ଓଡ଼ିଶାଲାଇଭ୍ ବ୍ୟୁରୋ

ଟୋକିଓ ଅଲିମ୍ପିକ୍ସରେ ଇତିହାସ ରଚିଛି ଭାରତୀୟ ମହିଳା ହକି ଟିମ୍। ପ୍ରଥମଥର ପାଇଁ ଅଷ୍ଟ୍ରେଲିଆକୁ ୧-୦ ରେ ହରାଇ ସେମିଫାଇନାଲରେ ନିଜର ସ୍ଥାନ ପକ୍କା କରିଛି ଭାରତୀୟ ଦଳ। ଏହି ସଫଳତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କ୍ରୀଡ଼ାବିତ୍ ଏବଂ ବିଭିନ୍ନ ବିଶିଷ୍ଟ ବ୍ୟକ୍ତି ଟୁଇଟ କରି ଆଥଲେଟମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।ଟୋକିଓରେ ଭାରତୀୟ ପୁରୁଷ ହକି ଦଳ ବିଜୟ ହାସଲ କରିବାପରେ ମହିଳା ଦଳ ମଧ୍ୟ ବିଜୟ ହାସଲ କରିଛନ୍ତି। ଅଲିମ୍ପିକ୍ସର ୧୧ତମ ଦିନରେ ଭାରତକୁ ମିଳିଛି ଏହି ଖୁସି ଖବର।

ଗୁରଜିତ୍‌ କୌର ମ୍ୟାଚର ୨୨ମିନିଟରେ ଏକ ଗୋଲ୍‌ ଦେଇ ଭାରତକୁ ଆଗୁଆ ରଖିଥିଲେ। ଅଷ୍ଟ୍ରେଲିଆ ଦଳ ୭ଟି ପେନାଲଟି କର୍ଣ୍ଣର ପାଇଥିବାବେଳେ ଗୋଟିଏ ବି ଗୋଲ୍‌ ଦେବାରେ ସଫଳ ହୋଇନଥିଲା ଏହି ମହିଳା ଦଳ। ଏମିତି ପ୍ରତିଯୋଗିତାର ଶେଷ ୪ମିନିଟରେ ମଧ୍ୟ ଅଷ୍ଟ୍ରେଲିଆ ଦଳକୁ ଦୁଇଟି ପେନାଲଟି କର୍ଣ୍ଣର ମିଳିଥିଲା। କିନ୍ତୁ ଭାରତୀୟ ଦଳର ପ୍ରତିଯୋଗୀମାନେ ତାଙ୍କୁ ଗୋଲ୍ କରିବାକୁ ଦେଇନଥିଲେ।ଶେଷରେ ଅଷ୍ଟ୍ରେଲିଆ ମହିଳା ଦଳକୁ କ୍ଵାର୍ଟର ଫାଇନାଲ ମୁକାବିଲାରେ ମାତ୍‌ ଦେଇ ସେମିଫାଇନାଲକୁ ପ୍ରବେଶ କରିଛି ଭାରତୀୟ ମହିଳା ହକି ଦଳ। ପ୍ରଥମଥର ପାଇଁ ଭାରତୀୟ ମହିଳା ହକି ଦଳ ଅଲିମ୍ପିକ୍ସର ସେମିଫାଇନାଲରେ ପ୍ରବେଶ କରିଛି। ଏହାପୂର୍ବରୁ ୧୯୮୦ ମସିହାରେ ଭଲ ପ୍ରଦର୍ଶନ କରିଥିଲା ଭାରତୀୟ ହକି ଦଳ।

୨୦୨୧ ଅଲିମ୍ପିକ୍ସରେ ଭାରତୀୟ କ୍ରୀଡ଼ା ଜଗତ ପାଇଁ ଖୁସିର ବିଷୟ ଯେ, ପ୍ରଥମ ଥର ପାଇଁ ଗୋଟିଏ ଅଲିମ୍ପିକ୍ସରେ ଉଭୟ ପୁରୁଷ ଓ ମହିଳା ଭାରତୀୟ ଦଳ ସେମିଫାଇନାଲରେ ନିଜର ସ୍ଥାନ ପକ୍କା କରିପାରିଛନ୍ତି।

Comment