ଓଡ଼ିଶାଲାଇଭ୍ ବ୍ୟୁରୋ

“ରାଉରକେଲାରେ ଝାଡ଼ାବାନ୍ତି ସ୍ଥିତି ସୁଧୁରୁଛି। ଝାଡ଼ାବାନ୍ତିରେ ଆକ୍ରାନ୍ତ ହେଉଥିବା ନୂଆ ରୋଗୀଙ୍କ ଅବସ୍ଥା ପୂର୍ବପରି ଆଉ ଗୁରୁତର ହେଉନାହିଁ। ଚିକିତ୍ସିତ ହେଉଥିବା ଆକ୍ରାନ୍ତ ଶୀଘ୍ର ଭଲ ହୋଇ ଘରକୁ ଫେରୁଛନ୍ତି। ଆସନ୍ତା ଦୁଇରୁ ତିନିଦିନ ମଧ୍ୟରେ ସ୍ଥିତି ନିୟନ୍ତ୍ରଣକୁ ଆସିଯିବ”, ଝାଡ଼ାବାନ୍ତିର ସ୍ଥିତି ସମୀକ୍ଷା କରିବାକୁ ରାଉରକେଲା ଆସିଥିବା ସମୟରେ ଏହିଭଳି କହିଛନ୍ତି ସ୍ୱାସ୍ଥ୍ୟ ବିଭାଗର କମିଶନର ତଥା ସଚିବ ଶାଳିନୀ ପଣ୍ଡିତ।

ରାଉରକେଲାରେ ଖାଦ୍ୟ ଏବଂ ପାଣିର ମାନ ଯାଞ୍ଚ କରାଯାଉଛି। ଘରେ ଘରେ ଲୋକଙ୍କୁ ସତର୍କ କରାଯାଉଛି। ସହରରେ ଥିବା ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ ୨୪ ଘଣ୍ଟିଆ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଉଛି। ପରିସ୍ଥିତି ନିୟନ୍ତ୍ରଣକୁ ଆସିବା ଯାଏଁ ଏହି ସେବା ଜାରି ରହିବ ବୋଲି ସ୍ୱାସ୍ଥ୍ୟ ସଚିବ ସାଳିନୀ ପଣ୍ଡିତ କହିଛନ୍ତି।

ଖାଦ୍ୟ ଓ ପାଣିର ମାନ ଯାଞ୍ଚ କରାଯାଉଛି। କେଉଁ କାରଣରୁ ଇସ୍ପାତ ନଗରୀରେ ହଇଜା ବ୍ୟାପିଲା ଏସସିବିରୁ ସ୍ୱତନ୍ତ୍ର ଟିମ ଆସି ତା’ର ତଦନ୍ତ କରିବେ ବୋଲି ସ୍ୱାସ୍ଥ୍ୟ ସଚିବ କହିଛନ୍ତି।

ରାଉରକେଲାରେ ଝାଡ଼ାବାନ୍ତି ସ୍ଥିତି ଅଣାୟତ୍ତ ହେବାରୁ ଏଥିରେ ହସ୍ତକ୍ଷେପ କରିଥିଲେ ରାଜ୍ୟ ସରକାର। ମଙ୍ଗଳବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଉରକେଲା ସ୍ଥିତିର ସମୀକ୍ଷା କରିଥିଲେ। ବୁଧବାର ଦିନ ଗ୍ରାଉଣ୍ଡରୁ ଝାଡ଼ାବାନ୍ତିର ସ୍ଥିତି ପରଖିବାକୁ ରାଉରକେଲାରେ ପହଞ୍ଚିଥିଲେ ସ୍ୱାସ୍ଥ୍ୟ ସଚିବ, ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ସହ ସ୍ୱାସ୍ଥ୍ୟ ବିଭାଗର ୬ ଜଣିଆ ଟିମ୍।

ବର୍ତ୍ତମାନ ସୁଦ୍ଧା ଝାଡ଼ାବାନ୍ତି ଯୋଗୁଁ ୯ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧,୦୨୫ ଜଣ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି।

Tags: #Rourkela#Cholera #Diarrhea #Death #Odisha #Health

Comment