ଓଡ଼ିଶାଲାଇଭ୍ ବ୍ୟୁରୋ

  • ୧୭ଟି ରାଜ୍ୟରୁ ୪୮ ପ୍ରତିଯୋଗୀ
  • ଭାରତୀୟ ଦଳରେ ୩ ଓଡ଼ିଆ
  • ୫୦୦ରୁ ଅଧିକ ଜିଲ୍ଲାରୁ ପ୍ରାର୍ଥୀ ଚୟନ

ୱାର୍ଲ୍ଡ ସ୍କିଲ୍ସ ଅନ୍ତର୍ଜାତୀୟ ପ୍ରତିଯୋଗିତା ଲାଗି ଭାରତ ସରକାରଙ୍କ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ପକ୍ଷରୁ ୪୮ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ଏହି ପ୍ରତିଯୋଗିତା ରୁଷର କାଜାନଠାରେ ଆସନ୍ତା ୨୨ରୁ ୨୭ ପର୍ଯ୍ୟନ୍ତ ଚାଲିବ।

ଭାରତୀୟ ଦଳରେ ୩ ଜଣ ଓଡ଼ିଆ ପ୍ରତିଯୋଗୀଙ୍କୁ ସ୍ଥାନ ମିଳିଛି। ସେମାନେ ହେଲେ ସିଏନସି ଟର୍ଣ୍ଣିଂ ବର୍ଗରେ ଅବିନାଶ ସ୍ୱାଇଁ, ଏମ-କ୍ୟାଡ ବର୍ଗରେ ଜେନୋଫୋନ ଦାସ ଓ ଜଳ ପ୍ରଯୁକ୍ତି ବା ୱାଟର ଟେକ୍‌ନୋଲୋଜିରେ ଏସ୍‌ ଅଶ୍ୱଥ ନାରାୟଣ। ଏହି ବିଶାଳ ଇଭେଣ୍ଟରେ ମୋଟ ୫୫ଟି ବର୍ଗରେ ଦକ୍ଷତା ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିରେ ୬୦ଟି ଦେଶରୁ ୧୫୦୦ ପ୍ରତିଯୋଗୀ ଭାଗ ନେବେ। ମୋବାଇଲ ରୋବୋଟିକ୍ସ, ପ୍ରୋଟୋଟାଇପ ମଡେଲିଂ, ହେୟାର ଡ୍ରେସିଂ, ବେକିଂ, କନଫେକ୍ସନାରୀ ଓ ପାଟିସେରୀ, ୱେଲ୍ଡିଂ, ବ୍ରିକ୍ ଲେୟିଂ, କାର ପେଣ୍ଟିଂ, ଫ୍ଲୋରିଷ୍ଟ୍ରି ଆଦି କ୍ଷେତ୍ରରେ ପ୍ରତିଯୋଗୀମାନେ ସେମାନଙ୍କ ଦକ୍ଷତା ପ୍ରଦର୍ଶନ କରିବେ।

ଦକ୍ଷତା ବିକାଶ ମନ୍ତ୍ରାଳୟ ଅଧିନ ଜାତୀୟ ଦକ୍ଷତା ବିକାଶ ନିଗମ (ଏନଏସଡିସି) ଏହି ସମ୍ମାନଜନକ ପ୍ରତିଯୋଗିତାରେ ୨୦୧୧ଠାରୁ ଭାରତୀୟ ପ୍ରତିନିଧି ଦଳର ନେତୃତ୍ୱ ନେଇ ଆସୁଛି। ୨୦୧୭ରେ ଆବୁଧାବିରେ ଅନୁଷ୍ଠିତ ପ୍ରତିଯୋଗିତାରେ ଭାରତ ଗୋଟିଏ ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ ସମେତ ୯ଟି ପଦକ ହାସଲ କରିଥିଲା। ୫୬ଟି ଦେଶ ମଧ୍ୟରେ ଭାରତ ୧୯ତମ ସ୍ଥାନରେ ରହିଥିଲା।

ୱାର୍ଲ୍ଡ ସ୍କିଲ୍ସ ୨୦୧୯ ପ୍ରତିଯୋଗିତାରେ ଭାଗ ନେବା ନିମନ୍ତେ ଭାରତୀୟ ଦଳର ଚୟନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ୨୨ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ସହଯୋଗରେ ଆଞ୍ଚଳିକ, ରାଜ୍ୟସ୍ତରୀୟ ଏବଂ ଜାତୀୟ ପ୍ରତିଯୋଗିତାମାନ ଆୟୋଜନ କରାଯାଇ ୫୦୦ରୁ ଅଧିକ ଜିଲ୍ଲାରୁ ଏହି ପ୍ରତିଯୋଗୀମାନଙ୍କୁ ଚୟନ କରାଯାଇଛି। ଜୟପୁର, ଲକ୍ଷ୍ନୌ, ବେଙ୍ଗାଳୁରୁ ଓ ଭୁବନେଶ୍ୱରରେ ୪ଟି ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

Comment