ଓଡ଼ିଶାଲାଇଭ୍‌ ବ୍ୟୁରୋ

• ମେ’ ୧୯ ତାରିଖ ଯାଏଁ ‘ଇଣ୍ଡିଆ ସ୍କିଲ୍ସ’ ପ୍ରତିଯୋଗିତା
• ଜାତୀୟ ସ୍ତରରେ ପ୍ରତିଭା ଦେଖାଇବେ ଓଡ଼ିଆ ଛାତ୍ରଛାତ୍ରୀ
• ୪୮ଟି ସ୍କିଲରେ ଦକ୍ଷତା ଦେଖାଇବେ ୬୪ ଜଣ ପ୍ରତିଯୋଗୀ

(ଭୁବନେଶ୍ୱର): ବିଭିନ୍ନ ବିଷୟରେ ଭାରତର ଯୁବପିଢ଼ିଙ୍କ ଦକ୍ଷତାର ପ୍ରଦର୍ଶନ ଲାଗି ପ୍ରତି ଦୁଇ ବର୍ଷରେ ଥରେ ‘ଇଣ୍ଡିଆ ସ୍କିଲ୍ସ’ ପ୍ରତିଯୋଗିତା କରାଯାଉଛି। ଚଳିତ ବର୍ଷ ମେ’ ୧୫ରୁ ୧୯ ଯାଏଁ ଏହି ଜାତୀୟସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିରେ ‘ଓଡ଼ିଶା ସ୍କିଲ୍ସ’ରୁ ଶ୍ରେଷ୍ଠ ବିବେଚିତ ହୋଇଥିବା ୬୪ ଜଣ ପ୍ରତିଯୋଗୀ ଭାଗ ନେବେ।

ଚଳିତ ଥର ନୂଆଦିଲ୍ଲୀ, ବେଙ୍ଗାଳୁରୁ, ମଣିପାଲ ଏବଂ ଗାନ୍ଧୀନଗର ଭଳି ଦେଶର ଏହି ୪ଟି ପ୍ରମୁଖ ସହରରେ ‘ଇଣ୍ଡିଆ ସ୍କିଲ୍ସ’ ପ୍ରତିଯୋଗିତାର ଆୟୋଜନ କରାଯାଉଛି।

ଭାରତ ସରକାରଙ୍କ ଦକ୍ଷତା ବିକାଶ ଏବଂ ଉଦ୍ୟମଶୀଳତା ମନ୍ତ୍ରାଳୟ ଅଧୀନରେ ଥିବା ଜାତୀୟ ଦକ୍ଷତା ବିକାଶ ନିଗମ (ଏନଏସଡିସି) ଦ୍ୱାରା ‘ଇଣ୍ଡିଆ ସ୍କିଲ୍ସ’ କାର୍ଯ୍ୟକ୍ରମ କରାଯାଉଛି। ଏହି ଜାତୀୟ ସ୍ତରର ଦକ୍ଷତାଭିତ୍ତିକ ପ୍ରତଯୋଗିତାରେ ଭାଗ ନେବା ଲାଗି ମଙ୍ଗଳବାର ଦିନ ଓଡ଼ିଶାର ପ୍ରତିଯୋଗୀମାନେ ଯାଇଛନ୍ତି।

ଏହି ପ୍ରତିଯୋଗୀମାନଙ୍କୁ ବିଶ୍ୱ ଦକ୍ଷତା କେନ୍ଦ୍ରର ଅଧ୍ୟକ୍ଷ ଟି ଥମ୍ବିରାଜା ଏବଂ ଉପାଧ୍ୟକ୍ଷ ଡକ୍ଟର ଶୁଭଙ୍ଗ କିଶୋର ଦାସ ଶୁଭେଚ୍ଛା ଜଣାଇଛନ୍ତି।

‘ଇଣ୍ଡିଆ ସ୍କିଲ୍ସ’ରେ ମୋବାଇଲ ରୋବୋଟିକ୍ସ, ଇନଫରମେସନ୍ ନେଟୱାର୍କ କେବଲିଂ, ଇଣ୍ଡଷ୍ଟ୍ରିଆଲ କଣ୍ଟ୍ରୋଲ, ମୋବାଇଲ ଆପ୍ଲିକେସନ୍ ଡେଭଲପମେଣ୍ଟ୍, ସାଇବର ସିକ୍ୟୁରିଟି ଭଳି ୪୮ଟି ସ୍କିରେ ଓଡ଼ିଶାର ପ୍ରତିଯୋଗୀମାନେ ସେମାନଙ୍କ ଦକ୍ଷତା ପ୍ରଦର୍ଶନ କରିବେ। ଏଠାରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀମାନେ ସେପ୍ଟେମ୍ବର ମାସରେ ଫ୍ରାନ୍ସରେ ହେବାକୁ ଥିବା ‘ୱାର୍ଲ୍ଡ ସ୍କିଲ୍ସ’ ପ୍ରତିଯୋଗିତାରେ ନିଜର ଦକ୍ଷତା ଦେଖାଇବାର ସୁଯୋଗ ପାଇବେ।

‘ଇଣ୍ଡିଆ ସ୍କିଲ୍ସ’ ପୂର୍ବରୁ ‘ଓଡ଼ିଶା ସ୍କିଲ୍ସ’ ପ୍ରତିଯୋଗିତା ମାର୍ଚ୍ଚ ୧୨ରୁ ୧୪ ତାରିଖ ଯାଏଁ ଚାଲିଥିଲା। ବିଶ୍ୱ ଦକ୍ଷତା କେନ୍ଦ୍ର ସହିତ ଭୁବନେଶ୍ୱର ଓ କଟକର ମୋଟ ୮ଟି କେନ୍ଦ୍ରରେ ଏହି ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ରାଜ୍ୟର ବିଭିନ୍ନ ବୈଷୟିକ ଶିକ୍ଷାନୁଷ୍ଠାନରେ ପଢ଼ୁଥିବା ୮୦୦ରୁ ଅଧିକ ଛାତ୍ରଛାତ୍ରୀ ଏଥିରେ ଅଂଶଗ୍ରହଣ କରିଥିଲେ। ୬ଟି ପ୍ରମୁଖ କ୍ଷେତ୍ରରେ ମୋଟ ୪୫ଟି ସ୍କିଲକୁ ନେଇ ଏହି ପ୍ରତିଯୋଗିତା ହୋଇଥିଲା।

ଓଡ଼ିଶା ସ୍କିଲ୍ସରୁ ଶ୍ରେଷ୍ଠ ବିବେଚିତ ଛାତ୍ରଛାତ୍ରୀଙ୍କ ଭିତରୁ ୬୪ ଜଣ ଇଣ୍ଡିଆ ସ୍କିଲ୍ପରେ ଭାଗ ନେଉଛନ୍ତି। ତେଣୁ ଏମାନେ ଜାତୀୟସ୍ତରରେ ମଧ୍ୟ ନିଜର ପାରଦର୍ଶିତା ଦେଖାଇ ଓଡ଼ିଶା ପାଇଁ ଗର୍ବ ଆଣିବେ ବୋଲି ସମସ୍ତେ ଆଶାବାଦୀ ଅଛନ୍ତି।

Tags: SkilledInOdisha #IndiaSkills #OdishaSkills #Worldskillcenter

LEAVE A REPLY

Please enter your comment!
Please enter your name here