ଓଡ଼ିଶାଲାଇଭ୍ ବ୍ୟୁରୋ

(ନୟାଗଡ଼ରୁ ନିଶିକାନ୍ତ ରଥ): ଓଡ଼ିଶାର ରାଜ୍ୟପାଳ ରଘୁବର ଦାସ ସୋମବାର ନୟାଗଡ଼ ଜିଲ୍ଲା ଗସ୍ତରେ ଆସି ଲୋକମାନଙ୍କ ସହ କଥା ହେବା ସହ ବିଭିନ୍ନ ଯୋଜନା ବାବଦରେ ପଚାରି ବୁଝିଛନ୍ତି। ଏହାସହ ସେ ଶରଣକୁଳ ସ୍ଥିତ ଲଡ଼ୁବାବାଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି।

ରାଜ୍ୟପାଳ ରଘୁବର ଦାସ ସୋମବାର ସକାଳ ୧୧ଟା ବେଳେ ନୟାଗଡ଼ରେ ପହଞ୍ଚିଥିଲେ। ଏହାପରେ ସ୍ଥାନୀୟ ସର୍କିଟ ହାଉସଠାରେ ତାଙ୍କୁ ପୋଲିସ ପକ୍ଷରୁ ଗାର୍ଡ ଅଫ ଅନର୍ ଦିଆଯାଇଥିଲା। ଏହାପରେ ସେ ନୟାଗଡ଼ ସହର ଉପକଣ୍ଠସ୍ଥ ଲେଙ୍କୁଡ଼ିପଡ଼ାଠାରେ ଏକ ଅଙ୍ଗନୱାଡି କେନ୍ଦ୍ର ପରିଦର୍ଶନ କରିଥିଲେ। ସେଠାରେ ଅଙ୍ଗନୱାଡି କର୍ମୀଙ୍କ ସହ ‘ପୋଷଣ’ ଯୋଜନାର ସଠିକ ରୂପାୟନ ବିଷୟରେ ସେ ଆଲୋଚନା କରିଥିଲେ।

ଏହି ସମୟରେ ରାଜ୍ୟପାଳ ‘ପୋଷଣ’ ଯୋଜନାରେ ଶିଶୁମାନଙ୍କୁ ଦିଆଯାଉଥିବା ଖାଦ୍ୟ ଓ ଅନ୍ୟାନ୍ୟ ସୁବିଧା ବିଷୟରେ ପଚାରି ବୁଝିଥିଲେ। ଶିଶୁମାନଙ୍କ ଉପଯୁକ୍ତ ଯତ୍ନ ନେବା ପାଇଁ ସେ ଅଙ୍ଗନୱାଡି କର୍ମୀଙ୍କୁ ପରାମର୍ଶ ଦେଇଥିଲେ।

ଏହାପରେ ରାଜ୍ୟପାଳ ନୟାଗଡ଼ର ମାଛିପଡ଼ାଠାରେ ସ୍ଵୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ଭେଟିଥିଲେ। ସେଠାରେ ସେ ମିଳୁଥିବା ସୁବିଧା ସୁଯୋଗ ବାବଦରେ ଏସଏଚଜି ମହିଳାଙ୍କ ସହ ଆଲୋଚନା କରିଥିଲେ। ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ ହୋଇ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ରାଜ୍ୟପାଳ ପରାମର୍ଶ ଦେଇଥିଲେ। ଏହାପରେ ସେ ଶରଣକୁଳ ଯାଇ ଲଡ଼ୁବାବାଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି।

ସୋମବାର ରାଜ୍ୟପାଳ ରଘୁବର ଦାସ ନୟାଗଡ଼ ଜିଲ୍ଲାରେ ଏକାଧିକ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ସେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟକାରିତାକୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ବୈଠକରେ ଅଧ୍ୟକ୍ଷତା କରିଥିଲେ। ଜିଲ୍ଲାବାସୀଙ୍କୁ ଗୋ ପାଳନ, ଗୋବର ଗ୍ୟାସ୍ ଓ ସୌରଶକ୍ତି ଦିଦ୍ୟୁତ୍ ବ୍ୟବହାର ଲାଗି ପ୍ରୋତ୍ସାହନ ଯୋଗାଇ ଦେବାକୁ ରାଜ୍ୟପାଳ ଜିଲ୍ଲା ପ୍ରଶାସନିକକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ଜିଲ୍ଲାରେ କୃଷି ବିକାଶ ବାବଦରେ କିଛି ଚାଷୀଙ୍କ ସହ ମଧ୍ୟ ଆଲୋଚନା କରିଥିଲେ।

ସେହିପରି ଅପରାହ୍ଣରେ ରାଜ୍ୟପାଳ ନୟାଗଡ଼ର ଗ୍ରାମାଞ୍ଚଳରେ ଏକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇ ସ୍ଵାସ୍ଥ୍ୟସେବାର ସମୀକ୍ଷା କରିଥିଲେ। ସେଠାରେ ସେ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ଓ ଆଶାକର୍ମୀଙ୍କ ସହ ରୋଗୀଙ୍କ ଯତ୍ନନେବା ବିଷୟରେ ଆଲୋଚନା କରିଥିଲେ।। ଏହାସହ ସେଠାରେ ମିଳୁଥିବା ସ୍ୱାସ୍ଥ୍ୟ ସୁବିଧା ବାବଦରେ କିଛି ରୋଗୀଙ୍କ ମତାମତ ମଧ୍ୟ ନେଇଥିଲେ।

ଦିନିକିଆ ନୟାଗଡ଼ ଗସ୍ତ ଶେଷ କରି ରାଜ୍ୟପାଳ ଅପରାହ୍ଣ ୫ଟା ଭୁବନେଶ୍ୱର ଫେରିଯାଇଥିଲେ। ରାଜ୍ୟପାଳଙ୍କ ଗସ୍ତ ସମୟରେ ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ ଓ ଉପ ଜିଲ୍ଲାପାଳ ଶକ୍ତିକାନ୍ତ ରାୟଙ୍କ ସମେତ ବହୁ ପଦାଧିକାରୀ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ।

Tags: #RaghubarDas #GovernorofOdisha #NayagarhVisit #Nayagarh      

LEAVE A REPLY

Please enter your comment!
Please enter your name here