ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜିର ସମୟରେ ଦେଖାଦେଉଥିବା ବିଭିନ୍ନ ଶାରୀରିକ ରୋଗର ମୁକାବିଲା ପାଇଁ ଫିଜିଓଥେରାପି ଏକ ବଳିଷ୍ଠ ମାଧ୍ୟମ ପାଲଟିଛି। ଭିନ୍ନକ୍ଷମ ବ୍ୟକ୍ତି, ବରିଷ୍ଠ ନାଗରିକ ତଥା ଶାରୀରିକ ସମସ୍ୟାର ସମ୍ମୁଖୀନ ହେଉଥିବା ଅନ୍ୟ ବ୍ୟକ୍ତିମାନଙ୍କୁ ଫିଜିଓଥେରାପିର ଉତ୍ତମ ସୁବିଧା ଯୋଗାଇଦେବା ଏବେ ଏକ ବଡ଼ ଆହ୍ୱାନ ପାଲଟିଛି। ଲୋକଙ୍କୁ ତୃଣମୂଳ ସ୍ତରରେ ଫିଜିଓଥେରାପି ସେବା ଯୋଗାଇଦେବା ପାଇଁ ଉଦ୍ୟମ ଜାରି ରଖିଛି ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ।

ସମୟ ଥିଲା ଯେତେବେଳେ ଫିଜିଓଥେରାପି ସେବା କେବଳ ସହରାଞ୍ଚଳରେ ସୀମିତ ରହିଥିଲା। ହେଲେ ଏବେ ସୁନ୍ଦରଗଡ଼ରେ ବ୍ଲକ ସ୍ତରରେ ଏହି ସୁବିଧା ମିଳିପାରୁଛି। ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନର ଆର୍ଥିକ ସହାୟତାରେ ସୁନ୍ଦରଗଡ଼ ଏବଂ ରାଉରକେଲା ଡିଭିଜନରେ ମୋଟ୍ ୨୦ଟି ଫିଜିଓଫେରାପି ସେଣ୍ଟର ଖୋଲାଯାଇ ଲୋକଙ୍କୁ ମାଗଣାରେ ଏହି ସେବା ପ୍ରଦାନ କରାଯାଉଛି।

ଏହି ସବୁ ସମନ୍ୱିତ ଫିଜିଓଥେରାପି ସେଣ୍ଟରେ ଭିନ୍ନକ୍ଷମ, ବରିଷ୍ଠ ନାଗରିକ, କର୍ମଜୀବୀ, ମହିଳା, ଶିଶୁ ତଥା ବିଭିନ୍ନ ବର୍ଗର ଲୋକ ଫିଜିଓଥେରାପି ସେବା ପାଇପାରୁଛନ୍ତି। ଏହା ସହିତ ତାଲିମପ୍ରାପ୍ତ ଥେରାପିଷ୍ଟମାନେ ରୋଗୀଙ୍କୁ ଦେଖି ସେମାନଙ୍କର ଆବଶ୍ୟକତା ଅନୁଯାୟୀ ଥେରାପି ଏବଂ ପରାମର୍ଶ ଦେଉଛନ୍ତି।

ଫିଜିଓଥେରାପି ସେଣ୍ଟରଗୁଡ଼ିକରେ ବିଭିନ୍ନ ଜନ୍ମଗତ ସମସ୍ୟା ତଥା କୌଣସି ରୋଗଜନିତ, ଦୁର୍ଘଟଣାଜନିତ, ସ୍ନାୟୁଗତ ଏବଂ ଜୀବନଶୈଳୀ ଆଦି ସମସ୍ୟା ଭୋଗୁଥିବା ବ୍ୟକ୍ତି ତଥା ଭିନ୍ନକ୍ଷମମାନଙ୍କୁ ଫିଜିଓଥେରାପି ସେବା ମାଧ୍ୟମରେ ସୁସ୍ଥ କରାଯାଉଛି। ଏହିସବୁ କେନ୍ଦ୍ରରେ ଜଣେ ଲେଖାଏଁ ଫିଜିଓ ଥେରାପିଷ୍ଟ ଏବଂ ଜଣେ ସ୍ପେସାଲ ଏଡୁକେଟର ରହିଛନ୍ତି।

ସୁବିଧାରେ ଫିଜିଓଥେରାପି ସେଣ୍ଟରକୁ ଯାତାୟତ ପାଇଁ ପ୍ରତି କେନ୍ଦ୍ରରେ ଗୋଟିଏ ଲେଖାଏଁ ଇ-ରିକ୍ସା ସୁବିଧା ରହିଛି। ଫିଜିଓଥେରାପି ସେଣ୍ଟରରେ ଫିଜିଓଥେରାପି ସେବା ସହ ଆଶୁ ନିରାକରଣ ଚିକିତ୍ସା, ସ୍ପିଚ୍ ଥେରାପି, ବ୍ୟବହାରିକ ଚିକିତ୍ସା ଓ ତାଲିମ ଏବଂ ଶିକ୍ଷା ଥେରାପି ଭଳି ବିଭିନ୍ନ ଆଧୁନିକ ଚିକିତ୍ସା ଓ ପୁନର୍ବାସ ସେବା ଦିଆଯାଉଛି।

ଫିଜିଓଥେରାପି ସେଣ୍ଟରଗୁଡ଼ିକର ସହାୟତା ଲାଗି ଜଣେ ବରିଷ୍ଠ ଫିଜିଓଥେରାପିଷ୍ଟ, ଜଣେ ଅକ୍ୟୁପେସନାଲ ଥେରାପିଷ୍ଟ, ଜଣେ ସ୍ପିଚ୍ ଥେରାପିଷ୍ଟ ଏବଂ ଜଣେ ସାଇକଲୋଜିଷ୍ଟ ରହିଛନ୍ତି। ଏମାନେ ମାସକୁ ଦୁଇଥର ୨୦ଟି କେନ୍ଦ୍ରକୁ ଯାଇ ସେଠାରେ ଚିକିତ୍ସିତ ହେଉଥିବା ବ୍ୟକ୍ତିମାନଙ୍କର ସ୍ୱତନ୍ତ୍ର ଚିକିତ୍ସା କରିଥାନ୍ତି।

ସେହିପରି ଦୁଇଜଣ ପ୍ରକଳ୍ପ ସହାୟକ ଏବଂ ଜଣେ ପ୍ରକଳ୍ପ ପରିଚାଳକ ଗାଁ ଗାଁରେ ବୈଠକ କରି ଭିନ୍ନକ୍ଷମତା ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ସହ ଫିଜିଓଥେରାପି ସେବାର ଉପକାରୀତା ସମ୍ପର୍କରେ ବୁଝାଇଥାନ୍ତି। ଦୁର୍ଘଟଣା ଯୋଗୁଁ ଶାରୀରିକ ଭାବେ ଅକ୍ଷମ ହୋଇପଡ଼ିଥିବା ଅନେକ ବ୍ୟକ୍ତି ଏହି ଫିଜିଓଥେରାପି ସେଣ୍ଟରଗୁଡ଼ିକରେ ଚିକିତ୍ସିତ ହୋଇ ସୁସ୍ଥ ହୋଇପାରିଛନ୍ତି।

ହେମଗିରି ବ୍ଲକର ୪୨ ବର୍ଷିୟ ମନୋଜ କୁମାର ବାରିକଙ୍କର ମେରୁଦଣ୍ଡ ଏବଂ ଡାହାଣ ଗୋଡ଼ରେ ଅସହ୍ୟ ଯନ୍ତ୍ରଣା ଯୋଗୁଁ ସେ ଚାଲିବାକୁ ସକ୍ଷମ ହେଉନଥିଲେ। ପରେ ସେ ହେମଗିରି ବ୍ଲକର ଅତ୍ୟାଧୁନିକ ‘ଥେରାପ୍ୟୁଟିକ୍ ସେଣ୍ଟର’ ବା ଭୌତିକ ଚିକିତ୍ସା ସେବା କେନ୍ଦ୍ରକୁ ଆସିଥିଲେ। ଏଠାରେ ତାଙ୍କୁ ନିୟମିତ ଫିଜିଓଥେରାପି ଦିଆଯାଇଥିଲା। ୧୪ ଦିନ ନିୟମିତ ଭାବେ ବିଭିନ୍ନ ଥେରାପି ନେବା ପରେ ମନୋଜ କୁମାର ବର୍ତ୍ତମାନ ସହଜରେ ଚଲାବୁଲା କରିପାରୁଛନ୍ତି।

ସେହିପରି ବୁଦେଲକାଣିର ୬୮ ବର୍ଷିୟ ମଧୁସୂଦନ ନାଏକ ନିଜ ଡାହାଣହାତ ଉପରକୁ ଉଠାଇପାରୁନଥିଲେ। ସେ ସଦର ବ୍ଲକ୍ ସ୍ଥିତ ଫିଜିଓଥେରାପି ସେଣ୍ଟରକୁ ଆସିଥିଲେ। ନିୟମିତ ଫିଜିଓଥେରାପି ସେବା ପରେ ବର୍ତ୍ତମାନ ସେ ଡାହାଣ ହାତରେ ସବୁ କାମ କରିବାକୁ ସକ୍ଷମ ହେଉଛନ୍ତି।

ପର୍ଯ୍ୟୟ କ୍ରମେ ସୁନ୍ଦରଗଡ଼ ଜିଲ୍ଲାରେ ଫିଜିଓଥେରାପି ସେବା ଆରମ୍ଭ କରାଯାଇଥିଲା। ୨୦୨୨ ମସିହା ଡିସେମ୍ବର ମାସରେ  ପ୍ରଥମ ପର୍ଯ୍ୟାୟରେ ୧୦ଟି ଫିଜିଓଥେରାପି ସେଣ୍ଟର ଖୋଲାଯାଇଥିବାବେଳେ ୨୦୨୨ ସେପ୍ଟେମ୍ବର ମାସରେ ଆଉ ୧୦ଟି ଫିଜିଓଥେରାପି ସେଣ୍ଟର ଖୋଲାଯାଇଥିଲା। ଏହି ୨୦ଟି ଫିଜିଓଥେରାପି ସେଣ୍ଟରରେ ଚିକିତ୍ସିତ ହୋଇ ପ୍ରାୟ ୪୬ ହଜାର ୭୯୦ ଜଣ ଉପକୃତ ହୋଇଛନ୍ତି।

Tags: #Sundargarh #DMF #IntegratedPhysiotherapyServices #PhysiotherapyService #PhysiotherapySession

Comment