ଓଡ଼ିଶାଲାଇଭ୍ ବ୍ୟୁରୋ

ଆରମ୍ଭ ହେଲା ଷୋଡ଼ଶ ବିଧାନସଭାର ୬ ଦିନିଆ ବଜେଟ୍ ଅଧିବେଶନ। କୋଭିଡ କଟକଣା ମଧ୍ୟରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଛି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ନିଜର ଅଭିଭାଷଣ ରଖି ରାଜ୍ୟ ସରକାରଙ୍କ ସଫଳତା ବଖାଣିଛନ୍ତି। କୋଭିଡ ମହାମାରୀଠାରୁ ମାଓବାଦୀ ମୁକାବିଲା ପର୍ଯ୍ୟନ୍ତ ସରକାରଙ୍କ କାର୍ଯ୍ୟପନ୍ଥା ଉପରେ ରାଜ୍ୟପାଳ ଗୁରୁତ୍ଵାରୋପ କରିଛନ୍ତି।

ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ହେମାନନ୍ଦ ବିଶ୍ୱାଳ ଓ ପୂର୍ବତନ ବାଚସ୍ପତି କିଶୋର ମହାନ୍ତିଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ କରାଯାଇଥିଲା। ସହିଦ ଜେନେରାଲ ବିପିନ ରାଓ୍ଵତଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳ ଶୋକ ପ୍ରକାଶ କରିବା ସହ ତାଙ୍କ ପରିବାରକୁ ସମବେଦନା ଜଣାଇଥିଲେ।

ନିଜ ଅଭିଭାଷଣରେ ରାଜ୍ୟପାଳ କହିଛନ୍ତି, “୨୦୨୧ ମସିହାରେ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ମୋଟା ମୋଟି ଶାନ୍ତିପୂର୍ଣ୍ଣ ରହିଛି”।

“କୋଭିଡରେ ଘରର ମୁରବୀ ପ୍ରାଣ ହରାଇବା ପରେ ଅସହାୟ ହୋଇପଡ଼ିଥିବା ସେମାନଙ୍କ ସନ୍ତାନ ଏବଂ ପରିବାର ପାଇଁ ୨୦୨୧ ଜୁନ ୨୦ରୁ ସରକାର ‘ଆଶୀର୍ବାଦ’ ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନାରେ ଆର୍ଥିକ ଏବଂ ଅନ୍ୟ ସହାୟତା ଯୋଗାଇ ଦିଆଯାଉଛି। ମୋଟ ୧୮,୮୨୭ ଜଣ ବାଳକ ବାଳିକା ଏହି ଯୋଜନାର ସୁବିଧା ପାଇଛନ୍ତି” କହିଛନ୍ତି ପ୍ରଫେସର ଗଣେଶୀ ଲାଲ।

ରାଜ୍ୟରେ ବାମପନ୍ଥୀ ଉଗ୍ରବାଦକୁ ଦୃଢ଼ତାର ସହ ଦମନ କରାଯାଇଛି। ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ଜିଲ୍ଲା ସଂଖ୍ୟା ୨୧ରୁ ଖସି ୧୦ରେ ପହଞ୍ଚିଛି ବୋଲି ରାଜ୍ୟପାଳ କହିଛନ୍ତି।

“କଚା ଘରକୁ ପକ୍କାଘର କରିବାକୁ ସରକାର ପ୍ରତିଶ୍ରୁତି ବଦ୍ଧ। ବିଜୁ ପକ୍କା ଘର ଯୋଜନାରେ ହିତାଧିକାରୀଙ୍କୁ ୩୧ ଲକ୍ଷ ପକ୍କାଘର ଯୋଗାଇ ଦିଆଯାଇଛି। ଏହା ସହ ମରାମତି ପାଇଁ ୩ ହଜାର ଟଙ୍କା ଲେଖାଏଁ ସହାୟତା ଦିଆଯାଇଛି”, ଅଭିଭାଷଣରେ କହିଛନ୍ତି ରାଜ୍ୟପାଳ।

ରାଜ୍ୟପାଳଙ୍କ ଅଭିଭାଷଣର ମୁଖ୍ୟାଂଶ

  • ୧୫ରୁ ଅଧିକ ବୃହତ୍ ଯୋଜନା କାର୍ଯ୍ୟକାରୀ କରି ସ୍ଵାସ୍ଥ୍ୟ ସେବାରେ ଓଡ଼ିଶା ଅଦ୍ଭୁତପୂର୍ବ ଅଗ୍ରଗତି କରିଛି।
  • ବିନା ଖର୍ଚ୍ଚରେ ସ୍ଵାସ୍ଥ୍ୟ ସେବା ଯୋଗାଇବା ପାଇଁ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଯ୍ୟକାରୀ ହୋଇଛି।
  • ୯୬ ଲକ୍ଷ ଦୁର୍ବଳ ଆର୍ଥିକ ସ୍ଥିତିରେ ଥିବା ପରିବାରକୁ ସ୍ମାର୍ଟ ହେଲଥ୍ କାର୍ଡ ଦିଆଯାଇଛି।
  • ବଲାଙ୍ଗିର, ବରଗଡ଼, କଳାହାଣ୍ଡି, ନୂଆପଡ଼ାର ୨୦ଟି ବ୍ଲକର ଶ୍ରମିକଙ୍କ ପାଇଁ ସ୍ଵତନ୍ତ୍ର ପ୍ୟାକେଜ ଦିଆଯାଇଛି।
  • ‘ମୁଖ୍ୟମନ୍ତ୍ରୀ ବୟନ ଜ୍ୟୋତି’ ମାଧ୍ୟମରେ ୨ ହଜାର ବୁଣାକାର ପରିବାରକୁ ବିଜୁଳି ଖର୍ଚ୍ଚ ଯୋଗାଇ ଦିଆଯାଇଛି।
  • ହସ୍ତତନ୍ତ ଏବଂ ହସ୍ତ ଶିଳ୍ପର ବିକାଶ ପାଇଁ ନୂଆ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।
  • ୬୦ ବର୍ଷରୁ ଊର୍ଦ୍ଧ୍ଵ ବୁଣାକାରଙ୍କୁ ମାସିକ ସାମାଜିକ ସୁରକ୍ଷା ସହାୟତା ଦିଆଯାଉଛି।
  • ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ୨୦୦ ଦିନର ଅତିରିକ୍ତ କାମ ଯୋଗାଇ ଦେବା ଲାଗି ୨୬୪ କୋଟି ଦିଆଯାଇଛି।
  • ପର୍ଯ୍ୟଟନସ୍ଥଳୀର ଉନ୍ନତିକରଣ ପାଇଁ ୮୩୦ କୋଟିର ପ୍ରକଳ୍ପ କାର୍ଯ୍ୟକାରୀ ହୋଇଛି।
  • କର୍ମ ସଂସ୍ଥାନ ହରାଇଥିବା ପ୍ରବାସୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଇଛି।
  • ୩୦ ଜିଲ୍ଲାକୁ ରେଳ ସଂଯୋଗ ପାଇଁ ସରକାର ପ୍ରତିଶ୍ରୁତି ବଦ୍ଧ।
  • ବ୍ୟଞ୍ଜନ ପର୍ଯ୍ୟଟନ ପ୍ରୋତ୍ସାହନ ପାଇଁ ରେଷ୍ଟୁରାଣ୍ଟ ଶୃଙ୍ଖଳ ‘ନିମନ୍ତ୍ରଣ’ ଆରମ୍ଭ ହୋଇଛି।
  • ଭୁବନେଶ୍ଵର, ପୁରୀ ଏବଂ ସମ୍ବଲପୁରରେ ଆରମ୍ଭ ହୋଇଛି ‘ନିମନ୍ତ୍ରଣ’।
  • ୩ କୋଟି ୨୬ ଲକ୍ଷ ହିତାଧିକାରୀ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ହୋଇଛନ୍ତି।
  • ୩୦୬ଟି କୃଷି ଉଦ୍ୟୋଗକୁ ୨୫ କୋଟି ଟଙ୍କାର ପ୍ରୋତ୍ସାହନ ଦିଆଯାଇଛି।
  • ଓଡ଼ିଶା ଆଜି ଏକ ବିଦ୍ୟୁତ୍ ବଳକା ରାଜ୍ୟରେ ପରିଣତ ହୋଇଛି: ରାଜ୍ୟପାଳ।
  • ୨୬ ଲକ୍ଷ ଶ୍ରମ ଦିବସ ସୃଷ୍ଟି ପାଇଁ ୪୦୦ କୋଟି ବ୍ୟୟ ହୋଇଛି।
  • ୨୪,୩୪୧ କୋଟି ପୁଞ୍ଜି ବିନିଯୋଗରେ ୫ ଲକ୍ଷ ଏମଏସଏମଇ ଉଦ୍ୟୋଗ ପ୍ରତିଷ୍ଠା ହୋଇଛି।
  • ୨୦୨୦-୨୧ରେ ୧୩ ଲକ୍ଷ ୯୪ ହଜାର ଚାଷୀଙ୍କଠାରୁ ୭୭ ଲକ୍ଷ ୩୩ ହଜାର ମେଟ୍ରିକ୍ ଟନ ଧାନ ସଂଗ୍ରହ ହୋଇଛି।
  • ୨୦୨୧-୨୨ରେ ୪ ହଜାର ୨୭୪ଟି ବାଣିଜ୍ୟିକ କୃଷି ଉଦ୍ୟୋଗର ପଞ୍ଜିକରଣ ପାଇଁ ଅନଲାଇନରେ ପ୍ରସ୍ତାବ ଆସିଛି।

Tags: #OdishaAssembly #AssemblyBudgetSession #BudgetSession2022 #SpeechofGovernor #GovernorofOdisha #ProfGaneshiLal

Comment