ଓଡ଼ିଶାଲାଇଭ୍ ବ୍ୟୁରୋ

ଏସିଆନ ଗେମ୍ସରେ ଶନିବାର ୬ଟି ସ୍ୱର୍ଣ୍ଣ ସହ ୧୨ଟି ପଦକ ଜିତିଛି ଭାରତ, ୧୦୭ରେ ପହଞ୍ଚିଲା ପଦକ ସଂଖ୍ୟା

ହାଙ୍ଗଝୌ ଏସିଆନ ଗେମ୍ସରେ ଶନିବାର ଭାରତର ପଦକ ବର୍ଷା ହୋଇଛି। ମହିଳା କବାଡ଼ିରେ ସ୍ୱର୍ଣ୍ଣ ପଦକ ସହ ଆରମ୍ଭ ହୋଇଥିଲା ସ୍ୱର୍ଣ୍ଣିମ ଶନିବାର। କବାଡ଼ିରେ ସ୍ୱର୍ଣ୍ଣ ସହ ଭାରତର ପଦକ ସଂଖ୍ୟା ୧୦୦ ଛୁଇଁଥିଲା, ଯାହା ଏସିଆନ ଗେମ୍ସ ଇତିହାସରେ ପ୍ରଥମ। ୨୬-୨୫ରେ ଚାଇନିଜ ତାଇପେଇକୁ ହରାଇ ସ୍ୱର୍ଣ୍ଣ ପଦକ ଜିତିଥିଲା ଭାରତୀୟ ମହିଳା କବାଡ଼ି ଦଳ।

ଅନ୍ୟପଟେ ଡିଫେଣ୍ଡିଂ ଚାମ୍ପିୟନ ଇରାନକୁ ୩୩-୨୯ରେ ହରାଇ ସ୍ୱର୍ଣ୍ଣ ପଦକ ଜିତିଛି ପୁରୁଷ କବାଡ଼ି ଦଳ। ଇରାନ ଫାଇନାଲରେ ଭାରତକୁ କଡ଼ା ଚ୍ୟାଲେଞ୍ଜ ଦେଇଥିଲେ ମଧ୍ୟ ଶେଷରେ ବାଜିମାରି ନେଇଥିଲେ ଭାରତୀୟ ଖେଳାଳି।

ସେହିପରି ଉଭୟ ପୁରୁଷ ଓ ମହିଳା ତୀରନ୍ଦାଜୀରେ ଭାରତକୁ ଦୁଇଟି ସ୍ୱର୍ଣ୍ଣ ସହ ଗୋଟିଏ ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ ପଦକ ମିଳିଛି। ମହିଳା କମ୍ପାଉଣ୍ଡ ଇଭେଣ୍ଟରେ ଜ୍ୟୋତି ସୁରେଖା ସ୍ୱର୍ଣ୍ଣ ଜିତିଥିବା ବେଳେ ପୁରୁଷ କମ୍ପାଉଣ୍ଡ ଇଭେଣ୍ଟରେ ଓଜାସ ସ୍ୱର୍ଣ୍ଣ ଏବଂ ଅଭିଷେକ ରୌପ୍ୟ, ଆଦିତି ଗୋପିଚାନ୍ଦ ସ୍ୱାମୀ ମହିଳା କମ୍ପାଉଣ୍ଡରେ ବ୍ରୋଞ୍ଜ ପଦକ ଜିତିଛନ୍ତି।

ପ୍ରଥମ କରି ଏସିଆନ ଗେମ୍ସର ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ଇତିହାସ ରଚିଛି ଭାରତ। ସାତ୍ୱିକ ଓ ଚିରାଗ ଯୋଡ଼ି ଭାରତକୁ ବ୍ୟାଡମିଣ୍ଟନରେ ସ୍ୱର୍ଣ୍ଣ ଭେଟିଦେଇଛନ୍ତି। ଫାଇନାଲରେ କୋରିଆକୁ ୨୧-୮, ୨୧-୧୬ରେ ହରାଇ ସ୍ୱର୍ଣ୍ଣ ହାତେଇଛି ଭାରତ। ଏସିଆନ ଗେମ୍ସର ୭୨ ବର୍ଷ ଯାତ୍ରାରେ ପ୍ରଥମ କରି ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ସେମିଫାଇନାଲ ଏବଂ ଫାଇନାଲରେ ପ୍ରବେଶ କରିଥିଲା ଭାରତ। ଆଉ ଶେଷରେ ଏହି ଯାତ୍ରାରେ ସ୍ୱର୍ଣ୍ଣିମ ଅଧ୍ୟାୟ ଯୋଡ଼ି ହୋଇଛି।

ପ୍ରଥମ କରି ଏସୀୟ କ୍ରୀଡ଼ା କ୍ରିକେଟରେ ଭାରତକୁ ସ୍ୱର୍ଣ୍ଣ ପଦକ ମିଳିଛି। ବର୍ଷା ବାଧକ ସତ୍ତ୍ୱେ ଭାରତୀୟ ପୁରୁଷ କ୍ରିକେଟ ଦଳ ସ୍ୱର୍ଣ୍ଣ ବିଜୟୀ ହୋଇଛନ୍ତି। ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ବର୍ଷା ବାଧକ ସାଜିଥିଲା। ଏହାସତ୍ତ୍ୱେ ରାଙ୍କିଙ୍ଗ୍ ଅନୁସାରେ ଭାରତକୁ ସ୍ୱର୍ଣ୍ଣ ବିଜୟୀ ଘୋଷଣା କରାଯାଇଥିଲା। ଏହା ପୂର୍ବରୁ ଭାରତୀୟ ମହିଳା କ୍ରିକେଟ ଦଳ ମଧ୍ୟ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ।

ମହିଳା ହକିରେ ବ୍ରୋଞ୍ଜ ପଦକ ହାସଲ କରିଛି ଭାରତ। ଭାରତୀୟ ମହିଳା ହକି ଦଳ ଜାପାନକୁ ୨-୧ରେ ହରାଇ ଏସିଆନ ଗେମ୍ସରେ ବ୍ରୋଞ୍ଜ ପଦକ ଜିତିବାକୁ ସକ୍ଷମ ହୋଇଛି। ଚଳିତଥର ଦଳ ସେମିଫାଇନାଲକୁ ଯାଇଥିଲେ ମଧ୍ୟ ଚାଇନା ଠାରୁ ହାରି ଯାଇଥିଲା। ଫଳରେ ସବିତା ପୁନିଆଙ୍କ ଭାରତୀୟ ଦଳକୁ ବ୍ରୋଞ୍ଜ ପଦକ ପାଇଁ ଜାପାନ ସହ ଲଢ଼େଇ କରିବାକୁ ପଡ଼ିଥିଲା। ମହିଳାଙ୍କ ପୂର୍ବରୁ ପୁରୁଷ ହକି ଦଳ ସ୍ୱର୍ଣ୍ଣ ପଦକ ଜିତିଥିଲେ।

କୁସ୍ତିରେ ଭାରତକୁ ମିଳିଛି ପ୍ରଥମ ରୌପ୍ୟ ପଦକ। ୬୮ କେଜି ଫ୍ରିଷ୍ଟାଇଲ ଫାଇନାଲରେ ଇରାନର ହାସନ ୟାଜଦାନିଙ୍କ ଠାରୁ ପରାସ୍ତ ହୋଇ ରୌପ୍ୟ ଜିତିଛନ୍ତି ଦୀପକ। ପୂର୍ବରୁ ଅମନ ଶେରାୱ, କିରଣ ବିଷ୍ଣୋଇ, ସୋନମ ମଲ୍ଲିକ, ଅନ୍ତିମ ପଙ୍ଘଲ ଓ ସୁନୀଲ କୁମାର ନିଜ ନିଜ ବର୍ଗରେ ବ୍ରୋଞ୍ଜ ପଦକ ଜିତିଥିଲେ।

ଚେସରେ ମଧ୍ୟ ଭାରତ ଦୁଇଟି ପଦକ ଜିତିଛି। ଉଭୟ ମହିଳା ଓ ପୁରୁଷ ଦଳ ରୌପ୍ୟ ପଦକ ଜିତିଛନ୍ତି। ଏହାକୁ ମିଶାଇ ୨୦୨୩ ଏସିଆନ ଗେମ୍ସରେ ଭାରତ ୧୦୭ଟି ପଦକ ହାସଲ କରିଛି।

Tags: #AsianGames #IndiaAtAG22 #IssBaar100paar #GoldMedal #India #Sports

Comment