ଓଡ଼ିଶାଲାଇଭ୍ ବ୍ୟୁରୋ

ଚୀନର ହାଙ୍ଗଝୌରେ ଚାଲିଥିବା ୧୯ତମ ଏସିଆନ ଗେମ୍ସରେ ଭାରତ ହାତେଇଛି ପ୍ରଥମ ସ୍ଵର୍ଣ୍ଣ ପଦକ। ଏହି ପ୍ରତିଯୋଗିତାର ‘ପୁରୁଷ ୧୦ ମିଟର ଏୟାର ରାଇଫଲ’ ଟିମ ଇଭେଣ୍ଟରେ ସୋମବାର ବିଶ୍ଵ ରେକର୍ଡ କରି ସ୍ଵର୍ଣ୍ଣ ହାସଲ କହିଛି ଭାରତୀୟ ଦଳ।

ସ୍ଵର୍ଣ୍ଣ ପଦକ ବିଜୟୀ ଏହି ଦଳରେ ରୁଦ୍ରାଂଶ ବ‌ାଲାସାହିବ ପାଟିଲ୍‌, ଦିବ୍ୟାଂଶ ପନ୍‌ୱାର୍‌ ଓ ଐଶ୍ଵର୍ଯ୍ୟ ପ୍ରତାପ ସିଂହ ତୋମର ସାମିଲ ଥିଲେ। ସେମାନେ ଏହି ଇଭେଣ୍ଟର କ୍ଵାଲିଫିକେସନ୍‌ ରାଉଣ୍ଡରେ ୧୮୯୩.୭ ପଏଣ୍ଟ୍‌ ସ୍କୋର୍‌ କରି ନୂଆ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି।

ସେହିପରି ୧୮୯୦.୧ ପଏଣ୍ଟ୍‌ ସ୍କୋର୍‌ କରି ଦକ୍ଷିଣ କୋରିଆ ଦ୍ଵିତୀୟ ଟିମ୍‌ ଭାବେ ରୌପ୍ୟ ପଦକ ଏବଂ  ୧୮୮୮.୨ ପ‌ଏଣ୍ଟ୍‌ ସହ ତୃତୀୟ ସ୍ଥାନରେ ଥିବା ଚୀନର ଖେଳାଳିମାନେ କାଂସ୍ୟ ପଦକ ହାସଲ କରିଛନ୍ତି।

ଅନ୍ୟପଟେ ଏହି ଇଭେଣ୍ଟରେ ରୁଦ୍ରାଂଶ ବ‌ାଲାସାହିବ ପାଟିଲ୍‌ ୬୩୨.୫ ପଏଣ୍ଟ, ଐଶ୍ଵର୍ଯ୍ୟ ପ୍ରତାପ ସିଂହ ତୋମର ୬୩୧.୬ ପଏଣ୍ଟ ଏବଂ ଦିବ୍ୟାଂଶ ପନୱାର୍‌ ୬୨୯.୬ ପଏଣ୍ଟ୍‌ ବ୍ୟକ୍ତିଗତ ଭାବେ ସ୍କୋର କରିଥିଲେ। ଏଥିରୁ ଏସିଆନ ଗେମ୍ସର ‘ପୁରୁଷ ୧୦ ମିଟର ଏୟାର ରାଇଫଲ୍ସ’ ବ୍ୟକ୍ତିଗତ ଇଭେଣ୍ଟକୁ ରୁଦ୍ରାଂଶ ଓ ଐଶ୍ଵର୍ଯ୍ୟ ଯୋଗ୍ୟତା ଅର୍ଜନ କରିଛନ୍ତି। ବ୍ୟକ୍ତିଗତ ଇଭେଣ୍ଟରେ ଐଶ୍ଵର୍ଯ୍ୟ ପ୍ରତାପ ସିଂହ କାଂସ୍ୟ ପଦକ ହାସଲ କରିଛନ୍ତି।

ଏହାପୂର୍ବରୁ ଅଗଷ୍ଟ ମାସରେ ଆଜରବୈଜାନ୍‌ର ବାକୁରେ ଆୟୋଜିତ ବନ୍ଧୁକଚାଳନା ବିଶ୍ଵ ଚାମ୍ପିୟନସିପର ‘ପୁରୁଷ ୧୦ ମିଟର ଏୟାର ରାଇଫଲ୍ସ’ ଟିମ ଇଭେଣ୍ଟରେ ଚୀନର ଖେଳାଳିମାନେ ୧୮୯୩.୩ ସ୍କୋର୍‌ ବିଶିଷ୍ଟ ବିଶ୍ଵ ରେକର୍ଡ ସ୍ଥାପନ କରିଥିଲେ। ଯାହାକୁ ଆଜି ଭାରତୀୟ ଖେଳାଳିମାନେ ଭାଙ୍ଗିଛନ୍ତି।

Tags: #AsianGames #GoldMedal #10MeterAirRifle #Shooting #Sports #IndianTeam #India

 

Comment