ସରୋଜ କୁମାର ମହାପାତ୍ର

୨୦୧୪ ନିର୍ବାଚନ ପରେ ରାଉରକେଲା ବିଧାନସଭା ଆସନରେ ପୁଣିଥରେ ବିଜେଡି ପ୍ରାର୍ଥୀ ସାରଦା ପ୍ରସାଦ ନାୟକ ଏବଂ ବିଜେପି ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କ ଭିତରେ ବଡ଼ ଲଢ଼େଇ ହେବାକୁ ଯାଉଛି।

୨୦୨୪ ନିର୍ବାଚନ ଯେତିକି ନିକଟତର ହେଉଛି ସେହି କ୍ରମରେ ଓଡ଼ିଶା ରାଜନୀତି ପାଣିପାଗ ଗରମ ହେଉଛି। ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରାର୍ଥୀ ତାଲିକା ଘୋଷଣା ହେବା ପରେ ଏଥର ନିର୍ବାଚନ ମଇଦାନରେ କିପରି ରୋଚକ ଲଢ଼େଇ ହେବ ତା’ର ଚିତ୍ର ମଧ୍ୟ ଧୀରେ ଧୀରେ ସ୍ପଷ୍ଟ ହେଉଛି। ଏହାରି ଭିତରେ ରାଉରକେଲା ବିଧାନସଭା ଆସନ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି। ୨୦୧୪ ଭଳି ୨୦୨୪ରେ ରାଉରକେଲା ପୁଣିଥରେ ବଡ଼ ଲଢ଼େଇ ଦେଖିବାକୁ ଯାଉଛି। ଏଥର ରାଉରକେଲା ଆସନ ବିଜେଡି ଖାତାରେ ରହିବ ନା ବିଜେପି ଛଡ଼ାଇ ନେବ ତା’ ଉପରେ ସମସ୍ତଙ୍କ ନଜର ରହିଛି।

ରାଉରକେଲା ଓଡ଼ିଶାର ଦ୍ୱିତୀୟ ସ୍ମାର୍ଟ ସିଟି। ଏହାକୁ ଇସ୍ପାତ ନଗରୀ ମଧ୍ୟ ଲୋକେ କହିଥାନ୍ତି। ସୁନ୍ଦରଗଡ଼ ଜିଲ୍ଲାର ଏହି ପ୍ରମୁଖ ବିଧାନସଭା ଆସନରେ ବିଜେଡି ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି ସାରଦା ପ୍ରସାଦ ନାୟକ। ସେହିପରି ବିଜେପି ଦିଲ୍ଲୀପ ରାୟଙ୍କୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ ବୀରେନ୍ଦ୍ରନାଥ ପଟ୍ଟନାୟକଙ୍କୁ ନିର୍ବାଚନ ମଇଦାନକୁ ଓହ୍ଲାଇଛି। ଏହି ତିନି ପ୍ରାର୍ଥୀଙ୍କ ଭିତରୁ ବିଜେଡି ଓ ବିଜେପି ଭିତରେ ପ୍ରମୁଖ ଲଢ଼େଇ ହେବ ବୋଲି ଆକଳନ କରାଯାଉଛି। ତେବେ କିଏ କେତେ ଭୋଟ ବ୍ୟବଧାନରେ ରାଉରକେଲାର ବିଜୟ ମୁକୁଟ ପିନ୍ଧୁଛନ୍ତି ତାହା ହିଁ ଦେଖିବାର କଥା।

କ’ଣ ରହିଛି ରାଉରକେଲା ଗଣିତ

ରାଉରକେଲା ସହର ସହିତ କଲୁଙ୍ଗା ଶିଳ୍ପାଞ୍ଚଳ ଏବଂ ବିଶ୍ରା ବ୍ଲକର ଦୁଇଟି ଗ୍ରାମପଞ୍ଚାୟତକୁ ନେଇ ରାଉରକେଲା ବିଧାନସଭା ଆସନ ଗଠନ କରାଯାଇଛି। ଏଠାରେ ଶିକ୍ଷିତ ଏବଂ ସଚେତନ ଭୋଟରଙ୍କ ସଂଖ୍ୟା ଅଧିକ। ତେଣୁ ଏଠାକାର ଭୋଟର ନିର୍ବାଚନ ବେଳେ ଦଳ ଅପେକ୍ଷା ବ୍ୟକ୍ତିତ୍ୱକୁ ଦେଖି ଭୋଟ ଦେଇଥାନ୍ତି। ଏହାର ପ୍ରମାଣ ୧୯୬୭ରୁ ୨୦୧୯ ପର୍ଯ୍ୟନ୍ତ ହୋଇଥିବା ନିର୍ବାଚନ ଫଳାଫଳକୁ ଦେଖିଲେ ସ୍ପଷ୍ଟ ଜଣାପଡୁଛି।

୧୯୬୭ରେ ପ୍ରଜା ସୋସାଲିଷ୍ଟ ପାର୍ଟିରୁ ରାଜକିଶୋର ସାମନ୍ତରାୟ ନିର୍ବାଚିତ ହୋଇଥିବା ବେଳେ ୧୯୭୧ରେ ଓଡ଼ିଶା ଜନ କଂଗ୍ରେସରୁ ଶ୍ୟାମ ସୁନ୍ଦର ମହାପାତ୍ର, ୧୯୭୪ରେ କଂଗ୍ରେସରୁ ଧନଜା ମହାନ୍ତି, ୧୯୭୭ରେ ଜନତା ପାର୍ଟିରୁ ବ୍ରଜ କିଶୋର ମହାନ୍ତି, ୧୯୮୦ରେ କଂଗ୍ରେସ (ଆଇ)ରୁ ଗୁରୁପଦ ନନ୍ଦ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।

୧୯୮୫ରେ ଜନତା ପାର୍ଟିରୁ ଦିଲ୍ଲୀପ ରାୟ ଏବଂ ୧୯୯୦ରେ ଜନତା ଦଳରୁ ପୁଣି ଦିଲ୍ଲୀପ ରାୟ ନିର୍ବାଚିତ ହୋଇଥିଲେ। ୧୯୯୫ରେ କଂଗ୍ରେସ ଏଠି ଖାତା ଖୋଲିଥିଲା। ପ୍ରଭାତ ମହାପାତ୍ର ବିଧାୟକ ହୋଇଥିଲେ। ସେହିପରି ୨୦୦୦ ମସିହାରେ ରାଉରକେଲା ଆସନ ବିଜେଡି ଖାତାକୁ ଯାଇଥିଲା। ଅଜିତ ଦାସ ବିଜେଡିର ପ୍ରଥମ ବିଧାୟକ ହୋଇଥିଲେ।

୨୦୦୪ ନିର୍ବାଚନରେ ଏଠି ବିଜେଡି ପ୍ରାର୍ଥୀ ବଦଳାଇ ସାରଦା ପ୍ରସାଦ ନାୟକଙ୍କୁ ଟିକେଟ୍ ଦେଇଥିଲା। ସେ ୨୦୦୪ ଓ ୨୦୦୯ରେ ବିଧାୟକ ହୋଇଥିଲେ। ୨୦୧୪ରେ ଏହି ଆସନ ବିଜେପି ହାତକୁ ଯାଇଥିଲା। ଏଠି ଦିଲ୍ଲୀପ ରାୟ ବିଜେଡି ପ୍ରାର୍ଥୀଙ୍କୁ ହରାଇ ବିଧାନସଭାକୁ ଯାଇଥିଲେ। ହେଲେ ୨୦୧୯ରେ ଦିଲ୍ଲୀପ ପ୍ରାର୍ଥୀ ହୋଇ ନଥିଲେ। ଏହି ନିର୍ବାଚନରେ ବିଜେଡିରୁ ସାରଦା ନାୟକ ଏଠାରୁ ଜିତିଥିଲେ। ନବୀନ ପଟ୍ଟନାୟକଙ୍କ ସରକାରର ଶେଷ ଭାଗରେ ସେ ମନ୍ତ୍ରୀ ପଦ ପାଇଥିଲେ।

ପୁଣି ସାରଦା – ଦିଲ୍ଲୀପ ଲଢ଼େଇ

ଦିଲ୍ଲୀପ ରାୟ ରାଉରକେଲାର ଜଣେ ଜଣାଶୁଣା ନେତା। ବିଜୁ ପଟ୍ଟନାୟକଙ୍କ ସମୟରୁ ରାଜ୍ୟ ରାଜନୀତିରେ ତାଙ୍କର ପ୍ରଭାବ ରହିଛି। ସେ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ରହିବା ସହିତ ରାଉରକେଲାରୁ ତିନି ତିନି ଥର ବିଧାୟକ ଭାବେ ନିର୍ବାଚିତ ମଧ୍ୟ ହୋଇଛନ୍ତି। ବିଜେଡି ଗଠନ ବେଳେ ମଧ୍ୟ ତାଙ୍କର ପ୍ରମୁଖ ଭୂମିକା ରହିଥିଲା। ହେଲେ ୨୦୦୦ ମସିହା ପରେ ଦିଲ୍ଲୀପ ବିଜେଡିରୁ ନିଲମ୍ବିତ ହେବା ପରେ ରାଉରକେଲା ରାଜନୀତିରେ ପଟ୍ଟ ପରିବର୍ତ୍ତନ ହୋଇଥିଲା। ଦିଲ୍ଲୀପଙ୍କ ପରେ ରାଉରକେଲା ରାଜନୀତିରେ ସାରଦାଙ୍କ ଭାଗ୍ୟ ଉଦୟ ହୋଇଥିଲା।

ବିଜେଡିରୁ ନିଲମ୍ବିତ ହେବା ପରେ ରାଉରକେଲା ରାଜନୀତିଠାରୁ ବହୁ ଦୂରରେ ରହିଥିଲେ ଦିଲ୍ଲୀପ। କିନ୍ତୁ ୨୦୧୪ ମସିହାରେ ସେ ବିଜେପି ଟିକେଟ ନେଇ ରାଉରକେଲାକୁ ଫେରିଥିଲେ। ସଙ୍ଗଠନ ସଜାଡ଼ି ସେ ବିଜେଡି ପ୍ରାର୍ଥୀ ସାରଦା ନାୟକଙ୍କ ସହ ଲଢ଼େଇ କରିଥିଲେ। ଦୁଇ ପ୍ରାର୍ଥୀଙ୍କ ଭିତରେ କଡ଼ା ଟକ୍କର ହୋଇଥିଲା। ଶେଷରେ ଦିଲ୍ଲୀପ ୧୧ ହଜାର ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ।

୨୦୧୯ରୁ ୨୦୨୪ – ଏହି ପାଞ୍ଚ ବର୍ଷର ବ୍ୟବଧାନ ପରେ ଦିଲ୍ଲୀପ ପୁଣି ସକ୍ରିୟ ରାଜନୀତିକୁ ଓହ୍ଲାଇଛନ୍ତି। ତାଙ୍କ ଉପରେ ବିଜେପି ନେତୃତ୍ୱ ପୁଣି ଭରସା କରିଥିବାରୁ ଏଥର ଲଢ଼େଇ ଜୋରଦାର ହେବ ବୋଲି କୁହାଯାଉଛି।

କଂଗ୍ରେସ ଏଠି ପୁଣିଥରେ ପ୍ରାର୍ଥୀ ବଦଳାଇଛି। ୨୦୧୯ରେ ବୀରେନ ସେନାପତି ଏଠାରେ ପ୍ରାର୍ଥୀ ହୋଇ ୧୩ ହଜାରରୁ ଅଧିକ ଭୋଟ ପାଇଥିଲେ। ହେଲେ ଏଥର ବୀରେନ୍ଦ୍ରନାଥ ପଟ୍ଟନାୟକଙ୍କୁ ଦଳ ପ୍ରାର୍ଥୀ କରିଛି। ଗତ କିଛି ମାସ ତଳେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ୋ ଯାତ୍ରା ସୁନ୍ଦରଗଡ଼ ଜିଲ୍ଲା ଛୁଇଁଥିଲା। ତେଣୁ ଏହାର ପ୍ରଭାବ ଚଳିତ ନିର୍ବାଚନରେ ପଡ଼ିବ ବୋଲି କୁହାଯାଉଥିଲେ ମଧ୍ୟ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱିତା ସାରଦା-ଦିଲ୍ଲୀପଙ୍କ ଭିତରେ ହେବା ସ୍ପଷ୍ଟ ହୋଇଯାଇଛି।

ନବୀନଙ୍କ ଯୋଜନା ବନାମ ମୋଦୀ ଫ୍ୟାକ୍ଟର

୨୦୨୪ ନିର୍ବାଚନରେ ରାଉରକେଲା ବିଧାନସଭା ଆସନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ୟାକ୍ଟରର ଏକ ଲଢ଼େଇ ହେବ ବୋଲି କୁହାଯାଉଛି। ଗତ ପାଞ୍ଚ ବର୍ଷ ରାଜ୍ୟ ସରକାର ରାଉରକେଲା ସହରରେ ଯେଉଁ ଜନକଲ୍ୟାଣ ଯୋଜନା କରିଛନ୍ତି ତାକୁ ଆଧାରକରି ବିଜେଡି ଭୋଟରଙ୍କ ପାଖକୁ ଯିବ ବୋଲି ରଣନୀତି ପ୍ରସ୍ତୁତ କରିଛି। ତା’ଭିତରେ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ, ବିମାନ ବନ୍ଦର, ବେଦବ୍ୟାସ ପୀଠର ଉନ୍ନତିକରଣ ଏବଂ ସ୍ମାର୍ଟ ସିଟି ପ୍ରକଳ୍ପ ସହିତ ଅନ୍ୟାନ୍ୟ ଯୋଜନା ରହିଛି। ସେହିପରି ବ୍ରାହ୍ମଣୀ ଦ୍ୱିତୀୟ ସେତୁ ଏବଂ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାକୁ ନେଇ ବିଜେପି ଭୋଟରଙ୍କ ପାଖକୁ ଯିବ ବୋଲି ସଜବାଜ ହେଉଛି।

ଏପଟେ ଦିଲ୍ଲୀପ ରାୟ ପ୍ରାର୍ଥୀ ହେବା ପରେ ଗଣମାଧ୍ୟମକୁ କହିଛନ୍ତି, ରାଉରକେଲା ସହରର ଯେପରି ବିକାଶ ହେବା କଥା ତାହା ହୋଇନାହିଁ। ପ୍ରମୁଖ ରାସ୍ତାଘାଟକୁ ଛାଡ଼ିଦେଲେ ବସ୍ତି ଏବଂ ବିଭିନ୍ନ କଲୋନିକୁ ଆଜି ପର୍ଯ୍ୟନ୍ତ ଭଲ ରାସ୍ତା ସଂଯୋଗ ହୋଇପାରିଲାନି। ସେହିପରି ରାଉରକେଲାକୁ ମହାନଗର ନିଗମ ମାନ୍ୟତା ମଳିଥିଲେ ମଧ୍ୟ କାହିଁକି ଏଠାରେ ନିର୍ବାଚନ ହେଉନାହିଁ ତାକୁନେଇ ସେ ଭୋଟରଙ୍କ ପାଖକୁ ଯିବେ ବୋଲି କହିଛନ୍ତି।

ବିଜେଡି ପ୍ରାର୍ଥୀ ସାରଦା ପ୍ରସାଦ ନାୟକ କହିଛନ୍ତି, ବିଜୁ ପଟ୍ଟନାୟକଙ୍କ ପରେ ନବୀନ ପଟ୍ଟନାୟକ ରାଉରକେଲାର ବିକାଶକୁ ସବୁବେଳେ ପ୍ରାଥମିକତା ଦେଇ ଆସିଛନ୍ତି। ତାଙ୍କ ସରକାର ସମୟରେ ରାଉରକେଲା ସହରର ବହୁତ ଉନ୍ନତି ହୋଇଛି। ତେଣୁ ଲୋକମାନେ ଏଥର ପୁଣି ବିଜେଡି ଉପରେ ଭରସା କରିବେ।

Tags: #OdishaAssemblyElections #Rourkela #SaradaNayak #DillipRay #BirendranathPattnaik #BJD #BJP #Congress #Politics #Odisha

Comment