ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତୀୟ ମହିଳା ହକି ଦଳର ପୂର୍ବତନ ଅଧିନାୟିକା ସୁଭଦ୍ରା ପ୍ରଧାନ। ସୁନ୍ଦରଗଡ଼ର ଏକ ଗରିବ କିଷାନ ପରିବାରରେ ତାଙ୍କ ଜନ୍ମ। ପିଲାବେଳେ ସୁଭଦ୍ରାଙ୍କୁ ହକି ଖେଳିବାର ନିଶା ଏମିତି ଘାରିଥିଲା ଯେ, ସେ ଲୁଚିକରି ଘରୁ ପଳାଉଥିଲେ ହକି ଖେଳିବାକୁ। ଏଥିପାଇଁ ବାପାଙ୍କଠାରୁ ତାଙ୍କୁ ମାଡ଼ ଖାଇବାକୁ ପଡ଼ିଥିଲା। ଏମିତିକି ମାଡ଼ ଖାଇ ସେ ଜ୍ଵରରେ ବି ପଡ଼ି ଯାଇଥିଲେ।

ପରିବାରରେ ଗୋଟିଏ ବୋଲି ଝିଅ ଥିଲେ ସୁଭଦ୍ରା ପ୍ରଧାନ। ଘରର ଅଲିଅଳି ଥିଲେ ସେ। ତେଣୁ ତାଙ୍କ ବାପା ଚାହୁଁ ନଥିଲେ ସୁଭଦ୍ରା ହକି ଖେଳନ୍ତୁ। ସେଥିପାଇଁ ସୁଭଦ୍ରାଙ୍କ ହକି ଖେଳକୁ ସେ ବାରଣ କରୁଥିଲେ।

ଓଡ଼ିଶାଲାଇଭ୍ ସହ ସାକ୍ଷାତକାର ବେଳେ ନିଜ ପିଲାବେଳର ସ୍ମୃତିକୁ ମନେ ପକାଇ ସୁଭଦ୍ରା କହନ୍ତି, “ବାପା ଚାହୁଁ ନଥିଲେ କି ମୁଁ ହକି ଖେଳେ। କାରଣ ଆମ ଘରେ ମୁଁ ଗୋଟିଏ ବୋଲି ଝିଅ ଥିଲି। ହେଲେ ହକି ପ୍ରତି ମୋର ବେଶ୍ ଦୁର୍ବଳତା ଥିଲା। ତେଣୁ ବାପା ଘରେ ନଥିଲା ବେଳେ ଲୁଚି ଲୁଚି ଯାଇ ହକି ଖେଳୁଥିଲି, ଆଉ ଥରେ ଧରା ପଡ଼ିଗଲି। ସେଦିନ ବାପା ମତେ ଏମିତି ବାଡ଼େଇଲେ ଯେ, ମତେ ଜ୍ଵର ହେଇଯାଇଥିଲା।”

ଘରୁ ଲୁଚିକରି ଯାଇ ହକି ଖେଳୁଥିବାରୁ ଯେଉଁ ସୁଭଦ୍ରା ଦିନେ ଦଣ୍ଡ ପାଇଥିଲେ, ପରବର୍ତ୍ତୀ ସମୟରେ ସେ ଦେଶ ପାଇଁ ଗୌରବ ଆଣିଥିଲେ। ଭାରତୀୟ ମହିଳା ହକି ଦଳର ମଙ୍ଗ ସମ୍ଭାଳିଥିଲେ ସୁଭଦ୍ରା। ଡିଫେଣ୍ଡର ଭାବେ ଦଳର ରକ୍ଷା ପ୍ରାଚୀର ହୋଇଥିଲେ। ତେବେ ସୁଭଦ୍ରା ଏହି ସଫଳତା ଦେଖି ତାଙ୍କ ବାପାଙ୍କ ଆଖିରୁ ଖୁସିର ଲୁହ ବାହାରୁଥିବାର ଦେଖିଥିବା ମଧ୍ୟ ସେ କହନ୍ତି।ସୁଭଦ୍ରା ପ୍ରଧାନଙ୍କ ସଫଳ ହକି ଯାତ୍ରା

୨୦୦୩ରେ ଭାରତୀୟ ସିନିୟର ହକି ଦଳରେ ସ୍ଥାନ ପାଇଥିଲେ ସୁଭଦ୍ରା। ସେ ୨୦୦୪ ଏସିଆ କପରେ ସ୍ଵର୍ଣ୍ଣପଦକ ଏବଂ ୨୦୦୬ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ ପଦକ ଲାଭ କରିଥିଲେ। ୨୦୦୭ ମସିହାରେ ପ୍ରଥମ ଭାରତୀୟ ମହିଳା ହକି ଖେଳାଳି ଭାବେ ୟୁରୋପୀୟ କ୍ଲବରେ ହକି ଖେଳିଥିଲେ ସୁଭଦ୍ରା। ସେହିବର୍ଷ ସେ ଡଚ୍ କ୍ଲବ୍ ହକି କାଉନସିଲ ପାଇଁ ହକି ଖେଳି ପ୍ଲେୟର ଅଫ୍ ଦ ଟୁର୍ଣ୍ଣାମେଣ୍ଟ ବି ହୋଇଥିଲେ। ୨୦୦୯ରେ ଖେଳାଯାଇଥିବା ଏସିଆ କପରେ ଭାରତ ରନର୍ସଅପ୍ ହୋଇଥିଲା। ଏହି ସଫଳତାରେ ସୁଭଦ୍ରାଙ୍କ ଭୂମିକା ବେଶ୍ ଗୁରୁତ୍ଵପୂର୍ଣ୍ଣ ରହିଥିଲା। ହକିକୁ ଉଲ୍ଲେଖନୀୟ ଅବଦାନ ପାଇଁ ୨୦୦୬ରେ ତାଙ୍କୁ ଏକଲବ୍ୟ ପୁରସ୍କାର ପ୍ରଦାନ କରାଯାଇଥିଲା। ଦୀର୍ଘ ୧୨ ବର୍ଷ ଭାରତୀୟ ଦଳ ପାଇଁ ହକି ଖେଳି ୨୦୧୨ରେ ଅବସର ନେଇଥିଲେ। ସେବେଠାରୁ ସେ ଦକ୍ଷିଣ-ପୂର୍ବ ରେଳବାଇ ଟିମ୍ ପକ୍ଷରୁ ହକି ଖେଳୁଛନ୍ତି ଏବଂ ପ୍ରଶିକ୍ଷଣ ମଧ୍ୟ ଦେଉଛନ୍ତି।

ଓଡ଼ିଶାଲାଇଭ୍ ୟୁଟ୍ୟୁବ୍‌ରେ ଦେଖନ୍ତୁ ସୁଭଦ୍ରା ପ୍ରଧାନଙ୍କ ସହ ସମ୍ପୂର୍ଣ୍ଣ ସାକ୍ଷାତକାର।

Tags: #SubhadraPradhan #Hockey #IndianWomensHockeyTeam #Sundargarh #ସୁଭଦ୍ରାପ୍ରଧାନ

Comment