ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତୀୟ କ୍ରୀଡ଼ା ଜଗତରେ ରବିବାର ଆଉ ଏକ ଐତିହାସିକ ମୁହୂର୍ତ୍ତ ଯୋଡ଼ି ହୋଇଯାଇଛି। ବିଶ୍ଵ ଆଥଲେଟିକ୍ସ ଚାମ୍ପିୟନସିପରେ ଭାରତକୁ ପ୍ରଥମଥର ପାଇଁ ମିଳିଛି ସ୍ଵର୍ଣ୍ଣ ପଦକ। ଭାରତର ଗୋଲଡେନ ବୟ ତଥା ଅଲିମ୍ପିକ ଚାମ୍ପିୟନ ନୀରଜ ଚୋପ୍ରା ଦେଶ ପାଇଁ ଏହି ସ୍ଵର୍ଣ୍ଣିମ ସଫଳତା ଆଣିଦେଇଛନ୍ତି। ହଙ୍ଗେରୀର ବୁଡାପେଷ୍ଟରେ ଚାଲୁଥିବା ଏହି ଟୁର୍ଣ୍ଣାମେଣ୍ଟର ଜାଭେଲିନ ଥ୍ରୋରେ ନୀରଜ ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି। ଏହାସହ ଜାଭେଲିନ ଥ୍ରୋ ଫାଇନାଲରେ ଖେଳୁଥିବା ଓଡ଼ିଆ ଆଥଲେଟ କିଶୋର ଜେନା ପଞ୍ଚମ ସ୍ଥାନ ଅଧିକାର କରି ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି।

ବିଶ୍ଵ ଆଥଲେଟିକ୍ସ ଚାମ୍ପିୟନସିପରେ ରବିବାର ଜାଭେଲିନ ଥ୍ରୋ ଫାଇନାଲ ଅନୁଷ୍ଠିତ ହୋଇଥିଲା। ଏଥିରେ ଖେଳିବାକୁ ଭାରତର ୩ ଜଣ ଖେଳାଳି ଯୋଗ୍ୟତା ଅର୍ଜନ କରିଥିଲେ। ଫାଇନାଲରେ ନୀରଜ ଚୋପ୍ରା ନିଜର ଦ୍ଵିତୀୟ ପ୍ରୟାସରେ ୮୮.୧୭ ମିଟର ଜାଭେଲିନ ଫିଙ୍ଗି ସ୍ଵର୍ଣ୍ଣ ପଦକର ଦାବିଦାର ହୋଇଥିଲେ। ସେହିପରି ପାକିସ୍ତାନର ଅର୍ଶଦ ନଦୀମ ୮୭.୮୨ ମିଟର ସହ ରୌପ୍ୟ ଏବଂ ଚେକ୍‌ ରିପବ୍ଲିକର ଜାକବ ଭାଦଲେଜକ୍ ୮୬.୬୭ ମିଟର ସହ ବ୍ରୋଞ୍ଜ ପଦକ ଜିତିଛନ୍ତି।

ଅନ୍ୟପଟେ ଏହି ଟୁର୍ଣ୍ଣାମେଣ୍ଟରେ ଓଡ଼ିଶାର କିଶୋର ଜେନା ପଞ୍ଚମ ସ୍ଥାନରେ ରହିଥିଲେ ମଧ୍ୟ ଦମଦାର ପ୍ରଦର୍ଶନ କରିଛନ୍ତି। ୮୪.୭୭ ମିଟର ଜାଭେଲିନ ଫିଙ୍ଗି ନିଜର ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ଦେଇଛନ୍ତି କିଶୋର। ସେହିପରି ଏହି ଇଭେଣ୍ଟରେ ଖେଳୁଥିବା ଅନ୍ୟତମ ଭାରତୀୟ ଡିପି ମନୁ ୮୪.୧୪ ମିଟର ସହ ଷଷ୍ଠ ସ୍ଥାନ ହାସଲ କରିଥିଲେ।

ବିଶ୍ଵ ଆଥଲେଟିକ୍ସ ଚାମ୍ପିୟନସିପ ସ୍ଵର୍ଣ୍ଣ ପଦକ ସହ ସବୁ ପ୍ରମୁଖ ବିଶ୍ଵସ୍ତରୀୟ ପ୍ରତିଯୋଗିତା (ଅଲିମ୍ପିକ, ରାଜ୍ୟଗୋଷ୍ଠୀ କ୍ରୀଡ଼ା ଓ ଏସିଆନ ଗେମ୍ସ)ରେ ସ୍ଵର୍ଣ୍ଣ ପଦକ ହାସଲ କରିବାରେ ପ୍ରଥମ ଭାରତୀୟ ହୋଇଛନ୍ତି ନୀରଜ ଚୋପ୍ରା। ସେ ଏହି ଟୁର୍ଣ୍ଣାମେଣ୍ଟର ୨୦୨୨ ସଂସ୍କରଣରେ ରୌପ୍ୟ ଏବଂ ୨୦୧୭ ସଂସ୍କରଣରେ ୧୫ତମ ସ୍ଥାନରେ ରହିଥିଲେ।

Tags: #WorldAthleticsChampionship #JavelinThrow #NeerajChopra #Goldmedal #KishoreJena #Athletics #Sports #India

Comment