ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନାରେ ଆଖି ବୁଜିଛନ୍ତି ଫ୍ଲାଇଙ୍ଗ ଶିଖ୍ ଏବଂ ତାଙ୍କ ପତ୍ନୀ ନିର୍ମଳା କୌର। କେମିତି ଥିଲା ସେମାନଙ୍କ ଲଭ୍ ଷ୍ଟୋରି ଜାଣନ୍ତୁ?

ଫ୍ଲାଇଙ୍ଗ ଶିଖ୍ ମିଲଖା ସିଂଙ୍କ କରୋନାରେ ପରଲୋକ ଘଟିଛି। କିଛି ଦିନ ପୂର୍ବରୁ ଅର୍ଥାତ୍ ଜୁନ୍ ୧୩ତାରିଖରେ ତାଙ୍କ ପତ୍ନୀ ନିର୍ମଳା କୌରଙ୍କ ମୃତ୍ୟୁ ହୋଇଥିଲା। ସେ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇ ଆଖି ବୁଜିଛନ୍ତି। ନିର୍ମଳା କୌର ଭାରତୀୟ ମହିଳା ଭଲିବଲ୍ ଦଳର ପୂର୍ବତନ ଅଧିନାୟିକା ଥିଲେ। ଦୀର୍ଘ ବର୍ଷ ଧରି ସାଙ୍ଗରେ ରହିଥିବା ଦୁଇ ବିଶିଷ୍ଟ ଭାରତୀୟ ଖେଳାଳିଙ୍କର ଅଳ୍ପ ଦିନ ବ୍ୟବଧାନରେ ମୃତ୍ୟୁ ହେବା ଖବର ଏକ ସଂଯୋଗ ପରି ମନେହେଉଛି। ତେବେ କେମିତି ଥିଲା ମିଲଖା ସିଂ ଓ ନିର୍ମଳା କୌରଙ୍କ ପ୍ରେମ କାହାଣୀ ଜାଣନ୍ତୁ।“ପ୍ରଥମ ଦେଖାରେ ମୁଁ ନିର୍ମଳାଙ୍କୁ ଭଲପାଇ ବସିଥିଲି। କିନ୍ତୁ ତାଙ୍କୁ ପତ୍ନୀ ଭାବରେ ପାଇବା ପାଇଁ ଅନେକ ଚେଷ୍ଟା କରିବାକୁ ପଡ଼ିଥିଲା। ମୁଁ ଶିଖ୍ ଓ ସେ ହିନ୍ଦୁ ହୋଇଥିବାରୁ ଆମ ଭଲପାଇବାକୁ ସହଜରେ ଗ୍ରହଣ କରିନଥିଲେ ପରିବାର ସଦସ୍ୟ ଶେଷରେ ପଞ୍ଜାବର ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ପ୍ରତାପ ସିଂ କୌରଙ୍କ ବୁଝାସୁଝା ପରେ ଆମର ବାହାଘର ହୋଇଥିଲା”, ଏକ ଜାତୀୟ ଗଣମାଧ୍ୟମରେ ସାକ୍ଷାତକାର ଦେବା ସମୟରେ କହିଥିଲେ ମିଲଖା ସିଂ।

୧୯୫୫ ମସିହା କଲମ୍ବୋଠାରେ ଉଭୟଙ୍କର ସାକ୍ଷାତ ହୋଇଥିଲା। ସେମାନେ ସେଠାକୁ ଏକ ଆଥଲେଟରେ ଭାଗ ନେବା ପାଇଁ ଯାଇଥିଲେ। ସେହି ସମୟରେ ନିର୍ମଳା ଭାରତୀୟ ମହିଳା ଭଲିବଲ ଟିମର ଅଧିନାୟିକ ଥିଲେ। ପ୍ରାୟ ୬ବର୍ଷ ପରେ ସେମାନେ ବିବାହ କରିବାକୁ ସ୍ଥିର କରିଥିଲେ ହେଁ ପରିବାରର ସ୍ଵିକୃତି ମିଳିନଥିଲା। ସେମାନେ ପରସ୍ଫର କୋର୍ଟରେ ବିବାହ କରିବା ପାଇଁ ସ୍ଥିର କରିଥିଲେ। ଏ କଥାକୁ ଜାଣିପାରିଥିଲେ, ପଞ୍ଜାବର ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ପ୍ରତାପ ସିଂ କୌର।ପ୍ରତାପ ସିଂ ନିର୍ମଳାଙ୍କ ଘରକୁ ଯାଇ ତାଙ୍କ ବାପାଙ୍କୁ ବହୁ ବୁଝାସୁଝା କରିବାପରେ ସେ ବାହାଘର ପାଇଁ ରାଜି ହୋଇଥିଲେ। ଶେଷରେ ୧୯୬୨ ମସିହାରେ ନିର୍ମଳାଙ୍କ ହାତ ଧରିଥିଲେ ଭାରତର ମହାନ ଧାବକ ତଥା ଫ୍ଲାଇଙ୍ଗ ଶିଖ ମିଲଖା ସିଂ। ଏହି ଦୌଡ଼ ତାରକା ଜଣଙ୍କ ସବୁବେଳେ ଗଣମାଧ୍ୟମ ସାମ୍ନାରେ ନିଜ ପତ୍ନୀଙ୍କର ପ୍ରଶଂସା କରିବାକୁ ଭଲପାଆନ୍ତି।

ସେ କହୁଥିଲେ, “ଖେଳ ପାଇଁ ମୁଁ ସବୁବେଳେ ଦେଶ ବିଦେଶ ବୁଲୁଥାଏ। ପିଲାମାନଙ୍କୁ ପଢ଼ାଇବା ଏବଂ ସଂସ୍କାର ଦେବାରେ ନିର୍ମଳାଙ୍କ ଭୂମିକା ଅତୁଳନୀୟ। ଖାଲି ସେତିକି ନୁହେଁ, ମୁଁ ପାଇଥିବା ସମସ୍ତ ଉପାଧି ଓ ମେଡାଲ ପଛର ନାୟିକା ଆଉ କିଏ ନୁହଁନ୍ତି, ସେ ହେଉଛନ୍ତି ମୋ ପତ୍ନୀ ନିର୍ମଳା କୌର।”

Comment