ଓଡ଼ିଶାଲାଇଭ୍ ବ୍ୟୁରୋ

ରାଉରକେଲା ସୀମାନ୍ତରେ ଥିବା ଝାଡ଼ଖଣ୍ଡର ମନୋହରପୁର ଅଞ୍ଚଳରେ ମାଓବାଦୀଙ୍କ ହିଂସାକାଣ୍ଡ ଦେଖିବାକୁ ମିଳିଛି। ରାଉରକେଲା ଓ ମନୋହରପୁର ଷ୍ଟେସନ ମଝିରେ ଥିବା ବିରୁୱାଠାରେ ଗୁରୁବାର ରାତିରେ ମାଓବାଦୀମାନେ ରେଳଧାରଣା ଉଡ଼ାଇ ଦେଇଥିଲେ। ଫଳରେ ମୁମ୍ବାଇ-ହାୱଡା ରୁଟରେ ଟ୍ରେନ୍ ଚଳାଚଳ ପ୍ରଭାବିତ ହୋଇଛି। ଏବେ ପ୍ରାୟ ୧୨ ଘଣ୍ଟା ପରେ ଏଠାରେ ଟ୍ରେନ ଚଳାଚଳ ସ୍ଵାଭାବିକ ହୋଇଥିଲେ ମଧ୍ୟ ଅଧିକାଂଶ ଟ୍ରେନ ବିଳମ୍ବରେ ଚାଲୁଛି।

ଗୁରୁବାର ରାତି ପ୍ରାୟ ୧୧ଟା ବେଳେ ମାଓବାଦୀମାନେ ବିରୁୱାଠାରେ ଟ୍ରେନ ଟ୍ରାକ ଉଡ଼ାଇ ଦେଇଥିଲେ। ଏହାସହ ଘଟଣାସ୍ଥଳରେ ସେମାନେ ପୋଷ୍ଟର ଓ ବ୍ୟାନର ମରିଥିବା ଦେଖିବାକୁ ମିଳିଥିଲା।  

ଏହି ଘଟଣା ସାମ୍ନାକୁ ଆସିବାପରେ ୨୦ରୁ ଅଧିକ ଟ୍ରେନକୁ ରାଉରକେଲା, ଚକ୍ରଧରପୁର, ମନୋହରପୁର ଆଦି ଷ୍ଟେସନରେ ଅଟକା ଯାଇଥିଲା। ଏହାଫଳରେ ଟ୍ରେନଗୁଡ଼ିକ ବିଳମ୍ବ ହେବା ଯୋଗୁଁ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହୋଇଥିଲେ।

ଏହାପରେ ସିଆରପିଏଫ୍ ଯବାନ, ପୋଲିସ ଓ ବମ୍ ସ୍କ୍ୱାଡ୍ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଥିଲେ। ସେହିପରି ରେଳବାଇ କର୍ମଚାରୀମାନେ ଟ୍ରାକ ମରାମତି କାମ ଆରମ୍ଭ କରିଥିଲେ। ଏବେ ବିସ୍ଫୋରଣ ହୋଇଥିବା ଟ୍ରାକର ମରାମତି ଜାରି ରହିଛି। ତେବେ ପ୍ରାୟ ୧୨ ଘଣ୍ଟାର ପରେ ଶୁକ୍ରବାର ସକାଳ ୯ଟା ବେଳେ ଏଠାରେ ଥିବା ଅନ୍ୟ ଦୁଇଟି ଟ୍ରାକରେ ଟ୍ରେନ ଚଳାଚଳ ଆରମ୍ଭ ହୋଇଥିଲା।

Tags: #Maoists #RailwayTrackBlast #TrainServices #Rourkela #Jharkhand #IndianRailways

Comment