ଓଡ଼ିଶାଲାଇଭ୍ ବ୍ୟୁରୋ

ଟୋକିଓ ପାରାଲିମ୍ପିକ୍ସରେ ଭାରତର ପଦକ ସଂଖ୍ୟା ବଢ଼ିବାରେ ଲାଗିଛି। ଶୁକ୍ରବାର ସୁଟିଙ୍ଗ ପ୍ରତିଯୋଗିତାରେ କମାଲ କରିଛନ୍ତି ଭାରତର ଆଉ ଦୁଇ ଖେଳାଳି। ଏଥିପାଇଁ ଜଣେ ସ୍ଵର୍ଣ୍ଣ ପଦକ ହାସଲ କରିଥିବାବେଳେ ଆଉ ଜଣେ ରୌପ୍ୟ ପଦକ ହାତେଇ ଦେଶକୁ ଗର୍ବିତ କରିଛନ୍ତି। ଏଥିସହ ସମୁଦାୟ ପଦକ ସଂଖ୍ୟା ୧୫କୁ ବୃଦ୍ଧି ପାଇଥିବାବେଳେ ସ୍ଵର୍ଣ୍ଣ ପଦକ ସଂଖ୍ୟା ୩କୁ ବୃଦ୍ଧି ପାଇଛି।

ପାରା ସୁଟର ମନୀଷ ନରୱାଲ ସୁଟିଙ୍ଗରେ ୨୧୮.୨ ପଏଣ୍ଟ କରି ପ୍ରଥମ ସ୍ଥାନରେ ରହିଥିବାବେଳେ ସିଂହରାଜ ୨୧୬.୭ ପଏଣ୍ଟ କରି ଦ୍ୱିତୀୟ ସ୍ଥାନରେ ରହିଥିଲେ। ପାରାଲିମ୍ପିକ୍ସରେ ଏହା ହେଉଛି ସିଂହରାଜଙ୍କ ଦ୍ୱିତୀୟ ପଦକ। ପୂର୍ବରୁ ୧୦ ମିଟର ଏୟାର ପିସ୍ତଲରେ ବ୍ରୋଞ୍ଜ ପଦକ ଜିତିଥିଲେ ସିଂହରାଜ। ଉଭୟଙ୍କ ସଫଳତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ କରି ଶୁଭେଚ୍ଛା ଜଣାଇଛନ୍ତି।ସେପେଟ ହରିୟାଣାର ଏହି ଦୁଇ ଖେଳାଳିଙ୍କ ବିଜୟ ପରେ ଅର୍ଥ ରାଶି ପୁରସ୍କାର ଘୋଷଣା କରିଛନ୍ତି ହରିୟାଣା ସରକାର। ସ୍ଵର୍ଣ୍ଣ ପଦକ ଜିତିଥିବା ମନୀଷଙ୍କ ପାଇଁ ୬କୋଟି ଟଙ୍କା ଘୋଷଣା କରାଯାଇଥିବାବେଳେ ୪କୋଟି ଟଙ୍କା ରୌପ୍ୟ ପଦକ ବିଜେତା ସିଂହରାଜଙ୍କ ପାଇଁ ଘୋଷଣା କରାଯାଇଛି। ଖାଲି ଏତିକି ନୁହେଁ ଅର୍ଥ ରାଶି ସାଙ୍ଗକୁ ସରକାରୀ ଚାକିରି ଦେବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି ହରିୟାଣା ସରକାର।

୨୦୧୬ ରିଓ ପାରାଲିମ୍ପିକ୍ସରେ ଭାରତ ସମୁଦାୟ ୪ଟି ପଦକ ଜିତିଥିବାବେଳେ ସେଥିରେ ଥିଲା ୨ଟି ସ୍ଵର୍ଣ୍ଣ। କିନ୍ତୁ ଏ ବର୍ଷ ଟୋକିଓ ପାରାଲିମ୍ପିକ୍ସରେ ଭାରତର ପଦକ ସଂଖ୍ୟା ୧୫ରେ ପହଞ୍ଚିଛି। ସେଥିରେ ସର୍ବାଧିକ ୩ଟି ସ୍ଵର୍ଣ୍ଣ ପଦକ ରହିଛି। ସୂଚନା ଥାଉକି ମନୀଷଙ୍କ ପୂର୍ବରୁ ଅବନୀ ଲେଖାରା ଓ ସୁମିତ ଅନ୍ତିଲ ଦେଶ ପାଇଁ ପାରାଲିମ୍ପିକ୍ସରୁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସେପେଟ ଆଉ ଏକ ପଦକ ମଧ୍ୟ ସୁନିଶ୍ଚିତ କରିଛନ୍ତି ବ୍ୟାଡମିଟନ ତାରକା ପ୍ରମୋଦ ଭଗତ।

ଭାରତୀୟ ସମୟ ଅନୁସାରେ ଆଜି ଅପରାହ୍ନ ୩ଟା ବେଳେ ଫାଇନାଲ ମ୍ୟାଚ ଖେଳିବାକୁ ଯାଉଛନ୍ତି ପ୍ରମୋଦ। ଯଦି ସେ ଭଲ ପ୍ରଦର୍ଶନ କରନ୍ତି, ତେବେ ଭାରତ ହାତେଇବ ଆଉ ଏକ ସ୍ଵର୍ଣ୍ଣ, ନହେଲେ ପ୍ରମୋଦଙ୍କୁ ରୌପ୍ୟରେ ସନ୍ତୁଷ୍ଟ ହେବାକୁ ପଡ଼ିବ।

ଆଜିର ପଦକକୁ ମିଶାଇ ୩ଟି ସ୍ଵର୍ଣ୍ଣ, ୭ଟି ରୌପ୍ୟ ଏବଂ ୫ଟି ବ୍ରୋଞ୍ଜ ପଦକ ହାସଲ କରିବାରେ ସକ୍ଷମ ହୋଇଛନ୍ତି ଭାରତୀୟ ପାରା ଆଥଲେଟ୍। ପାରାଲିମ୍ପିକ୍ସ ଇତିହାସରେ ଭାରତର ଏହା ହେଉଛି ସର୍ବଶ୍ରେଷ୍ଠ ପ୍ରଦର୍ଶନ।

Comment