ଓଡ଼ିଶାଲାଇଭ୍ ବ୍ୟୁରୋ

  • ୨୦୨୪ ଆଇସିସି ଟି-ଟ୍ୱେଣ୍ଟି ବିଶ୍ଵକପ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷିତ
  • ରୋହିତ ଶର୍ମା ଟିମ୍ ଇଣ୍ଡିଆର ଅଧିନାୟକ, ହାର୍ଦିକ ପାଣ୍ଡ୍ୟା ଉପଅଧିନାୟକ
  • ଟିମରେ ସାମିଲ ହେଲେ ରିଷଭ ପନ୍ତ ଓ ସଞ୍ଜୁ ସାମସନ, ବାଦ ପଡ଼ିଲେ କେଏଲ ରାହୁଲ

ଆଇସିସି ଟି-ଟ୍ୱେଣ୍ଟି ବିଶ୍ଵକପ ୨୦୨୪ ପାଇଁ ଘୋଷଣା ହୋଇଛି ଭାରତୀୟ ଦଳ। ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଟିମ୍ ଇଣ୍ଡିଆରେ ୧୫ ଜଣ ଖେଳାଳି ସାମିଲ ହୋଇଛନ୍ତି। ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ଦଳ ଟି-ଟ୍ୱେଣ୍ଟି ବିଶ୍ଵକପ ଖେଳିବ। ଏନେଇ ମଙ୍ଗଳବାର ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି।

ଆସନ୍ତା ଟି-ଟ୍ୱେଣ୍ଟି ବିଶ୍ୱକପରେ ହାର୍ଦିକ ପାଣ୍ଡ୍ୟାଙ୍କୁ ଟିମ୍ ଇଣ୍ଡିଆର ଉପଅଧିନାୟକ ଦାୟିତ୍ୱ ଦିଆଯାଇଛି। ଏହାସହ ଯଶସ୍ଵୀ ଜୟସ୍ଵାଲ୍, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ ସ୍କ୍ୱାର୍ଡରେ ସାମିଲ ହୋଇଛନ୍ତି। ଏହାସହ ଅଲରାଉଣ୍ଡର ଭାବେ ଶିଭମ ଦୁବେ ଓ ରବୀନ୍ଦ୍ର ଜାଡେଜାଙ୍କୁ ଟିମରେ ଚୟନ କରାଯାଇଛି।

ସେହିପରି ଆହତ ଯୋଗୁଁ ଭାରତୀୟ ଦଳରୁ ଦୂରେଇ ରହିଥିବା ଋଷଭ ପନ୍ତ ଦଳକୁ ଫେରିଛନ୍ତି। ଏହାସହ ଆଇପିଏଲରେ ଭଲ ପ୍ରଦର୍ଶନ କରୁଥିବା ସଞ୍ଜୁ ସାମସନ ୱିକେଟ କିପର ଭାବେ ଦଳରେ ସାମିଲ ହୋଇଛନ୍ତି।

ଅନ୍ୟପଟେ ଟି-ଟ୍ୱେଣ୍ଟି ବିଶ୍ଵକପରେ ଭାରତର ବୋଲିଂ ଆଟାକର ଦାୟିତ୍ୱ ଜଶପ୍ରୀତ ବୁମରା, ମହମ୍ମଦ ସିରାଜ ଓ ଅର୍ଶଦୀପ ସିଂହଙ୍କ ଉପରେ ରହିବ। ସେହିପରି ସ୍ପିନର ଭାବେ କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ ଓ ଅକ୍ଷର ପଟେଲଙ୍କୁ ଟିମରେ ସ୍ଥାନ ମିଳିଛି।

ତେବେ ଏହି ଟିମରୁ କେ ଏଲ ରାହୁଲ ବାଦ ପଡ଼ିଛନ୍ତି। ଏହାବ୍ୟତୀତ ଟିମ ପାଇଁ ଶୁଭମନ ଗିଲ୍, ରିଙ୍କୁ ସିଂହ, ଖଲିଲ୍ ଅହମ୍ମଦ ଏବଂ ଆଭେସ ଖାନଙ୍କୁ ରିଜର୍ଭ ରଖାଯାଇଛି।  

୨୦୨୪ ଟି-ଟ୍ୱେଣ୍ଟି ବିଶ୍ୱକପ ଆସନ୍ତା ଜୁନ ୧ ତାରିଖରୁ ୱେଷ୍ଟଇଣ୍ଡିଜ୍ ଓ ଆମେରିକାରେ ଆରମ୍ଭ ହେବ। ଏଥିରେ ୨୦ଟି ଟିମ ଅଂଶଗ୍ରହଣ କରିବେ। ସବୁ ଟିମକୁ ୪ଟି ଗ୍ରୁପରେ ଭାଗ କରାଯାଇଛି। ଭାରତ ଗ୍ରୁପ ‘ଏ’ରେ ସ୍ଥାନ ପାଇଛି।   

ଟି-ଟ୍ୱେଣ୍ଟି ବିଶ୍ୱକପର ଓପନିଂ ମ୍ୟାଚ୍ କାନାଡା ଏବଂ ଆମେରିକା ମଧ୍ୟରେ ଖେଳାଯିବ। ଭାରତ ଜୁନ ୫ ତାରିଖରେ ଆର୍ୟଲାଣ୍ଡ ବିପକ୍ଷରେ ମ୍ୟାଚ ଖେଳି ଟୁର୍ଣ୍ଣାମେଣ୍ଟରେ ନିଜର ଅଭିଯାନ ଆରମ୍ଭ କରିବ। ଜୁନ ୨୯ ତାରିଖରେ ବାରବାଡୋସରେ ଏହାର ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ।

Tags: #ICCT-20WorldCup2024 #IndianTeam #BCCI #Cricket #Sports #ICC #India

Comment