ଓଡ଼ିଶାଲାଇଭ୍ ବ୍ୟୁରୋ

ଆଇସିସି କ୍ରିକେଟ ବିଶ୍ଵକପରେ ପାକିସ୍ତାନ ବିପକ୍ଷରେ ଦମଦାର ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ। ଶନିବାର ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ପାକିସ୍ତାନକୁ ୭ ୱିକେଟରେ ହରାଇଛି ଭାରତ। ଏହାସହ ଦଳ ବିଶ୍ଵକପରେ ପାକିସ୍ତାନ ବିପକ୍ଷରେ ଅଷ୍ଟମ ବିଜୟ ହାସଲ କରି ଅପରାଜୟ ରହିବାର ରେକର୍ଡ ବଜାୟ ରଖିଛି।

ମ୍ୟାଚରେ ଟସ୍ ଜିତି ଭାରତ ବୋଲିଂ ନିଷ୍ପତ୍ତି ନେବାରୁ ବ୍ୟାଟିଂ କରିବାକୁ ଆସିଥିଲା ପାକିସ୍ତାନ। ଆରମ୍ଭରୁ ଭାରତୀୟ ବୋଲରମାନେ ପାକିସ୍ତାନୀ ବ୍ୟାଟ୍ସମ୍ୟାନଙ୍କ ଉପରେ ଚାପ ପକାଇବା ଆରମ୍ଭ କରିଥିଲେ। ଦଳ ୭୩ ରନରେ ୨ଟି ୱିକେଟ ହରାଇବା ପରେ ପାକିସ୍ତାନ ଅଧିନାୟକ ବାବର ଅଜାମ ଓ ମହମ୍ମଦ ରିଜୱାନଙ୍କ ମିଶି ଦଳର ସ୍ଥିତି ସମ୍ଭାଳି ଥିଲେ।   

୧୫୫ ରନରେ ବାବର ଆଉଟ ହେବା ପରେ ପାକିସ୍ତାନର ଗୋଟିଏ ପରେ ଗୋଟିଏ ୱିକେଟ ଖସିବାକୁ ଲାଗିଲା। ଶେଷରେ ଦଳ ୪୨.୫ ଓଭରରେ ୧୯୧ ରନ କରି ଅଲଆଉଟ ହୋଇଥିଲା। ମ୍ୟାଚରେ ଭାରତ ପକ୍ଷରୁ ମହମ୍ମଦ ସିରାଜ, ଯଶପ୍ରୀତ ବୁମରାହ, କୁଲଦୀପ ଯାଦବ, ରବୀନ୍ଦ୍ର ଜାଡେଜା ଓ ହାର୍ଦିକ ପାଣ୍ଡ୍ୟା ୨ଟି ଲେଖାଏଁ ୱିକେଟ ନେଇଥିଲେ।

ଏହାପରେ ଦ୍ଵିତୀୟ ଇନିଂସରେ ୧୯୨ ରନ ଲକ୍ଷ୍ୟ ନେଇ ଭାରତୀୟ ଅଧିନାୟକ ରୋହିତ ଶର୍ମା ଓ ଶୁଭମନ ଗିଲ ବ୍ୟାଟିଂ ଆରମ୍ଭ କରିଥିଲେ। ହେଲେ ୧୬ ରନ କରିଥିବାବେଳେ ଶୁଭମନଙ୍କ ୱିକେଟର ପତନ ଘଟିଥିଲା। ସେ ଶାହିନ ଆଫ୍ରିଦୀଙ୍କ ବୋଲିଂର ଶିକାର ହୋଇଥିଲେ।

ଏହାପରେ ବ୍ୟାଟିଂ କରିବାକୁ ଆସିଥିବା ବିରାଟ କୋହଲୀ ରୋହିତ ଶର୍ମାଙ୍କ ସହ ମିଶି ଇନିଂସକୁ ଆଗକୁ ବଢ଼ାଇଥିଲେ। କୋହଲୀ ଆଉଟ ହେବା ପରେ ଶ୍ରେୟସ ଆୟର ପଡ଼ିଆକୁ ଓହ୍ଲାଇଥିଲେ। ଏହି ମଧ୍ୟରେ ରୋହିତ ଶର୍ମା ଆକ୍ରାମକ ବ୍ୟାଟିଂ ଜାରି ରକ୍ଷୀ ନିଜର ଅର୍ଦ୍ଧଶତକ ପୂରା କରିଥିଲେ।

ଶେଷରେ ଭାରତ ୩୦.୩ ଓଭରରେ ୩ଟି ୱିକେଟ ବିନିମୟରେ ଲକ୍ଷ୍ୟ ହାସଲ କରି ମ୍ୟାଚ ଜିତିଥିଲା। ଦଳ ପକ୍ଷରୁ ରୋହିତ ଶର୍ମା ୬୩ ବଲରୁ ସର୍ବାଧିକ ୮୬ ରନ କରିଥିଲେ। ଅନ୍ୟପଟେ ପାକିସ୍ତାନ ପକ୍ଷରୁ ଶାହିନ ଆଫ୍ରିଦୀ ୨ଟି ଓ ହସନ ଅଲ୍ଲୀ ଗୋଟିଏ ୱିକେଟ ନେଇଥିଲେ।

ଏହି ବିଜୟ ସହ କ୍ରିକେଟ ବିଶ୍ଵକପରେ ପାକିସ୍ତାନ ସହ ଅଷ୍ଟମ ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ। ଏହା ପୂର୍ବରୁ ବିଶ୍ଵକପରେ ଭାରତ ଓ ପାକିସ୍ତାନ ଏ ଯାଏଁ ୭ ଥର ମୁକାବିଲା କରିଥିଲେ। ୧୯୯୨, ୧୯୯୬, ୨୦୦୩, ୨୦୧୧, ୨୦୧୫ ଓ ୨୦୧୯ ମସିହା ବିଶ୍ଵକପରେ ହୋଇଥିବା ଏହି ସବୁ ମୁକାବିଲାକୁ ଭାରତ ଜିତିଥିଲା। 

ଶନିବାର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ମ୍ୟାଚ ଦେଖିବା ପାଇଁ ଲକ୍ଷାଧିକ ଦର୍ଶକଙ୍କ ସମାଗମ ହୋଇଥିଲା। ସମସ୍ତେ ମ୍ୟାଚକୁ ବହୁତ ଉପଭୋଗ କରିଥିଲେ। ଚଳିତ ବିଶ୍ଵକପରେ ଭାରତର ତୃତୀୟ ବିଜୟରେ ଦେଶର ସବୁ କ୍ରିକେଟପ୍ରେମୀ ଉତ୍ସାହିତ ଅଛନ୍ତି। ବିଶ୍ୱକପରେ ଆଗକୁ ଆସୁଥିବା ମ୍ୟାଚଗୁଡ଼ିକରେ ମଧ୍ୟ ଦଳ ଭଲ ପ୍ରଦର୍ଶନ ଜାରି ରଖିବ ବୋଲି ସମସ୍ତେ ଆଶାବାଦୀ ଅଛନ୍ତି।  

Tags: #ICCCricketWorldCup #IndiavsPakistan #Cricket #NarendraModiStadium #Sports

Comment