ଓଡ଼ିଶାଲାଇଭ୍ ବ୍ୟୁରୋ

ଏସିଆନ ଗେମ୍ସ ତୀରନ୍ଦାଜୀ ପ୍ରତିଯୋଗିତାରେ ଗୁରୁବାର ଭାରତକୁ ମିଳିଛି ୨ଟି ସ୍ଵର୍ଣ୍ଣ ପଦକ। କମ୍ପାଉଣ୍ଡ ଆର୍ଚେରିର ଉଭୟ ପୁରୁଷ ଓ ମହିଳା ଟିମ ଇଭେଣ୍ଟରେ ଭାରତୀୟ ଖେଳାଳିମାନେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଏଥିସହ ଏସିଆନ ଗେମ୍ସରେ ଭାରତର ମୋଟ ସ୍ଵର୍ଣ୍ଣ ପଦକ ସଂଖ୍ୟା ୨୧ରେ ପହଞ୍ଚିଛି।

ଗୁରୁବାର ସକାଳେ ପ୍ରଥମେ କମ୍ପାଉଣ୍ଡ ଆର୍ଚେରିର ମହିଳା ଟିମ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଏଥିରେ ଭାରତର ୩ ଜଣ ଖେଳାଳି ଜ୍ୟୋତି ସୁରେଖା ଭେନମ, ଆଦିତି ଗୋପିଚାନ୍ଦ ସ୍ଵାମୀ ଓ ପରଣିତ କୌର ସାମିଲ ଥିଲେ। ଫାଇନାଲରେ ସେମାନେ ଚାଇନିଜ ତାଇପେ (ତାଇୱାନ) ଦଳକୁ ୨୩୦-୨୨୯ ସ୍କୋରରେ ପରାସ୍ତ କରିଥିଲେ।

ସେହିପରି ମହିଳା ଟିମ ପରେ ପୁରୁଷ ଟିମର କମ୍ପାଉଣ୍ଡ ଆର୍ଚେରି ଫାଇନାଲ ମ୍ୟାଚ ହୋଇଥିଲା। ଏଥିରେ ଭାରତୀୟ ଦଳ ଦକ୍ଷିଣ କୋରିଆ ସହ ଟକ୍କର ନେଇଥିଲା। ଦଳରେ ଅଭିଷେକ ବର୍ମା, ଓଜସ ପ୍ରବୀଣ ଦେଓତଲେ ଏବଂ ପ୍ରଥମେଶ ଯୱାକର ସାମିଲ ଥିଲେ। ସେମାନେ ଦକ୍ଷିଣ କୋରିଆକୁ ୨୩୫-୨୩୦ ସ୍କୋରରେ ପରାସ୍ତ କରି ସ୍ଵର୍ଣ୍ଣ ପଦକ ହାସଲ କରିଥିଲେ।

ଏହାପୂର୍ବରୁ ବୁଧବାର ହୋଇଥିବା କମ୍ପାଉଣ୍ଡ ଆର୍ଚେରି ମିକ୍ସଡ୍ ଟିମ ପ୍ରତିଯୋଗିତାରେ ଭାରତକୁ ସ୍ଵର୍ଣ୍ଣ ପଦକ ମିଳିଥିଲା। ଜ୍ୟୋତି ସୁରେଖା ଭେନମ ଏବଂ ଓଜସ ପ୍ରବୀଣ ଦେଓତଲେଙ୍କ ଯୋଡି ଫାଇନାଲରେ ଦକ୍ଷିଣ କୋରିଆକୁ ୧୫୯-୧୫୮ ସ୍କୋରରେ ହରାଇଥିଲେ।       

Tags: #AsianGames #CompoundArchery #Goldmedal #IndianTeam #Sports #India

Comment