ଓଡ଼ିଶାଲାଇଭ୍ ବ୍ୟୁରୋ

ଛତିଶଗଡ଼ର ବିଜାପୁର ଜିଲ୍ଲା ଜଙ୍ଗଲରେ ବୁଧବାର ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏହି ଏନକାଉଣ୍ଟରରେ ୨୨ ଜଣ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି। ଘଟଣାସ୍ଥଳରୁ ବନ୍ଧୁକ ଓ ଅନେକ ମାତ୍ରରେ ବିସ୍ଫୋରକ ସାମଗ୍ରୀ ଜବତ ହୋଇଥିବାବେଳେ ଏବେ ଜଙ୍ଗଲରେ ସର୍ଚ୍ଚ ଅପରେସନ ଜାରି ରହିଛି।
ଛତିଶଗଡ଼-ତେଲଙ୍ଗନା ସୀମାରେ ଥିବା ବିଜାପୁର ଜିଲ୍ଲା କେରଗେଟ୍ଟା ହିଲ୍ସ ଜଙ୍ଗଲରେ ମାଓବାଦୀମାନେ କ୍ୟାମ୍ପ କରିଥିବା ପୋଲିସକୁ ଗୁଇନ୍ଦା ବିଭାଗ ପକ୍ଷରୁ ସୂଚନା ମିଳିଥିଲା। ଏହାକୁ ଆଧାର କରି ଛତିଶଗଡ଼ ପୋଲିସର ଡିଆରଜି ବାହିନୀ ଓ ସିଆରପିଏଫ୍ ପକ୍ଷରୁ ମେ’ ୫ ତାରିଖରେ ଉକ୍ତ ଅଞ୍ଚଳରେ କୁମ୍ବିଂ ଅପରେସନ ଆରମ୍ଭ ହୋଇଥିଲା।
ବୁଧବାର କୁମ୍ବିଂ ଅପରେସନବେଳେ ପୋଲିସ-ମାଓବାଦୀ ମୁହାଁମୁହିଁ ହୋଇଥିଲେ। ପୋଲିସଙ୍କୁ ଦେଖି ମାଓବାଦୀମାନେ ପ୍ରଥମେ ଗୁଳିଚାଳନା କରିଥିଲେ। ପରେ ଯବାନମାନେ ଏହାର ପାଲଟା ଜବାବ ଦେଇଥିଲେ। ଏଥିରେ ୨୨ ଜଣ ମାଓବାଦୀ ନିହତ ହୋଇଥିବାବେଳେ ଅନ୍ୟମାନେ ଖସି ପଳାଇଥିଲେ।
ପୋଲିସ ପକ୍ଷରୁ ନିହତ ହୋଇଥିବା ମାଓବାଦୀଙ୍କ ମୃତଦେହ ଠାବ କରାଯାଇଛି। ଏହାସହ ବିସ୍ଫୋରକ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି। ଏବେ ଅନ୍ୟ ମାଓବାଦୀଙ୍କୁ ଠାବ କରିବା ପାଇଁ ସର୍ଚ୍ଚ ଅପରେସନ ଜାରି ରହିଛି।
Tags: #Police-MaoistEncounter #Maoists #Bijapur #Chhattisgarh