରଞ୍ଜନ ବିଶୋଇ। ନିକଟରେ କେରଳରେ ଖେଳାଯାଇଥିବା ପ୍ରଥମ ପାରା ମାଷ୍ଟର୍ସ ଜାତୀୟ ଇନଡୋର କ୍ରୀଡ଼ାରେ ଦୁଇଟି ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି ଦୀପ। ୩୫ ବର୍ଷରୁ ଅଧିକ ଏସଏଲ ୪ ବର୍ଗ ଫାଇନାଲରେ ୨୧-୧୨, ୨୧-୮ ପଏଣ୍ଟରେ କେରଳର ଜିତନ ଜିକୁସ ଥୋମାସଙ୍କୁ ହରାଇ ଏହି ପଦକ କବ୍ଜା କରିପାରିଛନ୍ତି। ସେହିପରି ୨୦୧୭ରେ ହାଇଦ୍ରାବଦରେ ଖେଳାଯାଇଥିବା ଜାତୀୟ ରାଙ୍କିଙ୍ଗ ଟୁର୍ଣ୍ଣାମେଣ୍ଟରେ ସିଙ୍ଗଲସରେ ରୌପ୍ୟ ପଦକ ଓ ଡବଲସରେ ସ୍ଵର୍ଣ୍ଣ ପଦକ ହାସଲ କରିଥିଲେ। ସେହି ବର୍ଷ ଜାତୀୟ କ୍ରୀଡ଼ାରେ ଏକ ବ୍ରୋଞ୍ଜ ପଦକ ପାଇଥିଲେ। ଦୁବାଇରେ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟରେ ବ୍ରୋଞ୍ଜ ହାସଲ କରିବା ସହ ସମୁଦାୟ ୪ଟି ଇଭେଣ୍ଟରେ ୬ଟି ମେଡାଲ ହାସଲ କରିଛନ୍ତି ଦୀପ ରଞ୍ଜନ।

ଶରୀର ଅସୁସ୍ଥତା କାରଣରୁ ଚଳିତ ବର୍ଷ ସେ ପାରା ଅଲିମ୍ପିକ୍ସରେ ଖେଳିପାରିନଥିଲେ। କିନ୍ତୁ ଆଗକୁ ଅଲିମ୍ପିକ୍ସ ସ୍ଵପ୍ନ ନିଶ୍ଚିତ ପୂରା କରିବେ ବୋଲି ସେ ଲକ୍ଷ୍ୟ ରଖିଛନ୍ତି। ଚାକିରି କରିବା ସତ୍ତ୍ଵେ ତା’ ଭିତରୁ ସମୟ କାଢ଼ି ପ୍ରତିଦିନ ସେ ୬ରୁ ୮ ଘଣ୍ଟା ବ୍ୟାଡମିଣ୍ଟନ ଅଭ୍ୟାସ କରୁଛନ୍ତି।

ମୋ ସ୍ତ୍ରୀ ମୋ ପାଇଁ ‘ଲକି ଚାମ୍ପ’

କଥାରେ ଅଛି, ଗୋଟେ ପୁରୁଷର ସଫଳତା ପଛରେ ଜଣେ ସ୍ତ୍ରୀର ହିଁ ହାତ ରହିଥାଏ। ସେହିପରି ଦୀପ ରଞ୍ଜନଙ୍କ ସଫଳତା ପଛରେ ତାଙ୍କ ପତ୍ନୀ ସେବାଶ୍ରୀଙ୍କ ହାତ ରହିଥିବା ସେ କହିଛନ୍ତି। ସେ ତାଙ୍କ ପତ୍ନୀଙ୍କୁ ସ୍ନେହରେ ଜୁଲି ଡାକନ୍ତି। ସେବାଶ୍ରୀ ଏବେ ଆରବିଆଇ ଅଧୀନରେ କାର୍ଯ୍ୟ କରୁଛନ୍ତି।

ଦୀପ କୁହନ୍ତି, “ସରକାରୀ ଚାକିରି ପାଇବା ପାଇଁ କେମିତି ଆବେଦନ କରାଯାଏ ତାହା ମୁଁ ଜାଣିନଥିଲି। ମୋ ପତ୍ନୀ ମୋର ଆବେଦନ କରିଥିଲେ। ତେଣୁ ମୋ ପତ୍ନୀଙ୍କ ପାଇଁ ମୁଁ ଆଜି ସରକାରୀ ଚାକିରି ଖଣ୍ଡେ କରିପାରିଛି।”

ଦୀପ ରଞ୍ଜନ ଓ ସେବାଶ୍ରୀ ପ୍ରେମ ବିବାହ କରିଛନ୍ତି। ‘ବ୍ୟାଙ୍କ ଅଫ ବରୋଦା’ରେ ତାଲିମ ନେବା ସମୟରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ପରେ ଉଭୟ ପରିବାରର ସହମତିକ୍ରମେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ବୋଲି କହିଛନ୍ତି ଦୀପ। ଏବେ ସେମାନେ ବହୁତ ଖୁସି ଅଛନ୍ତି ଏବଂ ଉଭୟଙ୍କର ଛଅ ମାସର ଏକ କନ୍ୟା ସନ୍ତାନ ମଧ୍ୟ ଅଛି।

Comment