ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ଏଏସଓଙ୍କୁ ମାଡ଼ ମାରିବା ଅଭିଯୋଗକୁ ନେଇ ଏ ଯାଏଁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ଏହାକୁ ନେଇ ରାଜ୍ୟରେ ରାଜନୀତି ସରଗରମ ହେଉଛି। ମାମଲାକୁ କେନ୍ଦ୍ର କରି ମଙ୍ଗଳବାର ଉଭୟ ବିଜେଡି ଓ କଂଗ୍ରେସ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି।

ମଙ୍ଗଳବାର ଭୁବନେଶ୍ୱରରେ ଉଭୟ ବିଜେଡି ଓ କଂଗ୍ରେସ ପକ୍ଷରୁ ପ୍ରେସବାର୍ତ୍ତା କରି ଏଏସଓ ବୈକୁଣ୍ଠ ନାଥ ପ୍ରଧାନଙ୍କୁ ମାଡ଼ ମରାଯିବା ଘଟଣାର ତଦନ୍ତ ପାଇଁ ଦାବି କରାଯାଇଛି। ଏହି ମାମଲାରେ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆ ନଗଲେ ଆଗକୁ ଉଭୟ ଦଳ ଆନ୍ଦୋଳନକୁ ତୀବ୍ର କରିବେ ବୋଲି ଚେତାବନୀ ଦେଇଛନ୍ତି।

“ରାଜଭବନରେ ଜଣେ ଏଏସଓଙ୍କୁ ମାଡ଼ ମରାଯିବା ଅତ୍ୟନ୍ତ ଦୁଃଖଦାୟକ। ପୁଣି ରାଜ୍ୟପାଳଙ୍କ ପୁଅ ଓ ତାଙ୍କ ସାଙ୍ଗମାନେ ଏଏସଓଙ୍କୁ ନିର୍ଯାତନା ଦେବା ଓଡ଼ିଶା ପାଇଁ ଏକ ଲଜ୍ଜାଜନକ ଘଟଣା। ଏନେଇ ଅଭିଯୁକ୍ତଙ୍କ ବିରୋଧରେ ଏ ଯାଏଁ କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ। ସାଧାରଣ ଲୋକଙ୍କୁ ନ୍ୟାୟ ଦେବା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ପକ୍ଷପାତିତା କରୁଛନ୍ତି। ରାଜ୍ୟ ସରକାର ମାମଲାରେ ତୁରନ୍ତ କାର୍ଯ୍ୟନୁଷ୍ଠାନ ଗ୍ରହଣ ନକଲେ ଆଗାମୀ ଦିନରେ ବିଜେଡି ରାଜଭବନ ଆଗରେ ଆନ୍ଦୋଳନ କରିବ”, କହିଛନ୍ତି ବିଜେଡି ମୁଖପାତ୍ର ଲେଖାଶ୍ରୀ ସାମନ୍ତସିଂହାର।

ସେହିପରି କଂଗ୍ରେସ ପକ୍ଷରୁ ପିସିସି ସଭାପତି ଶରତ ପଟ୍ଟନାୟକ ଏଏସଓ ବୈକୁଣ୍ଠ ନାଥ ପ୍ରଧାନଙ୍କୁ ମାଡ଼ ମରାଯିବା ଅଭିଯୋଗକୁ ନେଇ ରାଜ୍ୟ ସରକାର ଉପରେ ବର୍ଷିଛନ୍ତି। ଏହି ମାମଲାରେ ଅଭିଯୁକ୍ତ ଲଳିତ୍ କୁମାର ଓ ତାଙ୍କ ସାଙ୍ଗମାନଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ ବୋଲି ସେ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଥିଲେ। କାର୍ଯ୍ୟାନୁଷ୍ଠାନ ନହେଲେ କଂଗ୍ରେସ ମଧ୍ୟ ନିଜ ଆନ୍ଦୋଳନକୁ ତୀବ୍ର କରିବ ବୋଲି ସେ କହିଛନ୍ତି।

ଅନ୍ୟପଟେ ଏହି ମାମଲାକୁ କେନ୍ଦ୍ର କରି ସୋମବାର ରାଜଭବନ ଆଗରେ ଧାରଣା ଦେଇଛି ଛାତ୍ର କଂଗ୍ରେସ। ଅଭିଯୁକ୍ତଙ୍କ ବିରୋଧରେ ତୁରନ୍ତ କାର୍ୟ୍ୟାନୁଷ୍ଠାନ ନେବା ଦାବିରେ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜଙ୍କ ନେତୃତ୍ୱରେ ଏକଧିକ ଛାତ୍ର କଂଗ୍ରେସ କର୍ମୀ ବିରୋଧ ପ୍ରଦର୍ଶନ କରିଛନ୍ତି।

ତେବେ ଏହି ମାମଲାରେ ଅଭିଯୁକ୍ତଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିବାବେଳେ ଅଭିଯୋଗ କରିଥିବା ଏଏସଓ ବୈକୁଣ୍ଠ ନାଥ ପ୍ରଧାନଙ୍କ ଗୃହ ବିଭାଗକୁ ବଦଳି କରାଯାଇଛି। ଏହା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଜୁଲାଇ ୭ ତାରିଖ ରାତିରେ ପୁରୀ ରାଜଭବନରେ ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ଲଳିତ କୁମାର ଓ ଅନ୍ୟ ସାଙ୍ଗମାନେ ତାଙ୍କୁ ମାଡ଼ ମାରିଥିବା ଅଭିଯୋଗ କରିଛନ୍ତି ଏଏସଓ ବୈକୁଣ୍ଠ ନାଥ ପ୍ରଧାନ। ଏନେଇ ସେ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଶାଶ୍ଵତ ମିଶ୍ରଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆନଯିବାରୁ ଶେଷରେ ସେ ପୁରୀ ସମୁଦ୍ରକୂଳ ଥାନାରେ ଏତଲା ଦେଇଥିଲେ।  

Tags: #RaghubarDas #GovernorofOdisha #LalitKumar #BaikunthaNathPradhan #ASO #Assault #BJD #Congress #Puri

Comment