ଓଡ଼ିଶାଲାଇଭ୍ ବ୍ୟୁରୋ

ବାରବାଟୀରେ ୱେଷ୍ଟଇଣ୍ଡିଜ୍‌କୁ ତିନି ଥର ସାମ୍ନା କରିଛି ଟିମ୍‌ ଇଣ୍ଡିଆ।

କଟକ: ବାରବାଟୀ ଷ୍ଟାଡିୟମ୍ ଠାରେ ଆସନ୍ତା ୨୨ତାରିଖରେ ଭାରତ-ୱେଷ୍ଟଇଣ୍ଡିଜ୍ ଦ୍ୱିତୀୟ ଦିନିକିଆ ମ୍ୟାଚ ଖେଳାଯିବାକୁ ଯାଉଛି। ଏନେଇ ବାରବାଟୀ ଷ୍ଟାଡିୟମର ପ୍ରସ୍ତୁତି ଜୋରଦାର ଆଗେଇ ଚାଲିଛି। ମ୍ୟାଚକୁ ଆଉ ୧୧ ଦିନ ବାକି ଥିବା ବେଳେ କ୍ରିକେଟ ମାହୋଲ୍ ଜମି ଆସିଲାଣି।

ଦୁଇବର୍ଷ ପରେ ଓଡ଼ିଶାରେ କ୍ରିକେଟପ୍ରେମୀଙ୍କୁ ବାରବାଟୀ ଷ୍ଟାଡିୟମରେ ମ୍ୟାଚ ଦେଖିବାକୁ ମିଳିବ। ତେଣୁ ସମୟ ଯେତିକି ପାଖେଇ ଆସୁଛି ଉତ୍ସାହ ବି ବୃଦ୍ଧି ହେବାରେ ଲାଗିଛି। ତେବେ ଇତିହାସକୁ ନଜର ପକାଇଲେ ବାରବାଟୀ ଷ୍ଟାଡିୟମରେ ଭାରତ-ୱେଷ୍ଟଇଣ୍ଡିଜ୍ ତିନିଥର ସାମ୍ନାସାମ୍ନି ହୋଇଛନ୍ତି। କିନ୍ତୁ ପ୍ରତ୍ୟେକ ମ୍ୟାଚ ଭାରତ ପକ୍ଷରେ ରହିଛି। ଅର୍ଥାତ୍ ଏବେ ସୁଦ୍ଧା ଥରୁଟିଏ ବି ବିଜୟ ହାସଲ କରିପାରିନାହାନ୍ତି କାରେବିଆନ୍।

୧୯୯୪ ମସିହା ନଭେମ୍ବର ୯ତାରିଖରେ ପ୍ରଥମଥର ବାରବାଟୀ ଷ୍ଟାଡିୟମଠାରେ ଭାରତ-ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଟକ୍କର ହୋଇଥିଲା। ୱେଷ୍ଟଇଣ୍ଡିଜ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବା ସହ ୫୦ଓଭର ଖେଳି ୯ ୱିକେଟରେ ୨୫୧ ରନ୍ କରିଥିଲା। ବ୍ରିଆନ୍ ଲାରା ସର୍ବାଧିକ ୮୯ ରନ୍ କରିଥିଲେ। ଭାରତ ପକ୍ଷରୁ ଅନିଲ କୁମ୍ବଲେ ୩ଟି ୱିକେଟ ନେଇଥିଲେ। ଜବାବରେ ଭାରତ ୪ଟି ବଲ୍ ବାକି ଥାଇ ମାତ୍ର ୨ ୱିକେଟରେ ବିଜୟୀ ହୋଇଥିଲା।

ଅଜୟ ଜାଡେଜା ଶତକୀୟ ପାଳି(୧୦୪ରନ୍) ଖେଳିଥିବା ବେଳେ ମାଷ୍ଟରବ୍ଲାଷ୍ଟର୍ ସଚିନ୍ ତେନ୍ଦୁଲକର ୮୮ରନ୍ ଓ ବିନୋଦ କାମ୍ବଲି ୪୦ରନ୍ କରିଥିଲେ। ଭାରତ-ଇଣ୍ଡିଜ୍ ମଧ୍ୟରେ ବାରବାଟୀରେ ଦ୍ୱିତୀୟ ଥର ପାଇଁ ପୁଣି ସାମ୍ନାସାମ୍ନି ହୋଇଥିଲେ ୨୦୦୭ ଜାନୁୟାରୀ ୨୪ତାରିଖ ଦିନ। ଏଥିରେ ଭାରତ ୨୦ରନରେ ବିଜୟୀ ହୋଇଥିଲା। ପ୍ରଥମେ ବ୍ୟାଟିଂ କରି ଭାରତ ଦିନେଶ କାର୍ତ୍ତିକଙ୍କ ୬୩, ଅଜିତ ଅଗରକରଙ୍କ ୪୦ରନ୍ ବଳରେ ୪୮.୨ ଓଭରରେ ୧୮୯ରନ୍ କରିଥିଲା। କମ୍ ସ୍କୋର ଯୋଗୁଁ ଭାରତର ପରାଜୟ ଆଶଙ୍କାରେ ଥିଲେ ଓଡ଼ିଶା କ୍ରିକେଟପ୍ରେମୀ।

କିନ୍ତୁ ବୋଲିଂରେ ଯୋଗିନ୍ଦର ଶର୍ମା, ହରଭଜନ ସିଂ, ଜାହିର୍ ଖାନ୍ ଓ ଅଜିତ ଅଗରକର ଚମତ୍କାର ପ୍ରଦର୍ଶନ କରି ପ୍ରତିପକ୍ଷକୁ ୧୬୯ରନରେ ଅଲ୍ଆଉଟ୍ କରିଥିଲେ। ଶେଷଥର ପାଇଁ ୨୦୧୧ ମସିହା ନଭେମ୍ବର ୨୯ତାରିଖରେ ଭାରତ-ଇଣ୍ଡିଜ୍ ମଧ୍ୟରେ ପୁନର୍ବାର ମୁକାବିଲା ହୋଇଥିଲା। ଏଥିରେ ମାତ୍ର ଗୋଟିଏ ୱିକେଟରେ ଜିତିଥିଲା ଟିମ୍ ଇଣ୍ଡିଆ।

ପ୍ରଥମେ ବ୍ୟାଟିଂ କରି ୱେଷ୍ଟଇଣ୍ଡିଜ୍ ୪୮.୫ ଓଭରରେ ୯ ୱିକେଟ ହରାଇ ୨୧୩ ରନ୍ କରିଥିଲା। ଡାରେନ୍ ବ୍ରାଭୋ ସର୍ବାଧିକ ୬୦ରନ୍ କରିଥିବା ବେଳେ ଭାରତ ପକ୍ଷରୁ ଉମେଶ ଯାଦବ ଓ ବରୁଣ ଆରୁଣ ୨ଟି ଲେଖାଏଁ ୱିକେଟ ଦଖଲ କରିପାରିଥିଲେ।

ଏହାର ଜବାବରେ ଭାରତ ପ୍ରରମ୍ଭିକ ବିପର୍ଯ୍ୟୟର ସମ୍ମୁଖିନ ହୋଇଥିଲା। କିନ୍ତୁ ପରେ ରୋହିତ ଶର୍ମାଙ୍କ ୭୨ରନର ପାଳି ଭାରତକୁ ଜିତାଇବାକୁ ସକ୍ଷମ ହୋଇଥିଲା। ତେବେ ଏହାପରେ ୮ବର୍ଷ ପରେ ପୁଣି ଥରେ ଆସନ୍ତା ୨୨ରେ ଦୁଇ ଦଳ ପରସ୍ପରକୁ ଭେଟିବେ। ଭାରତ ନିଜର ଅପରାଜେୟ ଧାରାରେ ରହିବାକୁ ଲକ୍ଷ୍ୟ ରଖିବ। ଅନ୍ୟପକ୍ଷରେ ୱେଷ୍ଟଇଣ୍ଡିଜ୍ ଘରୋଇ ଦଳର ଏହି ଅପରାଜେୟ ଧାରାକୁ ଭାଙ୍ଗିବାକୁ ନିଶ୍ଚିତ ଭାବେ ଉଦ୍ୟମ କରିବ।

Comment