ଓଡ଼ିଶାଲାଇଭ୍ ବ୍ୟୁରୋ

ଆଇସିସି ଟି-ଟ୍ୱେଣ୍ଟି ବିଶ୍ଵକପରେ ଆଜି ଭାରତ-ପାକିସ୍ତାନ ଟକ୍କର। ମ୍ୟାଚକୁ ନେଇ ଉଭୟ ଦଳର ଖେଳାଳି ପ୍ରସ୍ତୁତ ହୋଇଛନ୍ତି। ନ୍ୟୁୟର୍କର ନସାଉ କାଉଣ୍ଟି ଷ୍ଟାଡିୟମରେ ଏହି ହାଇ ଭୋଲଟେଜ ମ୍ୟାଚକୁ ଉପଭୋଗ କରିବା ପାଇଁ କ୍ରିକେଟ ପ୍ରେମୀମାନେ ଅନାଇ ବସିଛନ୍ତି।

ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ବିଶ୍ଵକପରେ ପାକିସ୍ତାନ ବିପକ୍ଷରେ ବିଜୟ ରେକର୍ଡ ବଜାୟ ରଖିବା ଲକ୍ଷ୍ୟ ରଖିଛି ଟିମ ଇଣ୍ଡିଆ। ସେହିପରି ବାବର ଅଜାମଙ୍କ ନେତୃତ୍ୱରେ ପାକିସ୍ତାନ ମଧ୍ୟ ଏହି ମ୍ୟାଚରେ କଡ଼ା ପ୍ରତିଦ୍ଵନ୍ଦ୍ଵିତା କରିବାର ସମ୍ଭାବନା ରହିଛି।

ବିଶ୍ୱକପରେ ଭଲ ଅଭିଜ୍ଞତା ରଖିଥିବା ଭାରତୀୟ ଖେଳାଳି ରୋହିତ ଶର୍ମା, ବିରାଟ କୋହଲୀ, ରବୀନ୍ଦ୍ର ଜାଡେଜା, ରିଷଭ ପନ୍ତ, ସୂର୍ଯ୍ୟକୁମାର ଯାଦବ, ହାର୍ଦିକ ପାଣ୍ଡ୍ୟା ଓ ଯଶପ୍ରୀତ ବୁମରାହଙ୍କ ପାକିସ୍ତାନ ବିପକ୍ଷ ମ୍ୟାଚରେ ପ୍ରଦର୍ଶନ ଉପରେ ସମସ୍ତ ନଜର ରହିବ।

ଅନ୍ୟପଟେ ବାବର ଆଜମ, ଫଖର ଜମାନ, ମହମ୍ମଦ ରିଜୱାନ, ଶାଦାବ ଖାଁଙ୍କ ବ୍ୟାଟିଂ ଉପରେ ପାକିସ୍ତାନ ଟିମ ନିର୍ଭର କରିବ। ସେହିପରି ହାରିଶ ରୌଫ, ନସିମ ଶାହ ଓ ଶାହୀନ ଆଫ୍ରିଦୀଙ୍କ ବୋଲିଂ ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ କିଛି ମାତ୍ରାରେ ଦ୍ଵନ୍ଦ୍ଵରେ ପକାଇପାରେ।  

ତେବେ ପାକିସ୍ତାନ ଦଳରେ ବୋଲିଂ ଅଟାକକୁ ସାମ୍ନା କରିବା ପାଇଁ ଭାରତୀୟ ଦଳ କେଉଁ ରଣନୀତି ଆପଣାଉଛି ତାହା ଚର୍ଚ୍ଚାର ବିଷୟ ପାଲଟିଛି। ସେହିପରି ଭାରତ ନିଜର ଓପନିଂକୁ ସୁଦୃଢ଼ କରିବା ପାଇଁ ସବୁ ପ୍ରୟାସ କରିବ।

ଚଳିତ ଟି-ଟ୍ୱେଣ୍ଟି ବିଶ୍ଵକପରେ ଭାରତ ନିଜର ପ୍ରଥମ ମ୍ୟାଚ ଜିତିଥିବାବେଳେ ପାକିସ୍ତାନ ପ୍ରଥମ ମ୍ୟାଚରେ ଆମେରିକାଠାରୁ ପରାସ୍ତ ହୋଇଥିଲା। ତେବେ ଆଜିର ମ୍ୟାଚରେ ଉଭୟ ଦଳଙ୍କ ମଧ୍ୟରେ ଭଲ କ୍ରିକେଟ ଦେଖିବାକୁ ମିଳିବ ବୋଲି ସମସ୍ତେ ଆଶା ରଖିଛନ୍ତି।

Tags: #ICCT20WorldCup #IndiavsPakistan #Cricket #Sports #NewYork #USA

Comment