ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ: ଆସନ୍ତା ଡିସେମ୍ବରରେ ବାରବାଟି ଷ୍ଟାଡିୟମଠାରେ ଭାରତ-ୱେଷ୍ଟଇଣ୍ଡିଜ୍ ଦିନିକିଆ ମ୍ୟାଚ ଖେଳାଯିବ। ଏ ନେଇ ଓଡ଼ିଶା କ୍ରିକେଟ ଆସୋସିଏସନ୍ ମୁଣ୍ଡରେ ଚିନ୍ତା ପଶିଛି। ଫନି ବାତ୍ୟାରେ ବିପର୍ଯ୍ୟସ୍ତ ହୋଇପଡିଥିବା ବାରବାଟି ଷ୍ଟାଡିୟମ୍‌ କେମିତି ତା’ର ପୂର୍ବ ସ୍ଥିତିକୁ ଫେରାଇ ଅଣାଯିବ ତାକୁ ନେଇ ପଦକ୍ଷେପ ନେବା ଆରମ୍ଭ ହୋଇଛି।

ଫନି ଯାହା ବିପର୍ଯ୍ୟୟ ଘଟାଇଛି ସେ ନେଇ ଓସିଏ ତରଫରୁ ବିସିସିଆଇକୁ ୨୨କୋଟି ଟଙ୍କାର ରିପୋର୍ଟ ଦିଆଯାଇଛି। ବିଶେଷକରି ଷ୍ଟାଡିୟମର ମୁଖ୍ୟ ଆକର୍ଷଣ କୁହାଯାଉଥିବା ଫ୍ଲଡ୍ ଲାଇଟ ଅବସ୍ଥା ବେହାଲ୍ ହୋଇପଡ଼ିଛି।

ପ୍ରାୟ ୯୦ଟି ଲାଇଟ୍ ପବନରେ ଉଡ଼ିଯାଇଛି। ଅନ୍ୟ ଲାଇଟଗୁଡିକ ବର୍ଷା ଓ ପବନ ସଂସ୍ପର୍ଶରେ ଆସି ଫ୍ୟୁଜ୍ ହୋଇଥିବା ଜଣାପଡ଼ିଛି। ସେହିପରି ପବନର ବେଗରେ ସମସ୍ତ ୮ଟି ଯାକ ଫ୍ଲଡ ଲାଇଟ ପୋଷ୍ଟଗୁଡିକ ହୁଗୁଳା ହୋଇଯାଇଛି। ତେଣୁ ସମସ୍ତ ଖୁଣ୍ଟର ମରାମତି କରିବା ଆବଶ୍ୟକ ହୋଇପଡ଼ିଛି।

ବାରବାଟି ଷ୍ଟାଡିୟମରେ ଫ୍ଲଡ୍ ଲାଇଟ୍ ବ୍ୟବସ୍ଥା ଭାରତୀୟ ଟିମର ପୂର୍ବତନ ଅଧିନାୟକ କପିଲ ଦେବଙ୍କ କମ୍ପାନି ‘ଦେବ ମସ୍କୋ’ କରିଥିବାରୁ ସେହିମାନେ ହିଁ ଏହାର ମରାମତି କାର୍ଯ୍ୟ କରିବେ। ଏନେଇ କପିଳ ଦେବଙ୍କ କମ୍ପାନିର ଏକ ପ୍ରତିନିଧି ମଣ୍ଡଳୀ ଆସନ୍ତା କିଛି ଦିନ ମଧ୍ୟରେ ବାରବାଟି ଆସି ସ୍ଥିତି ଯାଞ୍ଚ୍ କରି ରିପୋର୍ଟ ଦେବେ। ଏହାପରେ କପିଳ ଦେବ ନିଜେ ବାରବାଟି ଆସିବାର ଯୋଜନା ରହିଛି। ଏ ନେଇ ଓସିଏ ତରଫରୁ କପିଳ ଦେବଙ୍କ ସହିତ ଆଲୋଚନା ଶେଷ ହୋଇଛି।

ତେବେ ପ୍ରତିନିଧି ଦଳ ଆସିବା ପରେ ଫ୍ଲଡ୍ ଲାଇଟ୍ ସମ୍ପୂର୍ଣ୍ଣ ବଦଳିବ କିମ୍ବା କିଛି ଭାଗ ମରାମତି କରାଯିବ ସେ ନେଇ ସ୍ପଷ୍ଟ ହେବ। ତେବେ ଯାହା ସୂଚନା ମିଳୁଛି ସମ୍ପୂର୍ଣ୍ଣ ଲାଇଟ୍ ବଦଳାଯିବ। କାରଣ ୨୦୦୩ ମସିହାରେ ସ୍ଥାପନ କରାଯାଇଥିବା ଏହି ବଲ୍‌ବ ମିଳିବା କଷ୍ଟସାଧ୍ୟ। ଏହାସହିତ ପରବର୍ତ୍ତୀ ପର୍ଯ୍ୟାୟରେ ଅତ୍ୟାଧୁନିକ ବଲ୍‌ବ ଆସିଥିବା ବେଳେ ଏହାର ସମ୍ପୂର୍ଣ୍ଣ ବଦଳାଇବା ଦରକାର ବୋଲି କୁହାଯାଉଛି। ତେବେ ଏ ବାବଦରେ ପ୍ରାୟ ୪କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଓସିଏ ପରିଚାଳନା କମିଟି ଅଧ୍ୟକ୍ଷ ଧିରେନ ପଲେଇ କହିଛନ୍ତି।

Comment