ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାର କଟକ ଜିଲ୍ଲାରୁ ସଫଳତା ସାଉଣ୍ଟି ଚର୍ଚ୍ଚାକୁ ଆସିଥିଲେ ଫ୍ଲାଇଙ୍ଗ ଶିଖ୍ ମିଲଖା ସିଂ।

ଦେଶର ମହାନ ଧାବକ ତଥା ଫ୍ଲାଇଙ୍ଗ ଶିଖ୍ ମିଲଖା ସିଂ ଓଡ଼ିଶାରୁ ହିଁ ପ୍ରଥମେ ସଫଳତା ପାଇଥିଲେ। ୧୯୫୭ ମସିହାରେ କଟକ ଜିଲ୍ଲାରେ ହୋଇଥିବା ଏସିଆନ ଗେମ୍ ତାଙ୍କ ଜୀବନର ଗତିପଥ ବଦଳାଇ ଦେଇଥିଲା। ତା’ପରଠାରୁ ଦେଶ ବିଦେଶରେ ଚର୍ଚ୍ଚାରେ ରହିଆସିଛନ୍ତି ଏହି କିମ୍ବଦନ୍ତୀ ଆଥଲେଟ୍ ମିଲଖା ସିଂ।୧୯୩୫ମସିହା ଅକ୍ଟୋବର ୮ତାରିଖରେ ପାକିସ୍ତାନରେ ଜନ୍ମ ହୋଇଥିଲେ ମିଲଖା। ପରେ ପାକିସ୍ତାନରେ ଚାଲିଥିବା ଦଙ୍ଗାରେ ନିଜ ମା’ ବାପାଙ୍କୁ ହରାଇ ସେ ଭାରତ ଆସିଥିଲେ। ଏଠାକୁ ଆସିବାପରେ ସେ ପ୍ରଥମେ ଓଡ଼ିଶାର କଟକ ଜିଲ୍ଲାରେ ହେଉଥିବା ଏସିଆନ୍ ଗେମରେ ଅଂଶ ଗ୍ରହଣ କରିଥିଲେ। ସେଥିରେ ହୋଇଥିବା ୨ଶହ ମିଟର ଓ ୪ଶହ ମିଟର ଦୌଡ଼ ପ୍ରତିଯୋଗିତାରେ ରେକର୍ଡ କରିଥିଲେ ମିଲଖା। ୨୧.୬ସେକେଣ୍ଡରେ ୨ଶହ ମିଟର ଏବଂ ୪୫.୯ସେକେଣ୍ଡରେ ୪ଶହ ମିଟର ଅତିକ୍ରମ କରି ରେକର୍ଡ ଭାଙ୍ଗିଥିଲେ। ତା’ପରଠାରୁ ଭାରତର ଦ୍ରୁତ ଧାବକ ଭାବରେ ସେ ସବୁଠି ପରିଚିତ ହୋଇପାରିଥିଲେ।ଓଡ଼ିଶାରେ ଭଲ ପ୍ରଦର୍ଶନ ପରେ ଧିରେ ଧିରେ ବିଶ୍ବ ସ୍ତରରେ ତାଙ୍କ ଲୋକପ୍ରିୟତା ବଢ଼ିବାକୁ ଲାଗିଲା। ଏମିତିକି ଷ୍ଟାଡିୟମରେ ପ୍ରବେଶ କରିବା ସମୟରେ ଦର୍ଶକମାନେ ଆକର୍ଷଣୀୟ ଅନ୍ଦାଜରେ ତାଙ୍କର ସ୍ଵାଗତ କରୁଥିଲେ। ମିଲଖା ସିଂଙ୍କ ଲମ୍ବା ଚୁଟି ଏବଂ ଦାଢ଼ି ତାଙ୍କ ଲୋକପ୍ରିୟତାର ଅନ୍ୟତମ କାରଣ ଥିଲା। ଦର୍ଶକମାନେ ତାଙ୍କର ଏଭଳି ଷ୍ଟାଇଲକୁ ବେଶ୍ ପସନ୍ଦ କରୁଥିଲେ।ମିଲଖା ସିଂ ୧୯୫୭ ମସିହାରେ ପ୍ରଥମଥର ପାଇଁ ଓଡ଼ିଶା ଆସିଥିଲେ। ଏହାପରେ ୨୦୧୬ ମସିହାରେ ସେ ଦ୍ଵିତୀୟଥର ପାଇଁ ଓଡ଼ିଶାରେ ପାଦ ରଖିଥିଲେ। ତାଙ୍କୁ ଦେଖିବାପରେ ଏବଂ ତାଙ୍କର ପ୍ରେରଣାରେ ଓଡ଼ିଶାରେ ବି ମିଲଖା ସିଂ ସୃଷ୍ଟି ହୋଇପାରିବା ଆଶାରେ ସେ ଦ୍ଵିତୀୟଥର ପାଇଁ ଓଡ଼ିଶା ଗସ୍ତରେ ଆସିଥିଲେ ବୋଲି ଗଣମାଧ୍ୟମରେ କହିଥିଲେ।

Comment