ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

“ଏଠି କେବଳ ନବୀନ ହାଓ୍ଵା ଚାଲିଛି। ଓଡ଼ିଶାରେ ପୁଣି ସରକାର ଗଢ଼ିବ ବିଜେଡି। ଆସନ୍ତା ଜୁନ ୯ ତାରିଖରେ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନବୀନ ପଟ୍ଟନାୟକ”, ରାଉରକେଲାର ରଘୁନାଥପଲ୍ଲୀଠାରେ ଆୟୋଜିତ ଜନସଭାରେ ଏଭଳି କହିଛନ୍ତି ବିଜେଡି ନେତା ଭି କେ ପାଣ୍ଡିଆନ।

ଏହି ଅବସରରେ ଭି କେ ପାଣ୍ଡିଆନ କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ବିଜେଡି ସରକାର ଲୋକଙ୍କ ସରକାର। ଓଡ଼ିଶା ତଥା ଓଡ଼ିଶାବାସୀଙ୍କ ବିକାଶ ଲାଗି ନବୀନ ପଟ୍ଟନାୟକଙ୍କ ସରକାର ସବୁବେଳେ ପ୍ରାଥମିକତା ଦେଇଆସୁଛି। ବିରୋଧୀ କେବଳ ଅପପ୍ରଚାରରେ ବ୍ୟସ୍ତ ଅଛନ୍ତି। ଲୋକଙ୍କ ସମସ୍ୟା ପ୍ରତି ତାଙ୍କର ଗୁରୁତ୍ଵ ନାହିଁ ବୋଲି ପାଣ୍ଡିଆନ କହିଛନ୍ତି।

କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ସେ ଆହୁରି କହିଛନ୍ତି ଯେ, ନବୀନ ସରକାର ଯାହା ଗ୍ୟାରେଣ୍ଟି ଦିଅନ୍ତି, ତା’ଠାରୁ ଅଧିକ କରିକି ଦେଖାନ୍ତି। ଏବେଠାରୁ ଆଉ ପେଟ୍ରୋଲ ଏବଂ ଏଲପିଜି ଦର ବଢ଼ିବନି ବୋଲି କେନ୍ଦ୍ର ସରକାର ଗ୍ୟାରେଣ୍ଟି ଦେଇପାରିବେ କି ବୋଲି ପ୍ରଶ୍ନ କରିଛନ୍ତି ଭି କେ ପାଣ୍ଡିଆନ।

ସିଧାସଳଖ କେନ୍ଦ୍ରମନ୍ତ୍ରୀଙ୍କୁ ଟାର୍ଗେଟ କରି ସେ କହିଥିଲେ, ୧୦ ବର୍ଷ ଧରି ବଡ଼ ବଡ଼ ବିଭାଗରେ ରହିଥିଲେ ମଧ୍ୟ ଓଡ଼ିଶାର ବିକାଶ ପାଇଁ କୌଣସି କାମ କରିନାହାନ୍ତି। ସେ ଆହୁରି କହିଥିଲେ ଯେ, ନିର୍ବାଚନ ସମୟ ଆସିଲେ ବହୁତ ବଡ଼ ବଡ଼ ନେତା ଆସିବେ, ବଡ଼ ବଡ଼ ପ୍ରତିଶ୍ରୁତି ଦେବେ, କିନ୍ତୁ ନିର୍ବାଚନ ସରିବା ପରେ ସବୁ ଭୁଲିଯିବେ।

୨୦୧୪ରେ ଓଡ଼ିଶାରେ ପ୍ରତିବର୍ଷ ୨ କୋଟି ରୋଜଗାର ଦେବାକୁ କେନ୍ଦ୍ର ସରକାର ପ୍ରତିଶ୍ରୁତି ଦେଇଥିଲେ। ହେଲେ କିଛି ହେଲା ନାହିଁ। ୨୦୧୯ରେ ମଧ୍ୟ ବଡ଼ ବଡ଼ ପ୍ରତିଶ୍ରୁତି ମିଳିଲା। କ୍ଷମତାକୁ ଆସିଲେ ଦରଦାମଠାରୁ ଆରମ୍ଭ କରି ତେଲ, ପେଟ୍ରୋଲ ଏବଂ ଗ୍ୟାସ ଦର କମିବ ବୋଲି କୁହାଗଲା। କିନ୍ତୁ ପ୍ରତିଶ୍ରୁତିକୁ ଓଲଟା ପାଳନ କରାଗଲା। ଦରଦାମ କମିବା ବଦଳରେ ବଢ଼ିବାରେ ଲାଗିଲା ବୋଲି ପାଣ୍ଡିଆନ କହିଥିଲେ।

ସେ କହିଥିଲେ, ଓଡ଼ିଶା ଏବଂ ଓଡ଼ିଶାବାସୀଙ୍କ ବିକାଶ ହିଁ ନବୀନ ସରକାରଙ୍କର ଏକ ମାତ୍ର ଲକ୍ଷ୍ୟ ରହିଛି। ଏଥର ବି ନବୀନ ପଟ୍ଟନାୟକ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଷଷ୍ଠ ଥର ପାଇଁ ଶପଥ ନେବେ। ଆସନ୍ତା ଜୁନ ୯ ତାରିଖ ବିଜେଡି ସରକାରଙ୍କ ଶପଥ ଗ୍ରହଣ ଉତ୍ସବ ପରେ ରାଜ୍ୟବାସୀଙ୍କୁ ମାଗଣା ବିଜୁଳି ପ୍ରଦାନ ନେଇ ବଡ଼ ଘୋଷଣା କରାଯିବ ବୋଲି ରଘୁନାଥପାଲ୍ଲୀଠାରେ କହିଛନ୍ତି ବିଜେଡି ନେତା ଭି କେ ପାଣ୍ଡିଆନ। ଆସନ୍ତା ଜୁଲାଇ ମାସରୁ ରାଜ୍ୟବାସୀଙ୍କ ଆଉ ବିଜୁଳି ବିଲ୍ ଦେବାକୁ ପଡ଼ିବ ନାହିଁ ବୋଲି ସେ କହିଛନ୍ତି।

ଆୟୋଜିତ ଜନସଭାରେ ରଘୁନାଥପାଲ୍ଲୀ ବିଜେଡି ପ୍ରାର୍ଥୀ ଅର୍ଚ୍ଚନା ବେହେରା, ରଘୁନାଥପାଲି ବିଧାୟକ ସୁବ୍ରତ ତରାଇ, ମନ୍ଦିର ଟ୍ରଷ୍ଟ ବୋର୍ଡ କର୍ମକର୍ତ୍ତାଙ୍କ ସହ ବହୁ ବିଜେଡି ନେତା ଓ କର୍ମୀ ଉପସ୍ଥିତ ଥିଲେ।

ସଭା ପରେ ଭି କେ ପାଣ୍ଡିଆନ ପାନ୍ଥନିବାସଠାରେ ରାଉରକେଲା ସହରର ବିଭିନ୍ନ ସଂଗଠନର କର୍ମକର୍ତ୍ତାଙ୍କ ସହ ସାକ୍ଷାତ କରି ଆଲୋଚନା କରିଥିଲେ। ଶୁକ୍ରବାର ରାଉରକେଲାରେ ବିଶାଳ ରୋଡ ସୋ’ କରିଥିଲେ ଭି କେ ପାଣ୍ଡିଆନ।

Tags: #Politics #OdishaPolitics #AssemblyElections2024 #Odisha #BJD #BJP #VKPandian #Rourkela

LEAVE A REPLY

Please enter your comment!
Please enter your name here