ଓଡ଼ିଶାଲାଇଭ୍ ବ୍ୟୁରୋ

ଚୀନର ହାଙ୍ଗଝୌଉରେ ଚାଲିଥିବା ‘ଏସିଆନ୍‌ ପାରା ଗେମ୍ସ ୨୦୨୩’ରେ ସ୍ଵର୍ଣ୍ଣ ପଦକ ଜିତିଛନ୍ତି ଓଡ଼ିଶାର ପ୍ରମୋଦ ଭଗତ। ଶୁକ୍ରବାର ପ୍ରତିଯୋଗିତାର ପୁରୁଷ ବ୍ୟାଡମିଣ୍ଟନ ଏକକ-୩ ବର୍ଗରେ ସେ ଏହି ସଫଳତା ହାସଲ କରିଛନ୍ତି। ଚଳିତ ଏସିଆନ୍‌ ପାରା ଗେମ୍ସରେ ଏହା ପ୍ରମୋଦଙ୍କ ତୃତୀୟ ପଦକ।  

ଏସିଆନ୍‌ ପାରା ଗେମ୍ସ ପୁରୁଷ ବ୍ୟାଡମିଣ୍ଟନ ଏକକ-୩ ବର୍ଗର ଫାଇନାଲ ମ୍ୟାଚରେ ପ୍ରମୋଦ ଭାରତର ନିତେଶ କୁମାରଙ୍କୁ ହରାଇ ପ୍ରଥମ ସ୍ଥାନରେ ରହିଥିଲେ। ଫାଇନାଲ ମ୍ୟାଚଟିକୁ ପ୍ରମୋଦ ୨୨-୨୦, ୧୮-୨୧, ୨୧-୧୯ ସ୍କୋରରେ ଜିତିଥିଲେ।

ସେହିପରି ନିତେଶ କୁମାର ମଧ୍ୟ ପ୍ରଶଂସନୀୟ ଖେଳ ପ୍ରଦର୍ଶନ କରି ଏହି ପ୍ରତିଯୋଗିତାର ଦ୍ଵିତୀୟ ସ୍ଥାନରେ ରହି ରୌପ୍ୟ ପଦକ ହାସଲ କରିଛନ୍ତି। ଭାରତ ପାଇଁ ପଦକ ଜିତିଥିବାରୁ ଉଭୟ ପ୍ରମୋଦ ଓ ନିତେଶଙ୍କ ପାଖକୁ ଏବେ ଶୁଭେଚ୍ଛାର ସୁଅ ଛୁଟିଛି।  

ପ୍ରମୋଦ ଭଗତ ଏହି ପ୍ରତିଯୋଗିତାରେ ପୂର୍ବରୁ ବ୍ୟାଡମିଣ୍ଟନ ଯୁଗଳ ଓ ମିଶ୍ରିତ ଯୁଗଳ ବର୍ଗରେ ବ୍ରୋଞ୍ଜ ପଦକ ହାସଲ କରିଥିଲେ। ଏସିଆନ୍‌ ପାରା ଗେମ୍ସର ଗୋଟିଏ ସଂସ୍କରଣରେ ୩ଟି ପଦକ ହାଲସ କରିବାରେ ଏହା ହେଉଛି ପ୍ରମୋଦଙ୍କ ପାଇଁ ପ୍ରଥମ ଉପଲବ୍ଧି।

ପ୍ରମୋଦ ଭଗତ ୨୦୧୦ ପାରା ଏସିଆଡରେ ବ୍ୟାଡମିଣ୍ଟନ ଏକକ ଓ ଯୁଗଳ ବର୍ଗରେ ଭାଗ ନେଇଥିଲେ ମଧ୍ୟ କୌଣସି ସଫଳତା ପାଇନଥିଲେ। ୨୦୧୪ରେ ମଧ୍ୟ ସେ ଏକକ ବର୍ଗରେ ବ୍ରୋଞ୍ଜ ପଦକ ହାସଲ କରିଥିଲେ। ୨୦୧୮ରେ ସେ ଏକକରେ ସ୍ୱର୍ଣ୍ଣ ଓ ଯୁଗଳ ବର୍ଗରେ ବ୍ରୋଞ୍ଜ ପଦକ ହାସଲ କରିଥିଲେ।

Tags: #AsianParaGames2023 #PramodBhagat #GoldMedal #Badminton #Sports #Odisha

Comment