ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ରାଜ୍ୟବାସୀ ଭିନ୍ନ ରୂପରେ ଦେଖିବାକୁ ପାଇବେ। ସଂଗୀତ ପ୍ରତି ରାଜ୍ୟପାଳଙ୍କର ବିଶେଷ ରୁଚି ରହିଥିବା କେହି ହୁଏତ ଜାଣିନଥିବେ। ଏକ ଦେଶାତ୍ମବୋଧ ଗୀତ ପାଇଁ ରାଜ୍ୟପାଳ କଣ୍ଠଦାନ କରିଛନ୍ତି। ଏହି ଗୀତଟି ଆସନ୍ତା ଉତ୍କଳ ଦିବସରରେ ରିଲିଜ ହେବ ବୋଲି ଜଣାପଡ଼ିଛି।

ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ କଣ୍ଠରେ ଗତ ସୋମବାର ରେକର୍ଡ ହୋଇଛି ଦେଶାତ୍ମବୋଧ ସଂଗୀତ ‘ବନ୍ଦେ ଉତ୍କଳ ଜନନୀ’। ଗୀତଟିର ମୁଖୁଡା ଲାଇନ ‘ବନ୍ଦେ ଉତ୍କଳ ଜନନୀ…’ ରହିଥିବାବେଳେ ଅନ୍ତରାଗୁଡ଼ିକ ନୂଆ ଲେଖାଯାଇଛି। ଓଡ଼ିଶାର ଜଣାଶୁଣା ଗୀତିକାର ତଥା ସଂଳାପକାର ବିଜୟ ମଲ୍ଲ ଗୀତ ରଚନା କରିଥିବାବେଳେ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମ ଆନନ୍ଦ। ୩ ମିନିଟିର ଏହି ଗୀତକୁ ପ୍ରାୟ ଏକ ଘଣ୍ଟା ମଧ୍ୟରେ ରେକର୍ଡ କରାଯାଇଥିଲା। ଆଗାମୀ ଦିନରେ ଏହି ଗୀତ ପାଇଁ ଭିଡିଓ ରେକର୍ଡ କରିବାକୁ ଯୋଜନା ରହିଛି।

ରାଜ୍ୟପାଳଙ୍କ ସହ ସମୂହ କଣ୍ଠଦାନ କରିଛନ୍ତି ହ୍ୟୁମାନ ସାଗର ଏବଂ ଦୀପ୍ତିରେଖା ପାଢ଼ି ଓ ସିଡିଏ ଡିଏଭି ବିଦ୍ୟାଳୟର ୧୨ ଜଣ ଛାତ୍ରୀ। ଗୀତର କିଛି ପଦ ହେଉଛି ଏହିପରି “ଇତିହାସ ତୋର ତ୍ୟାଗ ବୀରତ୍ଵର…ହିଂସା ତରବାରୀ ନୁଆଁଇଛି ଶିର, ଜନନୀ ଜନନୀ ଜନନୀ…ବନ୍ଦେ ଉତ୍କଳ ଜନନୀ…”।

ଏହି ଗୀତରେ ରହିଛି ଓଡ଼ିଶାର ବୀରପୁତ୍ରମାନଙ୍କର ତ୍ୟାଗ ଏବଂ ବଳିଦାନର କାହାଣୀ। ଉତ୍କଳ ଦିବସ ଉପଲକ୍ଷେ ଏହି ଦେଶାତ୍ମବୋଧ ଗୀତ ରେକର୍ଡ କରାଯାଇଛି। ଏହି ଗୀତକୁ ଆସନ୍ତା ଉତ୍କଳ ଦିବସରେ ରିଲିଜ କରାଯିବାକୁ ଲକ୍ଷ୍ୟ ରଖାଯାଇଛି।

ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ସ୍ମୃତିକୁ ତାଜା କରିବା ଉଦ୍ଦେଶ୍ୟରେ ଏହି ଗୀତକୁ ପ୍ରସ୍ତୁତ କରାଯାଇଛିଥିବା କୁହାଯାଇଛି। ଗୀତଟିର ରେକର୍ଡିଂ ସରିଥିବାବେଳେ ଖୁବଶୀଘ୍ର ରାଜ ଭବନରେ ଏହାର ଭିଡିଓ ସୁଟ କରାଯିବ ବୋଲି ସୂଚନା ମିଳିଛି। ରାଜ୍ୟପାଳଙ୍କ କଣ୍ଠରେ ଏହି ଗୀତ ସମତ୍ସଙ୍କୁ ମନ୍ତ୍ରମୁଗ୍ଧ କରିବ ବୋଲି ସଂଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ ଆଶା ରଖିଛନ୍ତି।

Comment