ଓଡ଼ିଶାଲାଇଭ୍ ବ୍ୟୁରୋ

ଚୀନର ହାଙ୍ଗଝୌଉରେ ସରିଛି ୧୯ତମ ଏସିଆନ ଗେମ୍ସ। ରବିବାର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ଏହି ପ୍ରତିଯୋଗିତାର ଉଦଯାପନୀ ହୋଇଛି। ଏହି କାର୍ଯ୍ୟକ୍ରମରେ ପ୍ରାୟ ୮୦ ହଜାର ଦର୍ଶକ ବିଭିନ୍ନ ଲାଇଟ୍‌, ସାଉଣ୍ଡ ଓ ‌ଲେଜର ସୋ’ର ମଜା ନେଇଥିଲେ।

ଏସିଆନ ଗେମ୍ସ ଉଦଯାପନୀ କାର୍ଯ୍ୟକ୍ରମରେ ଚୀନର ପ୍ରଧାନମନ୍ତ୍ରୀ ଲି କ୍ଵାଙ୍ଗ ଓ ଏସିଆନ ଅଲିମ୍ପିକ ପରିଷଦର ସଭାପତି ରାଜା ରଣଧୀର ସିଂହ ଓ ଅନ୍ୟ ଅତିଥିମାନେ ଯୋଗ ଦେଇଥିଲେ। ଏଠାରେ ୧୯ତମ ଏସିଆନ ଗେମ୍ସ ସମାପ୍ତ ହୋଇଥିବା ଅଧିକାରୀକ ଭାବେ ଘୋଷଣା କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ୨୦୨୬ରେ ଆଗାମୀ ଏସିଆନ ଗେମ୍ସ ସଂସ୍କରଣର ଆୟୋଜନ ପାଇଁ ଜାପାନକୁ ମଶାଲ ଏବଂ ଏସିଆନ ଅଲିମ୍ପିକ ପରିଷଦର ପତାକା ହସ୍ତାନ୍ତର କରାଯାଇଥିଲା। ୨୦୨୬ ଏସିଆନ ଗେମ୍ସ ଆୟୋଜକ ଜାପାନର ସହର ‘ଆଇଚି’ର ଗଭର୍ଣ୍ଣର ହିଦେଆକି ଓମୁରା ପ୍ରତିଯୋଗିତାର ମଶାଲ ଗ୍ରହଣ କରିଥିଲେ।   

ଚଳିତ ଏସିଆନ ଗେମ୍ସରେ ଭାରତ ନିଜର ସବୁଠୁ ଭଲ ପ୍ରଦର୍ଶନ କରିଛି। ପ୍ରଥମ ଥର ପାଇଁ ଭାରତୀୟ ଖେଳାଳିମାନେ ୧୦୦ରୁ ଅଧିକ ପଦକ ହାସଲ କରିଥିଲେ। ଭାରତ ୨୮ଟି ସ୍ଵର୍ଣ୍ଣ, ୩୮ଟି ରୌପ୍ୟ ଓ ୪୧ଟି ବ୍ରୋଞ୍ଜ ପଦକ ସହ ମୋଟ ୧୦୭ଟି ପଦକ ହାସଲ କରିଛି। ଏହାସହ ପ୍ରତିଯୋଗିତାର ପଦକ ତାଲିକାରେ ଚତୁର୍ଥ ସ୍ଥାନରେ ରହିଲା ଭାରତ।

ଏହି ପ୍ରତିଯୋଗିତାରେ ଚୀନ ୨୦୧ଟି ସ୍ଵର୍ଣ୍ଣ, ୧୧୧ ରୌପ୍ୟ, ୭୧ଟି ବ୍ରୋଞ୍ଜ ସହ ମୋଟ ୩୮୩ଟି ପଦକ ପାଇ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ଶୀର୍ଷରେ ଅଭିଯାନ ଶେଷ କରିଛି। ଏହା ପଛକୁ ଜାପାନ ୫୨ଟି ସ୍ଵର୍ଣ୍ଣ, ୬୭ଟି  ରୌପ୍ୟ ଏବଂ ୬୯ଟି ବ୍ରୋଞ୍ଜ ସହ ମୋଟ ୧୮୮ଟି ପଦକ ପାଇ ଦ୍ଵିତୀୟ ସ୍ଥାନରେ ରହିଲା। ଜାପାନ ପଛକୁ ଦକ୍ଷିଣ କୋରିଆ ୪୨ଟି ସ୍ଵର୍ଣ୍ଣ, ୫୯ଟି ରୌପ୍ୟ ଏବଂ ୮୯ଟି ବ୍ରୋଞ୍ଜ ସହ ମୋଟ ୧୯୦ଟି ପଦକ ହାସଲ କରି ତୃତୀୟ ସ୍ଥାନରେ ରହିଥିଲା।

Tags: #AsianGames #Hangzhou #ClosingCeremony #IndianContingent #Sports #India

Comment