ଓଡ଼ିଶାଲାଇଭ୍ ବ୍ୟୁରୋ

‘ସରଗି ଫୁଲ୍’ ଶିଶୁ ମହୋତ୍ସବରେ ବିଭିନ୍ନ ସର୍ଜନାତ୍ମକ କାର୍ଯ୍ୟକ୍ରମ ସହ ବକ୍ତୃତା, ସ୍ଲୋଗାନ, ନୃତ୍ୟ ଓ କ୍ରୀଡ଼ା ପ୍ରତିଯୋଗିତା।

ସୁନ୍ଦରଗଡ଼ ଭବାନିପୁରସ୍ଥିତ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟଠାରେ ଚାଲିଛି ଉତ୍ତର-ଓଡ଼ିଶା ଜୋନସ୍ତରୀୟ ଶିଶୁ ମହୋତ୍ସବ ‘ସରଗି ଫୁଲ୍’। ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିବା ଜନଜାତି ବର୍ଗର ଛାତ୍ରଛାତ୍ରୀମାନଙ୍କ ପାଇଁ ଶୁକ୍ରବାର ଦିନ ବିଭିନ୍ନ କର୍ମଶାଳା ଓ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଉତ୍ତରାଞ୍ଚଳ ରାଜସ୍ୱ କମିଶନର ଡକ୍ଟର ସୁରେଶ ଚନ୍ଦ୍ର ଦଳାଇ, ହକି ଇଣ୍ଡିଆ ସଭାପତି ପଦ୍ମଶ୍ରୀ ଡକ୍ଟର ଦିଲ୍ଲୀପ ତିର୍କୀ, ବିଭାଗୀୟ ନିର୍ଦ୍ଦେଶକ ଶ୍ରୀଯୁକ୍ତ ଇନ୍ଦ୍ରମଣି ତ୍ରିପାଠୀ, ସୁନ୍ଦରଗଡ଼ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି ଏବଂ ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ମନୋଜ ମହାଜନ ଯୋଗଦେଇ ଜନଜାତି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ।

‘‘ଆମ ରାଜ୍ୟର ଜନଜାତି ଛାତ୍ରଛାତ୍ରୀଙ୍କ ଭିତରେ ଅନେକ ପ୍ରତିଭା ରହିଛି। ପ୍ରତିଭା ପ୍ରଦର୍ଶନ ପାଇଁ ସରଗି ଫୁଲ୍ ହେଉଛି ଏକ ଉପଯୁକ୍ତ ମାଧ୍ୟମ। ଉତ୍ତର-ଓଡ଼ିଶା ଜୋନସ୍ତରୀୟ କାର୍ଯ୍ୟକ୍ରମ ସୁନ୍ଦରଗଡ଼ ଜିଲ୍ଲାରେ ହେଉଥିବାରୁ ଏହା ଆମ ସମସ୍ତଙ୍କ ପାଇଁ ଖୁସିର କଥା’’, କହିଛନ୍ତି ଡକ୍ଟର ସୁରେଶ ଚନ୍ଦ୍ର ଦଳାଇ।

‘‘ଜନଜାତି ଛାତ୍ରଛାତ୍ରୀଙ୍କ ଭିତରେ ଥିବା ଅନ୍ତର୍ନିହିତ ପ୍ରତିଭାର ବିକାଶ ପାଇଁ ‘ସରଗି ଫୁଲ୍’ ହେଉଛି ଉପଯୁକ୍ତ ପ୍ଲାଟଫର୍ମ। ତେଣୁ ପିଲାମାନେ ଏହାର ସୁଯୋଗ ନେଇ ନିଜର ଦକ୍ଷତା ଓ ପାରଦର୍ଶିତା ଦେଖାନ୍ତୁ’’, କହିଛନ୍ତି ପଦ୍ମଶ୍ରୀ ଡକ୍ଟର ଦିଲ୍ଲୀପ ତିର୍କୀ।

 ‘ସରଗି ଫୁଲ୍’ କାର୍ଯ୍ୟକ୍ରମରେ ଜନଜାତି ଛାତ୍ରଛାତ୍ରୀଙ୍କ ପ୍ରତିଭା ବିକାଶ ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି। ଏହି ଅବସରରେ ଶୁକ୍ରବାର ଦିନ ବିଭିନ୍ନ କର୍ମଶାଳା ଆୟୋଜନ କରାଯାଇଥିଲା। ତା’ଭିତରେ ‘ଶିଶୁ ସାମ୍ବାଦିକ’ କର୍ମଶାଳା ବିଶେଷ ଆକର୍ଷଣ ପାଲଟିଥିଲା।

ବକୁଳ ଫାଉଣ୍ଡେସନ ସହଯୋଗିତାରେ ଆୟୋଜିତ ଏହି କର୍ମଶାଳାରେ ବରିଷ୍ଠ ସାମ୍ବାଦିକ ଅନୁଜ ଦାସ ଯୋଗଦେଇ ପିଲାମାନଙ୍କୁ ସାମ୍ବାଦିକତା ବିଷୟରେ ସୂଚନା ଦେଇଥିଲେ। ଜନଜାତି ଛାତ୍ରଛାତ୍ରୀମାନେ ଏଥିରେ ଭାଗନେଇ ଖବରର ସଂଜ୍ଞା, ଖବର ସଂଗ୍ରହ ଓ ପରିବେଷଣ ଏବଂ ସମ୍ପାଦନା ଆଦି ବିଷୟରେ ବୁଝିଥିଲେ।

ସେହିପରି ମୋ ସ୍କୁଲ ଅଭିଯାନ ପକ୍ଷରୁ ଛାତ୍ରଛାତ୍ରୀଙ୍କ ପାଇଁ ଟିଙ୍କରିଂ, କାର୍ଟୁନ୍, ୱାର୍ଡ ପଜଲ୍ ଏବଂ ପୁସ୍ତକ ସମୀକ୍ଷା ଆଦି କାର୍ଯ୍ୟକ୍ରମ କରାଯାଇଥିଲା। ଏହାସହ ରଙ୍ଗିନ କାଗଜରୁ ବିଭିନ୍ନ ଆକର୍ଷଣୀୟ ସାମଗ୍ରୀ ଓ ଅଦରକାରୀ କାଗଜରୁ ବ୍ୟବହାର୍ଯ୍ୟ ଜିନିଷ ପ୍ରସ୍ତୁତି, ଷ୍ଟୋରି ଟେଲିଂ, ଥିଏଟର, ମ୍ୟାଥ୍ ଗେମ୍, ଓଡ଼ିଶୀ ନୃତ୍ୟ ଏବଂ ମ୍ୟାଜିକ୍ ସୋ’ ଭଳି କାର୍ଯ୍ୟକ୍ରମ ପ୍ରମୁଖ ଆକର୍ଷଣ ପାଲଟିଥିଲା।

‘ସରଗି ଫୁଲ୍’ କାର୍ଯ୍ୟକ୍ରମରେ ଜନଜାତି ବର୍ଗର ଛାତ୍ରଛାତ୍ରୀଙ୍କ ଭିତରେ ବିଭିନ୍ନ ପ୍ରତିଯୋଗିତା କରାଯାଉଛି। ସର୍ଜନାତ୍ମକ ଲେଖା ସହିତ ବକ୍ତୃତା, ଓପନ ସ୍ଲୋଗାନ, ଏକକ ନୃତ୍ୟ, ଦଳଗତ ନୃତ୍ୟ ଏବଂ କ୍ରୀଡ଼ା ପ୍ରତିଯୋଗିତା ହୋଇଥିଲା। ଏଥିରେ ବିଭିନ୍ନ ଜିଲ୍ଲାରୁ ଆସିଥିବା ଛାତ୍ରଛାତ୍ରୀମାନେ ନିଜର ପ୍ରତିଭା ଦେଖାଇଥିଲେ।

ରାଜ୍ୟ ସରକାରଙ୍କ ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସଂପ୍ରଦାୟ ତଥା ପଛୁଆବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ଏହି ଶିଶୁ ମହୋତ୍ସବ ଆୟୋଜନ କରାଯାଉଛି। ଏଥିରେ ୧୫ଟି ଜିଲ୍ଲାର ୬୦୦ରୁ ଅଧିକ ଜନଜାତି ଛାତ୍ରଛାତ୍ରୀ ଭାଗ ନେଇଛନ୍ତି।

Tags: #Sargiful #Festival #ZonalChildrensFestival #TribalStudents #Sundargarh #Odisha

Comment