ଓଡ଼ିଶାଲାଇଭ୍ ବ୍ୟୁରୋ

ଏସିଆନ ଚାମ୍ପିୟନ୍ସ ଟ୍ରଫି ହକିରେ ପାକିସ୍ତାନକୁ ହରାଇଛି ଭାରତ। ଶନିବାର ଟୁର୍ଣ୍ଣାମେଣ୍ଟର ଶେଷ ଲିଗ୍ ମ୍ୟାଚରେ ୨-୧ ଗୋଲରେ ପାକିସ୍ତାନକୁ ମାତ୍ ଦେଇଛି ଟିମ୍ ଇଣ୍ଡିଆ। ମୋଟ ୧୫ ପଏଣ୍ଟ ପାଇ ଭାରତୀୟ ଦଳ ଲିଗରେ ଅପରାଜେୟ ରହିବା ସହ ଟେବୁଲର ଶୀର୍ଷ ସ୍ଥାନ ଦଖଲ କରିଛି।

ଶନିବାର ଭାରତ ଓ ପାକିସ୍ତାନ ମୁକାବିଲାରେ ଆରମ୍ଭରୁ ଉଭୟ ଦଳ ଆକ୍ରମଣାତ୍ମକ ଖେଳ ଆରମ୍ଭ କରିଥିଲେ। ପ୍ରଥମ କ୍ଵାର୍ଟରର ୧୦ ମିନିଟରେ ପାକିସ୍ତାନର ଅହମ୍ମଦ ନାଦିମ ପ୍ରଥମ ଗୋଲ ଦେଇ ଦଳକୁ ଅଗ୍ରଣୀ କରିଥିଲେ।

ତେବେ ପ୍ରଥମ କ୍ଵାର୍ଟରର ଶେଷ ସମୟରେ ଭାରତକୁ ମିଳିଥିବା ଏକ ପେନାଲ୍ଟି କର୍ଣ୍ଣରକୁ ଗୋଲ୍‌ରେ ପରିଣତ କରିଥିଲେ ଅଧିନାୟକ ହରମନପ୍ରୀତ ସିଂହ। ଏହାପରେ ଦ୍ଵିତୀୟ କ୍ୱାର୍ଟରରେ ମଧ୍ୟ ସେ ପେନାଲ୍ଟି କର୍ଣ୍ଣରରୁ ଆଉ ଏକ ଗୋଲ ଦେଇ ଭାରତକୁ ୨-୧ରେ ଅଗ୍ରଣୀ କରିଥିଲେ। ପରେ ମ୍ୟାଚରେ ଉଭୟ ଦଳ ଆଉ କୌଣସି ଗୋଲ୍ କରିପାରିନଥିଲେ।

ଏସିଆନ ହକି ଚାମ୍ପିୟାନ୍ସ ଟ୍ରଫିର ଦୁଇଟି ଯାକ ସେମିଫାଇନାଲ ମ୍ୟାଚ ସୋମବାର ଖେଳାଯିବ। ଏଥିରେ ଭାରତୀୟ ଦଳ ପ୍ରତିଦ୍ଵନ୍ଦ୍ଵିତା କରିବ।

ଏହାପର୍ବରୁ ଭାରତୀୟ ଦଳ ୨୦୧୧, ୨୦୧୬ ଓ ୨୦୨୩ରେ ଏସିଆନ ଚାମ୍ପିୟନ୍ସ ଟ୍ରଫି ଟାଇଟଲ ଜିତିଥିଲା। ଏହାସହ ୨୦୧୮ରେ ପାକିସ୍ତାନ ସହ ଏହି  ଏସିଆନ ଚାମ୍ପିୟନ୍ସ ଟ୍ରଫିର ଯୁଗ୍ମ ବିଜେତା ହୋଇଥିଲା ଭାରତ। ଚଳିତ ଟୁର୍ଣ୍ଣାମେଣ୍ଟରେ ମଧ୍ୟ ଭାରତୀୟ ଦଳ ପୁଣି ଟାଇଟଲ ଜିତିବ ବୋଲି ହକିପ୍ରେମୀମାନେ ଆଶାବାଦୀ ଅଛନ୍ତି।

Tags: #AsianHockeyChampionsTrophy #IndiavsPakistan #HockeyIndia #FIH #Hockey

LEAVE A REPLY

Please enter your comment!
Please enter your name here