ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ୱରସ୍ଥିତ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟରେ ତିନି ଦିନ ଧରି ଚାଲିଥିବା ଇଣ୍ଡିଆ ସ୍କିଲ୍‌ସ ରିଜିଓନାଲ କମ୍ପିଟିସନ (ପୂର୍ବ ସଂଭାଗ) ଉଦଯାପିତ ହୋଇଯାଇଛି। ଏଥିରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷର ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର, ବିହାର ଦକ୍ଷତା ବିକାଶ ମିଶନର ପ୍ରମୁଖଶାସନ ସଚିବ ଦୀପକ କୁମାର ସିଂ,  ଦକ୍ଷତାବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟର ଯୁଗ୍ମ ସଚିବ ରାଜେଶ ଅଗ୍ରୱାଲ, ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ମନୀଷ କୁମାର ପ୍ରମୁଖ ଉପସ୍ଥିତ ଥିଲେ।

“ଇଣ୍ଡିଆ ସ୍କିଲ୍‌ସର ରିଜିଓନାଲ କମ୍ପିଟିସନ ଭୁବନେଶ୍ୱରଠାରେ ଆୟୋଜିତ ହୋଇଥିବାରୁ ଏହା ଆମ ପାଇଁ ଏକ ଗର୍ବର ବିଷୟ। ଓଡ଼ିଶାକୁ ପ୍ରାକୃତିକ, ସାଂସ୍କୃତିକ, ଅଧ୍ୟାତ୍ମିକ ଦୃଷ୍ଟିକୋଣରୁ ମୁଁ ଓଡ଼ିଶାକୁ ଜାଣିଥିଲି। କିନ୍ତୁ ଆଜି ଏହା କୌଶଳପୂର୍ଣ୍ଣ ରାଜ୍ୟ ବୋଲି ଜାଣିଲି। ପ୍ରତିଯୋଗିତାରେ ଭାଗ ନେଇଥିବା ସମସ୍ତ ପ୍ରତିଯୋଗୀଙ୍କୁ ଶୁଭେଚ୍ଛା ଜଣାଉଛି”, କହିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍।

ଏହି କାର୍ଯ୍ୟକ୍ରମରେ ୨୭ଟି ଦକ୍ଷତା ଭିତ୍ତିକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଅଟୋମୋବାଇଲ, ମୋବାଇଲ ରୋବୋଟିକ୍ସ, କୁକିଂ, ବ୍ରିକ୍ଲେୟିଂ, ୱେବ ଡିଜାଇନିଂ, ବିଉଟିଥେରାପି ପ୍ରତିଯୋଗିତାରେ ଓଡ଼ିଶା, ବିହାର, ଆସାମ, ନାଗାଲାଣ୍ଡ, ତ୍ରିପୁରା, ଝାଡ଼ଖଣ୍ଡ ଏବଂ ମେଘାଳୟର ପ୍ରାୟ ୨୨୫ ରୁ ଅଧିକ ପ୍ରତିଯୋଗୀ ଭାଗ ନେଇଥିଲେ।

ସୋଆ ବିଶ୍ୱବିଦ୍ୟାଳୟ ବ୍ୟତୀତ ଏହି ପ୍ରତିଯୋଗିତା ଭୁବନେଶ୍ୱରର ଅନ୍ୟ ଚାରିଗୋଟି ସ୍ଥାନରେ ଆୟୋଜିତହୋଇଥିଲା । ସୋଆ ବିଶ୍ୱବିଦ୍ୟାଳୟରେ ୨୦ଟି ଦକ୍ଷତା ଉପରେ ପ୍ରତିଯୋଗିତା ହୋଇଥିବା ବେଳେ ଅନ୍ୟ ୭ଟି ଦକ୍ଷତା ଭିତ୍ତିକ ପ୍ରତିଯୋଗିତା ଅନ୍ୟ ୪ଟି ସ୍ଥାନରେ ଆୟୋଜିତ ହୋଇଥିଲା।

୨୦୧୭ ମସିହାରେ ଆବୁଧାବିଠାରେ ଆୟୋଜିତ ହୋଇଥିବା ଏହି ୱାର୍ଲ୍ଡ ସ୍କିଲ୍ସ ୨୦୧୭ରେ ଭାରତ ୧ଟି ରୌପ୍ୟ, ୧ଟି ବ୍ରୋଞ୍ଜ ଓ ଉଚ୍ଚକୋଟୀର ପ୍ରଦର୍ଶନ ହେତୁ ୯ଟି ମେଡାଲିଅନ ଅଫ ଏକ୍ସିଲେନ୍ସ ବା ପଦକ ହାସଲ କରିଥିଲା। ଭାରତ ଅନେକ ବିକଶିତ ରାଷ୍ଟ୍ରଙ୍କୁ ପଛରେ ପକାଇ ଏହି ପ୍ରତିଯୋଗିତାରେ ଭାଗ ନେଇଥିବା ୫୯ଟି ଦେଶମାନଙ୍କ ମଧ୍ୟରୁ ୧୯ତମ ସ୍ଥାନ ଅଧିକାର କରିଥିଲା।

ଇଣ୍ଡିଆ ସ୍କିଲ୍ସ ରିଜିଓନାଲ୍ କମ୍ପିଟିସନ (ପୂର୍ବ) ୨୦୧୮ର ବିଜେତାମାନଙ୍କୁ ପରବର୍ତ୍ତୀ ସମୟରେ ବିଭିନ୍ନ ଶିଳ୍ପ ପ୍ରଶିକ୍ଷଣ ଦିଆଯିବା ସହ ସେମାନଙ୍କୁ ଆସନ୍ତା ୨୦୧୯ରେ ରୁଷ୍‌ର କାଜାନ ସହରଠାରେ ହେବାକୁ ଥିବା ୱାର୍ଲ୍ଡ ସ୍କିଲ୍ସ (ବିଶ୍ୱ ଦକ୍ଷତା) ଆନ୍ତଜାର୍ତୀୟ ପ୍ରତିଯୋଗିତାରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିବାର ସୁଯୋଗ ଦିଆଯିବ।

Comment