ଓଡ଼ିଶାଲାଇଭ୍ ବ୍ୟୁରୋ

ଏସିଆନ ଗେମ୍ସରେ ଭାରତୀୟ ମହିଳା ହକି ଦଳ ବ୍ରୋଞ୍ଜ ପଦକ ହାସଲ କରିଛି। ଶନିବାର ଦଳ ଜାପାନକୁ ୨-୧ ଗୋଲରେ ପରାସ୍ତ କରିଛି। ଏହି ସଫଳତା ପରେ ହକି ଇଣ୍ଡିଆ ପକ୍ଷରୁ ମହିଳା ଦଳର ପ୍ରତ୍ୟେକ ଖେଳାଳିଙ୍କ ପାଇଁ ୩ ଲକ୍ଷ ଟଙ୍କା ଏବଂ ସାପୋର୍ଟ ଷ୍ଟାଫଙ୍କ ପାଇଁ ଦେଢ଼ ଲକ୍ଷ ଟଙ୍କା ଆର୍ଥିକ ପୁରସ୍କାର ଘୋଷଣା କରାଯାଇଛି।

“ଏସିଆନ ଗେମ୍ସରେ ଭାରତୀୟ ମହିଳା ଦଳର ପ୍ରଦର୍ଶନ ବହୁତ ଭଲ ରହିଲା। ସେମାନଙ୍କ କଠିନ ପରିଶ୍ରମ ଓ ପ୍ରଦର୍ଶନରେ ସରା ଦେଶ ଗର୍ବିତ। ମୁଁ ଦଳର ସବୁ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଉଛି”, କହିଛନ୍ତି ହକି ଇଣ୍ଡିଆ ସଭାପତି ପଦ୍ମଶ୍ରୀ ଡକ୍ଟର ଦିଲ୍ଲୀପ ତିର୍କୀ।    

ଭାରତ ଓ ଜାପାନ ମଧ୍ୟରେ ବ୍ରୋଞ୍ଜ ପଦକ ପାଇଁ ହୋଇଥିବା ମ୍ୟାଚଟି ଅତି ସଂଘର୍ଷପୂର୍ଣ୍ଣ ରହିଥିଲା। ମ୍ୟାଚ ଆରମ୍ଭରୁ ଭାରତକୁ ମିଳିଥିବା ଏକ ପେନଲ୍ଟି ଷ୍ଟ୍ରୋକରୁ ଷ୍ଟ୍ରାଇକର ଦୀପିକା ଏକ ଗୋଲ ଦେଇଥିଲେ। ଏହାପରେ ଉଭୟ ଦଳ ନିଜ ପାଇଁ ଗୋଲ ଦେବା ପାଇଁ ମଉକା ଖୋଜିଥିଲେ।

ମ୍ୟାଚର ୩୦ତମ ମିନିଟରେ ୟୁରୀ ନାଗାରି ପେନଲ୍ଟି କର୍ଣ୍ଣରରୁ ଏକ ଗୋଲ ଦେଇ ସ୍କୋର ବରାବର କରିଦେଇଥିଲେ। ଏହାପରେ ୫୦ତମ ମିନିଟରେ ସୁଶୀଳା ଚାନୁ ପେନଲ୍ଟି କର୍ଣ୍ଣରରୁ ଭାରତ ପାଇଁ ବିଜୟୀ ଗୋଲ ଦେଇଥିଲେ।

ଚଳିତ ଏସିଆନ ଗେମ୍ସରେ ଏ ଯାଏଁ ଭାରତ ୧୦୭ଟି ପଦକ ହାସଲ କରିଛି। ଏଥିରେ ୨୮ଟି ସ୍ଵର୍ଣ୍ଣ, ୩୮ଟି ରୌପ୍ୟ ଓ ୪୧ଟି ବ୍ରୋଞ୍ଜ ପଦକ ସାମିଲ ରହିଛି। ଶନିବାର ଭାରତକୁ ୬ଟି ସ୍ଵର୍ଣ୍ଣ ପଦକ ସହ ମୋଟ ୧୦ ପଦକ ମିଳିଛି।

Tags: #AsianGames #WomensHockey #BronzeMedal #HockeyIndia #Sports

Comment