ଓଡ଼ିଶାଲାଇଭ୍ ବ୍ୟୁରୋ

ଏଫଆଇଏଚ ଜୁନିୟର ମହିଳା ହକି ବିଶ୍ଵକପ ୨୦୨୩ ପାଇଁ ଶୁକ୍ରବାର ଦିନ ଖେଳସୂଚୀ ଘୋଷଣା ହୋଇଛି। ଚଳିତବର୍ଷ ନଭେମ୍ବର ୨୯ରୁ ଡିସେମ୍ବର ୧୦ ତାରିଖ ଯାଏଁ ଚିଲିର ସାଣ୍ଟିଆଗୋ ଠାରେ ଖେଳାଯିବ ଏହି ଟୁର୍ଣ୍ଣାମେଣ୍ଟ। ଏଥିରେ ଭାରତୀୟ ମହିଳା ଦଳ କାନାଡା ବିପକ୍ଷରେ ପ୍ରଥମ ମ୍ୟାଚ ଖେଳି ଅଭିଯାନ ଆରମ୍ଭ କରିବ। ଏନେଇ ବିଶ୍ଵ ହକି ମହାସଂଘ (ଏଫଆଇଏଚ) ପକ୍ଷରୁ ସୂଚନା ଦିଆଯାଇଛି।

ଶୁକ୍ରବାର ବିଶ୍ଵକପ ଖେଳସୂଚୀ ଘୋଷଣା ଅବସରରେ ଏଫଆଇଏଚ ବିଶ୍ଵ ଜୁନିୟର ମହିଳା ହକି ଦଳର ନୂତନ ରାଙ୍କ ତାଲିକା ମଧ୍ୟ ପ୍ରକାଶ କରିଛି। ଏହି ତାଲିକା ଅନୁସାରେ ଭାରତୀୟ ଦଳ ଏବେ ବିଶ୍ଵରେ ଷଷ୍ଠ ସ୍ଥାନରେ ରହିଛି। ନେଦରଲାଣ୍ଡସ ଏହି ତାଲିକାର ପ୍ରଥମ ସ୍ଥାନରେ ଥିବାବେଳେ ଆର୍ଜେଣ୍ଟିନା, ଜର୍ମାନୀ, ଇଂଲଣ୍ଡ, ଆମେରିକା ଯଥାକ୍ରମେ ଦ୍ଵିତୀୟ, ତୃତୀୟ, ଚତୁର୍ଥ ଓ ପଞ୍ଚମ ସ୍ଥାନରେ ରହିଛନ୍ତି। ଅନ୍ୟପଟେ ରାଙ୍କିଂରେ ଭାରତୀୟ ଦଲ ଏସିଆ ମହାଦେଶରେ ଶୀର୍ଷ ସ୍ଥାନ ହାସଲ କରିଛି।

ବିଶ୍ଵକପ ପୁଲ-‘ସି’ରେ ଭାରତ

୨୦୨୩ ଜୁନିୟର ମହିଳା ହକି ବିଶ୍ଵକପରେ ବେଲଜିୟମ, କାନାଡା, ଜର୍ମାନୀ ସହ ଭାରତ ପୁଲ-‘ସି’ରେ ରହିଛି। ନଭେମ୍ବର ୨୯ ତାରିଖରେ କାନାଡା ବିପକ୍ଷରେ ବିଶ୍ଵକପ ଅଭିଯାନ ଆରମ୍ଭ କରିବ ଭାରତ। ଡିସେମ୍ବର ୧ରେ ଜର୍ମାନୀ ଏବଂ ଡିସେମ୍ବର ୨ ତାରିଖରେ ବେଲଜିୟମ ବିପକ୍ଷରେ ଶେଷ ପୁଲ ମ୍ୟାଚ ଖେଳିବ ଭାରତ।

ନିକଟରେ ଜୁନିୟର ଏସିଆ କପ୍ ୨୦୨୩ରେ ବିଜୟ ପରେ ଭାରତୀୟ ମହିଳା ଦଳର ମନୋବଳ ବେଶ ଦୃଢ ରହିଛି। ସମାନ ଆତ୍ମବିଶ୍ଵାସ ଓ ଲକ୍ଷ୍ୟ ସହ ପ୍ରଥମ ଥର ଜୁନିୟର ବିଶ୍ଵକପ ଟ୍ରଫି ହାତେଇ ଇତିହାସ ସୃଷ୍ଟି ପାଇଁ ଲକ୍ଷ୍ୟ ରଖିଛି ଭାରତୀୟ ଦଳ। ୨୦୨୨ର ବିଶ୍ଵକପ ସଂସ୍କରଣରେ ଇଂଲଣ୍ଡଠାରୁ ପରାସ୍ତ ହୋଇ ବ୍ରୋଞ୍ଜ ମେଡାଲ ପାଇବାରୁ ବଞ୍ଚିତ ହୋଇଥିଲା ଭାରତୀୟ ଜୁନିୟର ମହିଳା ଦଳ।

ଦକ୍ଷତା, କର୍ମନିଷ୍ଠା ଏବଂ ଦଳଗତ ଏକତା ପ୍ରଦର୍ଶନ କରିବାର ବଡ଼ ସୁଯୋଗ

“ବିଶ୍ଵକପର ପୁଲ୍ ବିଷୟରେ ଜାଣିବାକୁ ଆମେ ବହୁତ ଉତ୍ସାହିତ ଥିଲୁ। ଏହା ଆମ ପାଇଁ ଏକ ଉତ୍ସାହର କଥା ଯେ ବିଶ୍ଵର କେତେକ ଶ୍ରେଷ୍ଠ ଜୁନିୟର ଦଳ ସହ ଆମେ ପ୍ରତିଦ୍ଵନ୍ଦିତା କରିବୁ। ପ୍ରତି ପୁଲରେ ଖୁବ ଦକ୍ଷ ପ୍ରତିଦ୍ଵନ୍ଦୀ ରହିଛନ୍ତି। କିନ୍ତୁ ବିଶ୍ଵସ୍ତରରେ ଆମର ଦକ୍ଷତା, କର୍ମନିଷ୍ଠା ଏବଂ ଦଳଗତ ଏକତା ପ୍ରଦର୍ଶନ କରିବାର ଏଇଟା ଆମ ପାଇଁ ଏକ ବଡ଼ ସୁଯୋଗ। ପ୍ରତି ମ୍ୟାଚରେ ଶ୍ରେଷ୍ଠ ପ୍ରଦର୍ଶନ କରିବୁ ବୋଲି ଆମର ଦୃଢ ଆତ୍ମବିଶ୍ଵାସ ରହିଛି” କହିଛନ୍ତି ମହିଳା ଜୁନିୟର ଏସିଆ କପ ୨୦୨୩ ବିଜୟୀ ଭାରତୀୟ ଦଳର ଅଧିନାୟିକା ପ୍ରୀତି।

ଉପଯୁକ୍ତ ଗେମ ପ୍ଲାନ କରି ପଡ଼ିଆକୁ ଓହ୍ଲାଇବାକୁ ହେବ

“ଏସିଆ କପରେ ବିଜୟ ପରେ ଦଳର ଆତ୍ମବିଶ୍ଵାସ ଅଧିକ ରହିଛି, କିନ୍ତୁ ବିଶ୍ଵକପରେ ଶକ୍ତିଶାଳୀ ଦଳକୁ ସାମନା କରିବା ବେଶ ଚ୍ୟାଲେଞ୍ଜିଂ ରହିବ। ପ୍ରତି ମ୍ୟାଚ ସଂଘର୍ଷପୂର୍ଣ୍ଣ ହେବ। ଆମକୁ ସବୁଥିରେ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ପଡ଼ିବ। କୌଣସି କ୍ଷେତ୍ରରେ ହାର ନ ମାନି, ପ୍ରତି ମ୍ୟାଚ ପୂର୍ବରୁ ପ୍ରପର ଗେମ ପ୍ଲାନ କରି ପଡ଼ିଆକୁ ଓହ୍ଲାଇବାକୁ ହେବ”, କହିଛନ୍ତି ଭାରତୀୟ ମହିଳା ହକି ଦଳର ମୁଖ୍ୟ କୋଚ ୟାନେକେ ସ୍କପମ୍ୟାନ।

ତୃଟି ସୁଧାରିବାକୁ ପଡ଼ିବ

“ବିଶ୍ଵକପକୁ ନେଇ ଭାରତୀୟ ଦଳ ବହୁତ ଉତ୍ସାହିତ ଅଛି। ଚଳିତବର୍ଷ ଜାପାନରେ ଏସିଆ କପରେ ବିଜୟୀ ହେବା ଦଳର ଆତ୍ମବିଶ୍ଵାସକୁ ଆହୁରି ବଢ଼ାଇଛି। ଏବେ ବି ଖେଳର କିଛି କ୍ଷେତ୍ରରେ ଆମକୁ ତୃଟି ସୁଧାରିବାକୁ ପଡ଼ିବ, ଏନେଇ ଖେଳାଳିମାନେ ସତର୍କ ଅଛନ୍ତି। ଆମେ ତୃଟିକୁ ଚିହ୍ନଟ କରିଛୁ ଏବଂ ତାକୁ ସୁଧାରି ଏହି ସମ୍ମାନଜନକ ଜୁନିୟର ମହିଳା ବିଶ୍ଵକପରେ ଭାଗ ନେବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଛୁ”, କହିଛନ୍ତି ଭାରତୀୟ ଜୁନିୟର ମହିଳା ଦଳ କୋଚ ହରବିନ୍ଦର ସିଂ।

୨୦୨୩ ଜୁନିୟର ମହିଳା ବିଶ୍ୱକପ ଅନ୍ୟ ଦଳଙ୍କ ମଧ୍ୟରେ ଅଷ୍ଟ୍ରେଲିଆ, ଚିଲି, ନେଦରଲାଣ୍ଡସ ଓ ସାଉଥ ଆଫ୍ରିକା ପୁଲ- ‘ଏ’ରେ ରହିଛି। ସେହିପରି ପୁଲ- ‘ବି’ରେ ଆର୍ଜେଣ୍ଟିନା, କୋରିଆ, ସ୍ପେନ, ଜିମ୍ବାୱେ, ପୁଲ- ‘ଡି’ରେ  ଇଂଲଣ୍ଡ, ଜାପାନ, ନ୍ୟୁଜିଲାଣ୍ଡ, ୟୁଏସ ରହିଛନ୍ତି। ଟୁର୍ଣ୍ଣାମେଣ୍ଟ ଫର୍ମାଟ ଅନୁସାରେ ପୁଲ୍ ସ୍ତରରେ ପ୍ରତି ଦଳ ଅନ୍ୟ ତିନି ଦଳ ସହ ଖେଳିବେ। ପ୍ରତି ପୁଲର ଶ୍ରେଷ୍ଠ ଦୁଇଟି ଦଳ କ୍ଵାର୍ଟର ଫାଇନାଲସ ଖେଳିବେ।

ଏଫଆଇଏଚ ଜୁନିୟର ମହିଳା ହକି ବିଶ୍ୱକପରେ ସବୁଠୁ ସଫଳ ଦଳ ହେଲା ଡିଫେଣ୍ଡିଂ ଚାମ୍ପିଅନ ନେଦରଲାଣ୍ଡସ। ୪ ଥର ଏହି ବିଶ୍ଵକପ ଟାଇଟଲ ହାତେଇଛି ନେଦରଲାଣ୍ଡସ। ଏହା ପଛକୁ ଦକ୍ଷିଣ କୋରିଆ ଏବଂ ଆର୍ଜେଣ୍ଟିନା ଦୁଇ ଥର ଲେଖାଏଁ ବିଶ୍ଵକପ ଟ୍ରଫି ହାତେଇଛନ୍ତି। ଜର୍ମାନୀ ଥରେ ଏହି ବିଶ୍ଵକପ ଟାଇଟାଲ ଜିତିବାରେ ସଫଳ ହୋଇଛି।

Tags: #FIHJuniorWomensHockeyWorldCup #IndianWomensHockeyTeam #FIH #HockeyIndia

Comment