ଆଶିଷ କୁମାର ରାୟ

ଦୀପଗ୍ରେସ୍ ଏକ୍କା। ଭାରତୀୟ ହକି ଜଗତର ଏକ ସୁପରିଚିତ ନାମ। ହକିର ଗଡ଼ ଓଡ଼ିଶାର ସୁନ୍ଦରଗଡ଼ରୁ ଯାଇ ଆଜି ଜାତୀୟ ଅନ୍ତର୍ଜାତୀୟ ସ୍ତରରେ ରାଜ୍ୟ ଏବଂ ଦେଶ ପାଇଁ ବେଶ୍ ଗୌରବ ସାଉଁଟିଛନ୍ତି ଦୀପଗ୍ରେସ୍। ଓଡ଼ିଶାରୁ ଏକମାତ୍ର ଖେଳାଳି ଭାବେ ସେ ବର୍ତ୍ତମାନ ଭାରତୀୟ ମହିଳା ହକି ଦଳର ସଦସ୍ୟ ଅଛନ୍ତି। ଏଥିସହ ଜାତୀୟ ଦଳର ଉପ ଅଧିନାୟିକା ମଧ୍ୟ ରହିଛନ୍ତି।

ହକିର ଗଡ଼ ସୁନ୍ଦରଗଡ଼ର ପ୍ରାୟ ସବୁ ବ୍ଲକ୍‌ରେ ଲୋକମାନେ ହକି ଖେଳନ୍ତି। ମାତ୍ର ବାଲିଶଙ୍କରା ବ୍ଲକ୍‌ରେ ହକିର କ୍ରେଜ୍ ବେଶ୍ ଅଧିକ। ଏଠାକାର ପ୍ରତିଟି ଗାଁ ହେଉଛି ଗୋଟିଏ ଗୋଟିଏ ହକି ଗ୍ରାମ। କାରଣ ଏଠାରୁ ଅନେକ ଜାତୀୟ ଅନ୍ତର୍ତାଜୀୟ ଖେଳାଳି ବାହାରିଛନ୍ତି। ହକି ତାରକା ଦୀପଗ୍ରେସ୍‌ ଏକ୍କାଙ୍କ ଜନ୍ମ ମଧ୍ୟ ସେଇ ବ୍ଲକ୍‌ରେ। ୧୯୯୪ ମସିହା ଜୁନ୍ ୩ ତାରିଖରେ ବାଲିଶଙ୍କରା ବ୍ଲକ୍‌ର ଲୁଲ୍‌କିଡ଼ିହି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବ୍ରାହ୍ଣଣୀବାହାଲ ଗ୍ରାମରେ ପିତା ଚାର୍ଲସ୍ ଏକ୍କା ଓ ମାତା ଜୟମଣି ଏକ୍କାଙ୍କ କୋଳମଣ୍ଡନ କରିଥିଲେ ଦୀପଗ୍ରେସ୍।

ଦୀପଗ୍ରେସ୍ ହକି ଖେଳରେ ଏତେ ଦୀର୍ଘ ପଥ ଅତିକ୍ରମ କରିବେ ଏବଂ ଏତେଗୁଡ଼ିଏ ସଫଳତା ହାସଲ କରିବେ ତାହା ହୁଏତ ସେତେବେଳେ କେହି ଆଶା କରିନଥିବେ। ହେଲେ ଆଜି ସେ ନିଜର ଚମତ୍କାର କ୍ରୀଡ଼ାନୈପୁଣ୍ୟ ବଳରେ ହାସଲ କରିଛନ୍ତି ଭାରତର ଅନ୍ୟତମ ଶ୍ରେଷ୍ଠ କ୍ରୀଡ଼ା ସମ୍ମାନ ଅର୍ଜୁନ ପୁରସ୍କାର।

୧୧ ବର୍ଷ ବୟସରୁ ଧରିଥିଲେ ହକି ଷ୍ଟିକ୍

୧୧ ବର୍ଷ ବୟସରେ ସ୍କୁଲରେ ପଢୁଥିବା ସମୟରେ ପ୍ରଶିକ୍ଷକ ତେଜ୍ କୁମାର ଖେସ୍‌ଙ୍କ ତତ୍ୱାବଧାନରେ ହକି ଖେଳିବା ଆରମ୍ଭ କରିଥିଲେ ଦୀପଗ୍ରେସ୍। ହକି ପ୍ରତି ଦୀପଗ୍ରେସ୍‌ଙ୍କ ଦୁର୍ବଳତା ଦେଖି ଦୁଇବର୍ଷ ପରେ ସୁନ୍ଦରଗଡ଼ ଭବାନୀପୁର ସ୍ଥିତ ସାଇ କ୍ରୀଡ଼ା ଛାତ୍ରାବାସକୁ ତାଙ୍କର ଚୟନ କରାଗଲା। କ୍ରୀଡ଼ା ଛାତ୍ରାବାସକୁ ଆସିବା ପରେ ତାଙ୍କ ଖେଳରେ ଆହୁରି ଅନେକ ସୁଧାର ଆସିଲା। ପ୍ରଥମେ ଗୋଲ୍‌କିପର ଭାବେ ଖେଳୁଥିବା ଦୀପଗ୍ରେସ ପରବର୍ତ୍ତୀ ସମୟରେ ଜଣେ ଡିଫେଣ୍ଡର ହେବାକୁ ମନ ବଳାଇଥିଲେ। ଡିଫେଣ୍ଡିଂ ଲାଇନ୍‌ରେ ମଧ୍ୟ କ୍ରମାଗତ ସୁନ୍ଦର ପ୍ରଦର୍ଶନ କରି ଜାତୀୟ ମନୋନୟନକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଦୀପଗ୍ରେସ୍।

ଏହାପରେ ୨୦୧୧ରେ ଜାତୀୟ ଶିବିରରେ ଯୋଗଦେବା ପାଇଁ ତାଙ୍କୁ ଡାକରା ମିଳିବା ସହିତ ସିନିୟର ଭାରତୀୟ ଦଳରେ ଖେଳିବାର ସୁଯୋଗ ମଧ୍ୟ ମିଳିଲା। ଏହାପରଠାରୁ ସେ ଆଉ ପଛକୁ ଫେରି ଚାହିଁନାହାନ୍ତି। ଜୁନିୟର ଓ ସିନିୟର ସ୍ତରରେ ଗୋଟିଏ ପରେ ଗୋଟିଏ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ସଫଳତାର ମାର୍ଗ ଆଡ଼କୁ ଆଗେଇ ଚାଲିଲେ ଦୀପଗ୍ରେସ୍।୨୦୧୧ରେ ଆରମ୍ଭ ହେଲା ଅନ୍ତର୍ଜାତୀୟ ହକି ଯାତ୍ରା

୨୦୧୧ରେ ଆରମ୍ଭ ହେଲା ଦୀପଗ୍ରେସ୍‌ଙ୍କ ଅନ୍ତର୍ଜାତୀୟ ହକି ଯାତ୍ରା। ସେହିବର୍ଷ ଥାଇଲାଣ୍ଡରେ ଆୟୋଜିତ ଏସିଆ କପ୍ ମହିଳା ହକିରେ ବ୍ରୋଞ୍ଜ ଜିଣିଥିବା ଭାରତୀୟ ଦଳର ସେ ସଦସ୍ୟ ଥିଲେ। ଏହାପରେ ୨୦୧୩ରେ ଜର୍ମାନୀର ମୁଞ୍ଚେନ୍‌ଗ୍ଲାଡବାକ୍‌ରେ ଆୟୋଜିତ ମହିଳା ଜୁନିୟର ହକି ବିଶ୍ୱକପରେ ମଧ୍ୟ ଭାରତକୁ ମିଳିଥିଲା ବ୍ରୋଞ୍ଜ ପଦକ। ସୁଶିଲା ଚାନୁଙ୍କ ନେତୃତ୍ୱରେ ସେହି ଜୁନିୟର ବିଶ୍ୱକପରେ ଭାଗ ନେଇଥିବା ଭାରତୀୟ ଦଳରେ ଦୀପଗ୍ରେସ୍‌ଙ୍କ ସମେତ ଓଡ଼ିଶା ଚାରିଜଣ ଖେଳାଳି ନମିତା ଟପ୍ପୋ, ଲିଲିମା ମିଞ୍ଜ ଓ ଅନୁପା ବାର୍ଲା ସାମିଲ ଥିଲେ। ପ୍ଲେ-ଅଫ୍ ମ୍ୟାଚରେ ଇଂଲଣ୍ଡକୁ ଟାଇବ୍ରେକରରେ ପରାସ୍ତ କରି ଭାରତ ବ୍ରୋଞ୍ଜ ପଦକ ହାସଲ କରିଥଲା। ଜୁନିୟର ମହିଳା ବିଶ୍ୱକପରେ ଏହା ଥିଲା ଭାରତର ପ୍ରଥମ ପଦକ।

ସେହି ୨୦୧୩ରେ ମାଲେସିଆରେ ଆୟୋଜିତ ଏସିଆ କପ୍ ମହିଳା ହକିରେ ବ୍ରୋଞ୍ଜ ପଦକ ଏବଂ ଜାପାନରେ ଅନୁଷ୍ଠିତ ଏସିଆନ୍ ଚାମ୍ପିଆନ୍ସ ଟ୍ରଫିରେ ରୌପ୍ୟ ପଦକ ବିଜୟୀ ଭାରତୀୟ ଦଳରେ ମଧ୍ୟ ଦୀପଗ୍ରେସ୍ ଥିଲେ ପ୍ରମୁଖ ସଦସ୍ୟ। ସେହିଭଳି ୨୦୧୪ରେ କୋରିଆର ଇଞ୍ଚେଅନ୍‌ରେ ଆୟୋଜିତ ଏସିଆଡ୍‌ରେ ଭାରତୀୟ ପୁରୁଷ ଦଳ ସ୍ୱର୍ଣ୍ଣପଦକ ହାସଲ କରିଥିବା ବେଳେ ମହିଳା ଦଳକୁ ମିଳିଥିଲା ବ୍ରୋଞ୍ଜ ପଦକ। ଏହାର ପରବର୍ତ୍ତୀ ବର୍ଷ ଭାରତୀୟ ମହିଳା ହକି ଦଳ ଅଲିମ୍ପିକ୍ସ ସକାଶେ ଯୋଗ୍ୟତା ହାସଲ କରିଥିଲା।

୨୦୧୬ର ରିଓ ଅଲିମ୍ପିକ୍ସରେ ଭାରତର ପ୍ରଦର୍ଶନ ସେଭଳି କିଛି ଖାସ୍ ନଥିଲେ ହେଁ ଓଡ଼ିଶାର ଚାରିଜଣ ଖେଳାଳି – ଦୀପଗ୍ରେସ୍ ଏକ୍କା, ଲିଲିମା ମିଞ୍ଜ, ନମିତା ଟପ୍ପୋ ଓ ସୁନିତା ଲାକ୍ରା ଅଲିମ୍ପିକ୍ସର କ୍ରୀଡ଼ାଙ୍ଗନରେ ଅବତୀର୍ଣ୍ଣ ହେବା ଥିଲା ଏକ ଗୌରବର କଥା। ରିଓ ଅଲିମ୍ପିକ୍ସରେ ସିନା ଭାରତୀୟ ମହିଳା ଦଳକୁ ଭଲ ସଫଳତା ମିଳିନଥିଲା ହେଲେ ସେହି ବର୍ଷ ସିଙ୍ଗାପୁରରେ ଆୟୋଜିତ ଏସିଆନ୍ ଚାମ୍ପିଅନ୍ସ ଟ୍ରଫିରେ ଭାରତ ଜିତିଥିଲା ସ୍ୱର୍ଣ୍ଣପଦକ। ଏହି ସ୍ଵର୍ଣ୍ଣବିଜୟୀ ଭାରତୀୟ ହକି ଦଳର ଜଣେ ପ୍ରମୁଖ ସଦସ୍ୟ ଥିଲେ ଦୀପଗ୍ରେସ୍।ଏହାପରେ ୨୦୧୭ରେ ଜାପାନର ଗିଫୁଠାରେ ଖେଳାଯାଇଥିବା ଏସିଆ କପ ମହିଳା ହକିରେ ମଧ୍ୟ ଭାରତ ସ୍ୱର୍ଣ୍ଣ ଜିଣିବା ଦିଗରେ ସମର୍ଥ ହୋଇଥିଲା। ସେମି ଫାଇନାଲରେ ଜାପାନ ବିରୁଦ୍ଧରେ ୪-୨ରେ ତଥା ଫାଇନାଲରେ ଚୀନ ବିରୁଦ୍ଧରେ ଟାଇବ୍ରେକରରେ ମିଳିଥିବା ବିଜୟ ଥିଲା ଅତ୍ୟନ୍ତ ଚିତ୍ତାକର୍ଷକ। ଏହି ସ୍ୱର୍ଣ୍ଣ ବିଜୟ ପ୍ରଦର୍ଶନରେ ଦୀପଗ୍ରେସ୍‌ଙ୍କ ଅବଦାନ ଥିଲା ଉଲ୍ଲେଖନୀୟ। ଏହାର ପରବର୍ଷ ଅର୍ଥାତ୍ ୨୦୧୮ରେ ଭାରତୀୟ ଦଳ, ମହିଳା ହକି ବିଶ୍ୱକପର କ୍ୱାର୍ଟର ଫାଇନାଲକୁ ଉନ୍ନୀତ ହୋଇଥିଲା। ଅବଶ୍ୟ ଭାଗ୍ୟର ସହାୟତା ମିଳିଥିଲେ ଭାରତ ବିଶ୍ୱକପର ସେମିଫାଇନାଲକୁ ମଧ୍ୟ ଯାଇପାରିଥାନ୍ତା। କାରଣ କ୍ୱାର୍ଟର ଫାଇନାଲରେ ଭାରତୀୟ ଦଳ ଆୟର୍ଲାଣ୍ଡଠାରୁ ଟାଇବ୍ରେକରରେ ପରାଜିତ ହୋଇଥିଲା।

ଏହାପରେ ଜାକର୍ତ୍ତା ଏସିଆଡରେ ପୁଣି ଦଳକୁ ମିଳିଥିଲା ରୌପ୍ୟ ପଦକ। ଏହାର ତିନିମାସ ପୂର୍ବରୁ ଦକ୍ଷିଣ କୋରିଆର ଡୋଙ୍ଘାଏଠାରେ ହୋଇଥିବା ଏସିଆନ ଚାମ୍ପିୟନସିପ୍‌ରେ ମଧ୍ୟ ଭାରତକୁ ରୌପ୍ୟ ମିଳିଥିଲା। ଏଥିରେ ଭାରତୀୟ ଦଳରେ ଯେଉଁ ପାଞ୍ଚଜଣ ଓଡ଼ିଆ ଖେଳାଳି ସାମିଲ ରହି ରାଜ୍ୟର ଗୌରବ ବୃଦ୍ଧି କରିଥିଲେ ସେଥିମଧ୍ୟରୁ ଦୀପଗ୍ରେସ୍ ଥିଲେ ଅନ୍ୟତମ।

୨୦୨୦ରେ ରାନୀ ରାମପାଲଙ୍କ ନେତୃତ୍ୱରେ ଭାରତ ଟୋକିଓ ଅଲିମ୍ପିକ୍ସ ସକାଶେ ଯୋଗ୍ୟତା ହାସଲ କଲା। ୨୦୨୧ରେ ଖେଳାଯାଇଥିବା ଏହି ଅଲିମ୍ପିକ୍ସରେ ଭାରତ ଚମତ୍କାର ପ୍ରଦର୍ଶନ ସହିତ ଚତୁର୍ଥ ସ୍ଥାନରେ ରହି ଅଳ୍ପେକେ ବ୍ରୋଞ୍ଜ ପଦକ ହାତଛଡ଼ା କଲା। ଏହି ଦଳରେ ଓଡ଼ିଶାରୁ ଦୁଇଜଣ ଖେଳାଳି ଦୀପଗ୍ରେସ୍ ଏକ୍କା ଏବଂ ନମିତା ଟପ୍ପୋ ସାମିଲ ଥିଲେ। ତେବେ ଏକମାତ୍ର ଓଡ଼ିଆ ଭାବେ ଦୀପଗ୍ରେସ୍ ପ୍ଲେଇଂ ଇଲେଭେନ୍‌ରେ ରହି ସୁନ୍ଦର ଖେଳ ପ୍ରଦର୍ଶନ କରିଥିଲେ।ଉପ ଅଧିନାୟିକା ଦୀପଗ୍ରେସ୍

ଟୋକିଓ ଅଲିମ୍ପିକ୍ସ ପରେ ଦୀପଗ୍ରେସ୍‌ଙ୍କୁ ମିଳିଥିଲା ଏକ ବଡ଼ ସଫଳତା। ୨୦୨୧ ଏସିଆ କପ୍‌ରେ ଭାରତୀୟ ମହିଳା ହକି ଦଳର ଉପ ଅଧିନାୟିକ ହୋଇଥିଲେ ଦୀପଗ୍ରେସ୍। ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ବ୍ରୋଞ୍ଜ ପଦକ ଜିତିଥିଲା। ସେହିବର୍ଷ ବର୍ମିଙ୍ଗହାମରେ ଆୟୋଜିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମଧ୍ୟ ଭାରତକୁ ମିଳିଥିଲା ବ୍ରୋଞ୍ଜ ପଦକ।

ଅର୍ଜୁନ ବିଜୟିନୀ ଦୀପଗ୍ରେସ୍

ହକି କ୍ରୀଡ଼ାରେ ପ୍ରଥମ ଓଡ଼ିଆ ମହିଳା ଖେଳାଳି ଭାବେ ୨୦୦୭ରେ ଜ୍ୟୋତି ସୁନିତା କୁଲ୍ଲୁ ପାଇଥିଲେ ଅର୍ଜୁନ ପୁରସ୍କାର। ବର୍ତ୍ତମାନ ଦ୍ଵିତୀୟ ଓଡ଼ିଆ ମହିଳା ହକି ଖେଳାଳି ଭାବେ ଦୀପଗ୍ରେସ୍‌ଙ୍କ ନାମରେ ଯୋଡ଼ି ହୋଇଛି ଏହି ସମ୍ମାନଜନକ ଅର୍ଜୁନ ପୁରସ୍କାର। ଭାରତୀୟ କ୍ରୀଡ଼ା କ୍ଷେତ୍ରକୁ ଉଲ୍ଲେଖନୀୟ ଅବଦାନ ଲାଗି ୨୦୨୨ରେ ଦୀପଗ୍ରେସ୍‌ଙ୍କୁ ଅର୍ଜୁନ ପୁରସ୍କାର ପ୍ରଦାନ କରାଯାଇଛି। ଅର୍ଜୁନ ପୁରସ୍କାର ପାଇବା ଦିଗରେ ଦୀପଗ୍ରେସ୍ ହେଉଛନ୍ତି ଓଡ଼ିଶାର ଦ୍ୱାଦଶତମ ଖେଳାଳି ତଥା ଷଷ୍ଠ ହକି ଖେଳାଳି।

(ଲେଖକ ବୃତ୍ତିରେ ଜଣେ ଶିକ୍ଷକ ଏବଂ ରୁଚିରେ କ୍ରୀଡ଼ା ଲେଖକ)

Tags: #DeepGraceEkka #Sundargarh #Odisha #HockeyIndia #HockeyAssociationofOdisha #Hockey #IndianWomensHockeyTeam #Defender #ଦୀପଗ୍ରେସ୍ଏକ୍କା #ହକି #ସୁନ୍ଦରଗଡ଼

Comment