ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ଵର କଳିଙ୍ଗ ଷ୍ଟାଡିୟମଠାରେ ରବିବାର ଖେଳାଯାଇଥିବା ଏଫଆଇଏଚ୍‌ ‌ପ୍ରୋ ଲିଗର ଏକ ମ୍ୟାଚରେ ଭାରତ ପେନାଲ୍ଟି ସୁଟଆଉଟ ଦ୍ୱାରା ୩-୧ ଗୋଲରେ ସ୍ପେନକୁ ପରାସ୍ତ କରିଛି। ଏହି ବିଜୟ ସହ ଭାରତୀୟ ଦଳ ଲିଗ ପଏଣ୍ଟ ଟେବଲ ଶୀର୍ଷରେ ପହଞ୍ଚିଛି। ପୂର୍ବରୁ ସ୍ପେନ ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ଭାରତ ମଧ୍ୟ ସମାନ ପଏଣ୍ଟ ହାସଲ କରିଥିଲା। କିନ୍ତୁ ଭାରତ ଏବେ ଗୋଲ ବ୍ୟବଧାନରେ ଆଗରେ ରହି ଶୀର୍ଷକୁ ପହଞ୍ଚିଛି।

ରବିବାର ମ୍ୟାଚଟି ୨-୨ ଗୋଲରେ ବରାବର ରହିବରୁ ପେନାଲ୍ଟି ସୁଟଆଉଟ ଜରିଆରେ ଶେଷ ହୋଇଥିଲା। ମ୍ୟାଚର ପ୍ରଥମାର୍ଦ୍ଧ ଭାରତ ସପକ୍ଷରେ ଯାଇଥିଲା। ଭାରତ ପ୍ରଥମ ଦୁଇଟି କ୍ୱାର୍ଟରେ ୨ଟି ଗୋଲ ଦେଇ ଆଗରେ ରହିଥିଲେ ହେଁ ଶେଷ କ୍ୱାର୍ଟର ବେଳକୁ ସ୍ପେନ ଆକ୍ରମଣାତ୍ମକ ଖେଳ ଆରମ୍ଭ କରି ଗୋଲ ବରାବର କରି ଦେଇଥିଲା ଏବଂ ଏହାର ଜବାବରେ ଭାରତ ଆଉ କୌଣସି  ଗୋଲ ସ୍କୋର କରିପାରିନଥିଲା।

ଏହାପରେ ହୋଇଥିବା ପେନାଲ୍ଟି ସୁଟଆଉଟରେ ଭାରତ ୩-୧ ଗୋଲରେ ଆଗୁଆ ରହି ବିଜୟ ଲାଭ କରିଛି। ଏହି ମ୍ୟାଚରେ ଭାରତ ପାଇଁ ଅଧିନାୟକ ହରମାନପ୍ରୀତ ସିଂହ ୨ଟି ଗୋଲ ସ୍କୋର କରିଥିଲେ ଏବଂ ସ୍ପେନ ତରଫରୁ ଅଧିନାୟକ ମାର୍କ ମିରାଲସ ଓ ଅମତ ପେରେ ଗୋଟିଏ ଲେଖାଏଁ  ଗୋଲ ଦେଇଥିଲେ। ଏହାପରେ ପେନାଲ୍ଟି ସୁଟଆଉଟରେ ଭାରତ ପାଇଁ ଅଭିଷେକ, ରାଜକୁମାର ପାଲ ଓ ହରମାନପ୍ରୀତ ସିଂହ ଗୋଲ କରିଥିଲେ।

ସୁପର ସନ୍‌ଡେରେ ଖେଳା ଯାଇଥିବା ଏହି ମ୍ୟାଚରେ ରାଜଧାନୀ ଭୁବନେଶ୍ଵର ଦର୍ଶକ ମଧ୍ୟ ଷ୍ଟାଡିୟମରେ ଉପସ୍ଥିତ ରହି ନିଜ ଦେଶର ଖେଳାଳିଙ୍କୁ ଉତ୍ସାହିତ କରିଥିଲେ। ଗତ ଅକ୍ଟୋବର ୨୮ ତାରିଖରେ ଖେଳାଯାଇଥିବା ଆଉ ଏକ ମ୍ୟାଚରେ ମଧ୍ୟ ଭାରତ ନ୍ୟୁଜିଲାଣ୍ଡକୁ ୪-୩ ଗୋଲରେ ପରାସ୍ତ କରିଥିଲା। ପରବର୍ତ୍ତୀ ମ୍ୟାଚରେ ସ୍ପେନ୍‌ଠାରୁ ୩-୨ ଗୋଲରେ ପରାସ୍ତ ହୋଇଥିଲା। କିନ୍ତୁ ଗତ ୪ ତାରିଖରେ ପୁଣିଥରେ ନ୍ୟୁଜିଲାଣ୍ଡକୁ ୭-୪ ଗୋଲରେ ହରାଇବାରେ ସଫଳ ହୋଇଥିଲା ଭାରତ।

କଳିଙ୍ଗ ଷ୍ଟାଡିୟମଠାରେ ଅକ୍ଟୋବର ୨୮ରୁ ଆରମ୍ଭ ହୋଇଥିବା ‌ଏଫଆଇଏଚ୍‌ ‌ପ୍ରୋ ଲିଗର ପରିସମାପ୍ତି ଘଟିଛି। ଏବେ ଅପେକ୍ଷା ୨୦୨୩ ପୁରୁଷ ବିଶ୍ଵକପ ହକିକୁ।

Tags: #Sports #Hockey #FIHProLeague #IndiaTeam #Spain

Comment