ଓଡ଼ିଶାଲାଇଭ୍ ବ୍ୟୁରୋ
ପହଲଗାମ ଆକ୍ରମଣ ପରେ ସାରା ଦେଶରେ ଜଳୁଛି ପ୍ରତିଶୋଧର ନିଆଁ। ଦୁଇ ଦେଶ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଉଥିବା ବେଳେ ଭାରତୀୟ ବାୟୁସେନା ‘ଆକ୍ରମଣ’ ନାଁରେ ବଡ଼ ଧରଣର ସମରାଭ୍ୟାସ କରିଛି। ରାଫେଲ ଯୁଦ୍ଧ ବିମାନର ଗର୍ଜନ ଶତ୍ରୁ ରାଷ୍ଟ୍ରର ଛାତି ଥରାଇ ଦେଇଛି।
ଏପଟେ ଆତଙ୍କବାଦ ବିରୋଧୀ ଅଭିଯାନକୁ ଜୋରଦାର କରିବା ସହ ଯେକୌଣସି ପରିସ୍ଥିତିର କଡ଼ା ମୁକବିଲା କରିବା ପାଇଁ ହାଇଆଲର୍ଟରେ ରହିଛି ଭାରତୀୟ ସେନା।
ତେବେ ଏହାରି ମଧ୍ୟରେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଉଠିଛି, ଭାରତୀୟ ସେନା ତୁଳନାରେ ପାକିସ୍ତାନୀ ସେନା କେତେ ଶକ୍ତିଶାଳୀ?
ଭାରତୀୟ ସେନା ବିଶ୍ଵର ଚତୁର୍ଥ ଶକ୍ତିଶାଳୀ ସେନା। ଗ୍ଲୋବାଲ ଫାୟାର ପାୱାର ଇଣ୍ଡେକ୍ସ ୨୦୨୫ର ସାମରିକ ଶକ୍ତିରେ ଆମେରିକା, ରୁଷ ଏବଂ ଚୀନ ପରେ ରହିଛି ଭାରତ। ଏହି ରାଙ୍କିଙ୍ଗରେ ପାକିସ୍ତାନ ଗତବର୍ଷ ନବମ ସ୍ଥାନରେ ରହିଥିବା ବେଳେ ଚଳିତ ବର୍ଷ ଦ୍ଵାଦଶ ସ୍ଥାନକୁ ଖସି ଯାଇଛି।
ଭାରତୀୟ ସ୍ଥଳସେନାରେ ସାଢ଼େ ୧୪ ଲକ୍ଷରୁ ଅଧିକ ସୈନିକ କାର୍ଯ୍ୟରତ ଥିବାବେଳେ ପାକିସ୍ତାନୀ ସେନାରେ ସାଢ଼େ ୬ ଲକ୍ଷ ସୈନିକ ରହିଛନ୍ତି। ସେହିପରି ଭାରତରେ ୧୧ ଲକ୍ଷ ୫୦ ହଜାର ସୈନ୍ୟ ରିଜର୍ଭ ରହିଥିବାବେଳେ ଅର୍ଦ୍ଧସାମରିକ ବାହିନୀରେ ୨୫ ଲକ୍ଷରୁ ଅଧିକ ଯବାନ ରହିଛନ୍ତି। ଏହା ତୁଳନାରେ ପାକିସ୍ତାନୀ ସେନାର ରିଜର୍ଭ ସୈନିକଙ୍କ ସଂଖ୍ୟା ସାଢ଼େ ୫ ଲକ୍ଷ ଓ ଅର୍ଦ୍ଧସାମରିକ ବାହିନୀର ୫ ଲକ୍ଷ ଯବାନ ରହିଛନ୍ତି।
ଅନ୍ୟପଟେ ଭାରତୀୟ ସେନା ପାଖରେ ୪,୨୦୦ଟି ଟ୍ୟାଙ୍କ ଥିବାବେଳେ ପାକିସ୍ତାନୀ ସେନାରେ ୨,୬୨୭ଟି ଟ୍ୟାଙ୍କ ରହିଛି। ଏହାସହ ଭାରତୀୟ ସେନା ପାଖରେ ପ୍ରାୟ ୪ ହଜାର ଆର୍ଟିଲାରି ୟୁନିଟ ରହିଥିବା ବେଳେ ପାକିସ୍ତାନୀ ସେନା ପାଖରେ ରହିଛି ୨,୬୦୦ଟି ଆର୍ଟିଲାରି ୟୁନିଟ।
ସେହିପରି ଭାରତୀୟ ବାୟୁ ସେନାରେ ମୋଟ ୨,୨୨୯ଟି ଏୟାରକ୍ରାଫ୍ଟ ସହ ୧ ଲକ୍ଷ ୩୫ ହଜାରରୁ ଅଧିକ ଯବାନ ରହିଛନ୍ତି। ରାଫେଲ, ସୁଖୋଇ-୩୦ ଓ ମିରାଜ ୨୦୦୦ ଓ ମିଗ-୨୯ ଭଳି ଫାଇଟର ଜେଟ ଭାରତର ବାୟୁସେନାକୁ ବହୁତ ଶକ୍ତିଶାଳୀ କରିଛି। ଏହା ତୁଳନାରେ ପାକିସ୍ତାନୀ ବାୟୁସେନାରେ ୧,୪୦୦ଟି ଏୟାରକ୍ରାଫ୍ଟ ଓ ୭୦ ହଜାର ଯବାନ ରହିଛନ୍ତି। ଏଥିରେ ଏଫ-୧୬ ପାକିସ୍ତାନର ମୁଖ୍ୟ ଫାଇଟର ଜେଟ ଭାବେ ରହିଛି।
ତେବେ ଭାରତୀୟ ନୌସେନା ଓ ପାକିସ୍ତାନୀ ନୌସେନା ମଧ୍ୟରେ କୌଣସି ତୁଳନା ନାହିଁ। ଯୁଦ୍ଧ ଜାହାଜ, ନୌ-ସୈନିକ ଓ ଟେକ୍ନୋଲୋଜିକୁ ଦେଖିଲେ କାହିଁ କେତେ ଆଗରେ ଭାରତ। ଭାରତୀୟ ନୌସେନାରେ ୨୯୩ଟି ଯୁଦ୍ଧ ଜାହାଜ ଏବଂ ୧ ଲକ୍ଷ ୧୦ ହଜାର ନୌସୈନିକ ଅଛନ୍ତି।
ପାକିସ୍ତାନୀ ନୌସେନା ପାଖରେ କେବଳ ୧୨୧ଟି ଯୁଦ୍ଧ ଜାହାଜ ରହିଛି, ଯେଉଁଗୁଡ଼ିକ ବହୁତ ପୁରୁଣା।
ଭାରତୀୟ ନୌସେନା ୨ଟି ଏୟାରକ୍ରାଫ୍ଟ କ୍ୟାରିୟର ଓ ପରମାଣୁ ଶକ୍ତି ସମ୍ପନ୍ନ ବୁଡ଼ାଜହାଜ ପରିଚଳନା କରୁଥିବାବେଳେ ପାକିସ୍ତାନ ନିକଟରେ ଏହି କ୍ଷମତା ନାହିଁ।
ଅନ୍ୟପଟେ ଭାରତୀୟ ସାମରିକ ବାହିନୀରେ ଅଗ୍ନି, ପୃଥ୍ଵୀ, ବ୍ରହ୍ମୋସ୍, ଆକାଶ ଭଳି ମିସାଇଲ ସଷ୍ଟମ ମୁତୟନ ରହିଛି। ଏଗୁଡ଼ିକର ରେଞ୍ଜ ୪୦୦ କିଲୋମିଟରରୁ ଆରମ୍ଭ ହୋଇ ୫ ହଜାର କିଲୋମିଟର ପର୍ଯ୍ୟନ୍ତ ରହିଛି। ଏହା ତୁଳନାରେ ପାକିସ୍ତାନୀ ସେନା ପାଖରେ କମ କ୍ଷମତା ବିଶିଷ୍ଟ ବାବର, ଘୋରି, ଶାହୀନ, ଅବଦାଲି ଭଳି ମିସାଇଲ ରହିଛି।
ସେହିପରି ପରମାଣୁ ଶକ୍ତି କଥା ଚିନ୍ତା କଲେ ଭାରତ ନିକଟରେ ୧୮୦ଟି ପରମାଣୁ ବୋମା ରହିଥିବା ବେଳେ ପାକିସ୍ତାନ ପାଖରେ ଏହାର ସଂଖ୍ୟା ପ୍ରାୟ ୧୭୦।
୨୦୨୫-୨୬ ଆର୍ଥିକ ବର୍ଷରେ ଭାରତୀୟ ସାମରିକ ବାହିନୀ ପାଇଁ ୬.୮ ଲକ୍ଷ କୋଟି ଟଙ୍କାର ବଜେଟ ରଖାଯାଇଛି। ଏହା ତୁଳନାରେ ପାକିସ୍ତାନର ଡିଫେନ୍ସ ବଜେଟ ମାତ୍ର ୧ ଲକ୍ଷ କୋଟି ଟଙ୍କା ରହିଛି। ଗ୍ଲୋବାଲ ଫାୟାର ପାୱାର ଇଣ୍ଡେକ୍ସ ରିପୋର୍ଟ ଅନୁସାରେ ଭାରତୀୟ ସେନାବାହିନୀରେ ଆଧୁନିକ ଉପକରଣ, ଉନ୍ନତ ଅସ୍ତ୍ର ଶସ୍ତ୍ର ଏବଂ ରଣନୈତିକ ଦକ୍ଷତା ଦ୍ରୁତଗତିରେ ବୃଦ୍ଧି ପାଉଛି।
ଭାରତର ଗର୍ବ, ଗୌରବ ଓ ଦମ୍ଭ ହେଉଛି ଭାରତୀୟ ସେନା।
ରଣଭୂମିରେ ଭାରତୀୟ ସେନା ବାରମ୍ବାର ବୀରତ୍ଵ ଦେଖାଇଛି। ବୀରତ୍ଵ ଓ ବଳିଦାନ ପାଇଁ ଆଜି ଭାରତୀୟ ସେନା ପୃଥିବୀରେ ଶୃଙ୍ଖଳିତ ଓ ଶ୍ରେଷ୍ଠ ସୁରକ୍ଷା ବାହିନୀ ମଧ୍ୟରେ ନିଜର ସ୍ଥାନ ବଜାୟ ରଖିଛି।
୧୯୪୮, ୧୯୬୫, ୧୯୭୧ ଓ ୧୯୯୯ ମସିହା ଯୁଦ୍ଧରେ ପାକିସ୍ତାନକୁ ହରାଇଥିଲା ଭାରତ। ଆଗକୁ ମଧ୍ୟ ଆର୍ ପାରର ଲଢ଼େଇ ହେଲେ ପାକିସ୍ତାନକୁ ଉଚିତ୍ ଜବାବ ଦେବାକୁ ପ୍ରସ୍ତୁତ ରହିଛି ଭାରତୀୟ ସେନା।
Tags: #PahalgamAttack #SurgicalStrike #IndiaVsPakistan #IndianMilitaryPower #PakistanMilitaryPower #IndoPakWar #IndianDefenceForces

















